ସାୟନ ପରି ଜଣେ କୃତି ପ୍ରତିଭା ପାଇଁ ଗର୍ବିତ ବାପା ମା’, କନିଷ୍ଠ ବର୍ଗରେ ହେଲେ ଚମ୍ପିୟାନ

ଭଲରେ କଥା କହି ଶିଖି ନାହାନ୍ତି । କିନ୍ତୁ ଏତେ କୁନି ବୟସରେ ସଫଳତାରେ ପହଞ୍ଚି ପାରିଛନ୍ତି ସାୟନ । କନିଷ୍ଠ ବର୍ଗର ସମସ୍ତ ଖେଳାଳିଙ୍କୁ ଧରାଶାୟୀକରି ପିନ୍ଧିଛନ୍ତି ବିଜୟ ମୁକୁଟ । ଘରେ ଦୁଷ୍ଟାମୀ କରୁଥିବା ସାୟନ,  ଚେସ ପାଖରେ ବସିଗଲେ ହୋଇଯାଆନ୍ତି ଶାନ୍ତ ଶିଷ୍ଟ ଆଉ ପୋଖତ ଖେଳାଳି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଏସଡିଜେଏମ ମିର୍ଜା ଅସଲମ ବେଗ ଓ ଫର୍ଣ୍ଣାସ ମୁକ୍ତାରଙ୍କ ପୁଅ ମିର୍ଜା ସାୟନ ବେଗ । ପାଟଣାଗଡ଼ ଓମ ଇଣ୍ଟରନ୍ୟାସନାଲ ସ୍କୁଲର ନର୍ସରୀରେ ପ୍ରଥମ ବର୍ଷର ଛାତ୍ର । ବୟସ ମାତ୍ର ୪ ବର୍ଷ । ବାପା ତାଙ୍କ ସମୟରେ ଚେସ ଚାମ୍ପିୟନ ଥିବାବେଳେ ଫୁରସତ ପାଇଲେ କିଛି ସମୟ ଚେସ ଖେଳିଥାନ୍ତି । ବାପାଙ୍କ ଚେସ ଖେଳ ଦେଖି ଚେସପ୍ରତି ଆକୃଷ୍ଟ ହୋଇଥିଲେ ସାୟନ । ପୁଅର ଆଗ୍ରହ ଦେଖି କୋଚ ବିଘ୍ନେଶ୍ୱର ଯୋଶୀଙ୍କୁ ସାୟନଙ୍କୁ ଚେସ ଶିଖାଇବା ପାଇଁ ନିଯୁକ୍ତ କରିଥିଲେ ବାପା । କୋଚଙ୍କ ଶିକ୍ଷା ଓ ସ୍କୁଲରେ ସ୍କୋପରେ ଆଗକୁ ବଢି ଚାଲିଲେ ଓ ସଫଳତା ସାଉଣ୍ଟୁଛନ୍ତି କୁନି ଖେଳାଳି ସାୟନ ।

ସାୟନ ଭଲ ଖେଳିବା ସହିତ ଭଲ ପାଠ ପଢି ସ୍କୁଲରେ ତାଙ୍କ କ୍ଲାସରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଗତ ଅକ୍ଟୋବର ମାସରେ କେଟି ଗ୍ଲୋବାଲ ଦ୍ୱାରା ଅନୁଷ୍ଠିତ ସର୍ବ ଭାରତୀୟ ଚେସ ଚମ୍ପିୟାନସିପରେ କନିଷ୍ଠ ବର୍ଗରେ ଚମ୍ପିୟାନ ହୋଇଥିବା ବେଳେ ଗତ ଡିସେମ୍ବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କିଟରେ ଅନୁଷ୍ଠିତ ପଞ୍ଚଦଶ କିଟ ଅନ୍ତର୍ଜାତୀୟ ଚେସ ମହୋତ୍ସବରେ କନିଷ୍ଠବର୍ଗରେ ଚମ୍ପିୟାନ ହୋଇ ମାନପତ୍ର ଟ୍ରଫି ସହିତ ଆର୍ଥିକ ପୁରସ୍କାର ହାସଲ କରିଛନ୍ତି । ଏତେ କମ ବୟସରୁ ସାୟନ ଭଲ ପାଠ ପଢିବା ସହିତ ଭଲ ଚେସ ଖେଳି ବାପାଙ୍କ ସ୍ବପ୍ନ ପୂରଣ କରିଥିବା ବେଳେ ପରିବାର ଓ ଅଞ୍ଚଳବାସୀଙ୍କ ଆଦରର ପାତ୍ର ହୋଇପାରିଛନ୍ତି ।

ସଫଳତା ପଛରେ ଦୌଡ଼ିଲେ ସଫଳତା ମିଳିନଥାଏ । ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଫଳରେ ସଫଳତା ମିଳିଥାଏ ଯାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମିର୍ଜା ସାୟନ ବେଗ । ନିଜେ ସଫଳତା ପାଇବା ସହିତ ଅଞ୍ଚଳ ପାଇଁ ଆଣି ଦେଇଛନ୍ତି ଗର୍ବ ଓ ଗୌରବ । ସାୟନ ପରି ଜଣେ କୃତି ପ୍ରତିଭା ପାଇଁ ଗର୍ବିତ ପାଟଣାଗଡ଼ ଅଞ୍ଚଳ ।