କୋଭିଡ୍ ଭୟରେ ଦୀର୍ଘ ବର୍ଷ ହେଲା ଘରେ ବନ୍ଦୀ ଥିଲେ ପରିବାର, ପ୍ରଶାସନ ଉଦ୍ଧାର କଲା

ଇଏ ଗୋଟିଏ ଅଜବ ଘଟଣା ନିଶ୍ଚୟ । କୋଭିଡ୍ ଭୟ ଓ କରୋନା ଭାଇରସ୍ କଥା ହୁଏତ ଲୋକେ ଭୁଲି ଗଲେଣି । ହେଲେ ସ୍ପେନରେ ଗୋଟିଏ ପରିବାର ଏପର୍ଯ୍ୟନ୍ତ ଘରେ ନିଜକୁ ବନ୍ଦୀ କରି ରଖିଥିଲେ । କରୋନା ଭାଇରସ୍ ଭୟରେ ନିଜେ ନିବୁଜ ଘର ଭିତରେ ରହି ପିଲାଙ୍କୁ ବାହାରକୁ ଛାଡୁ ନଥିଲେ । ଶେଷରେ ଖବର ପାଇ ପ୍ରଶାସନିକ ଅଧିକାରୀମାନେ ପିଲାଙ୍କୁ ଘର ଭିତରୁ ଉଦ୍ଧାର କରିଛନ୍ତି । ଯେଉଁମାନେ କି ପ୍ରାୟ ଗତ ତିନି ବର୍ଷ ହେବ ବାହାର ଆଲୋକ ଦେଖି ନଥିଲେ । ମାଟିକୁ ଛୁଇଁ ନଥିଲେ । ମାନସିକ ଦୁଶ୍ଚିନ୍ତାରେ ସେମାନଙ୍କ ଚେହରା ବି ଖରାପ ହୋଇ ଯାଇଛି ।
ଉତ୍ତର-ପଶ୍ଚିମ ସ୍ପେନର ଓଏଭିଡୋ ସହରରେ ଜଣେ ପ୍ରବାସୀ ଜର୍ମାନୀ ଗୋଟି ଘରେ ନିଜ ପରିବାର ସହ ରହୁଛନ୍ତି । ସ୍ବାମୀଙ୍କୁ ୫୩ ବର୍ଷ ବୟସ ଓ ସ୍ତ୍ରୀଙ୍କୁ ୪୮ ବର୍ଷ । ସେମନଙ୍କର ୩ଟି ପୁତ୍ର ସନ୍ତାନ । ଜଣେ ୧୦ ବର୍ଷର ଓ ଅନ୍ୟ ଦୁଇ ଜଣ ଯାଆଁଳା ଭାଇ ୮ ବର୍ଷର । ତେବେ ବାପା ମାଆ ତିନି ପିଲାଙ୍କୁ କରୋନା ଭାଇରସ୍ ଭୟରେ ଘରୁ ବାହାରକୁ ପାଦ ପକାଇବାକୁ ଦେଉ ନଥିଲେ । ‘କୋଭିଡ୍ ସିଣ୍ଡ୍ରୋମ’ ସେମାନଙ୍କୁ ଘାରିଥିଲା । ତେଣୁ ପିଲାଙ୍କ ଉପରେ ବି ସେ ନିଜର ଭୟକୁ ଲଦି ଦେଇଥିଲେ । ତେଣୁ ସେମାନଙ୍କୁ ବାହାରକୁ ଛାଡୁ ନଥିଲେ । ଯେତେବେଳେ ଏ କଥା ଜଣାପଡ଼ିଲା ପ୍ରଶାସନ ସହ ତଦନ୍ତକାରୀ ଟିମ୍ ସେହି ଘରକୁ ଯାଇ ପିଲାଙ୍କୁ ଉଦ୍ଧାର କରିଥିଲେ । ଯେତେବେଳେ ପିଲା ତିନିଟିଙ୍କୁ ସେମାନେ ବାହାରକୁ ଆଣିଥିଲେ ସେ ଦୃଶ୍ୟ ସମସ୍ତଙ୍କ ହୃଦୟ ଦୋହଲାଇ ଦେଇଥିଲା । ସେମାନଙ୍କ ମୁହଁରେ ମାସ୍କ ଥିଲା । ବାହାରକୁ ଆସିବା ପରେ ସେମାନେ ଲମ୍ବା ନିଶ୍ବାସ ନେଇଥିଲେ । ଯେମିତି ବର୍ଷ ବର୍ଷ ଧରି ସେମାନେ ମୁକ୍ତ ବାୟୁ ପାଇ ନାହାନ୍ତି । ସେମାନେ ତଳକୁ ନଇଁ ପଡ଼ି ଘାସକୁ ଛୁଇଁ ଯେମିତି କିଛି ନିଆରା ଅନୁଭବ କରିଥିଲେ । ବାହାର ଦୁନିଆଁ ସେମାନଙ୍କ ପାଇଁ ଦୀର୍ଘ ବର୍ଷ ଧରି ଅଜଣା ଥିଲା ଭଳି ଲାଗୁଥିଲା ।
ଏହି ପରିବାର ଏତେ ବର୍ଷ ଧରି କେମିତି ଘର ଭିତରେ ଅଲଗା ରହୁଥଲେ ଓ ଚଳୁଥିଲେ ତାକୁ ନେଇ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି । କାରଣ ଏଭଳି ସମସ୍ତଙ୍କ ଠାରୁ ଦୂରେଇ ରହି ବର୍ଷ ବର୍ଷ ଧରି ଚଳିବା ସହଜ କଥା ନୁହେଁ ।