ଦୁର୍ଘଟଣାରେ ଛାଡିଗଲା ପ୍ରାଣ, ଆଖି ଦାନ କରି ସବୁଦିନ ପାଇଁ ଅମର ହୋଇଗଲା କୁନି ଝିଅ ଅର୍ଚ୍ଚିତା

କଟକ/ଯାଜପୁରରୋଡ: ମାଆ ମୁଁ ଆଖି ଦାନ କଲେ ହୁଅନ୍ତାନି । ମୋର ଭାରି ଇଚ୍ଛା ଆଖି ଦାନ କରିବାକୁ । ଝିଅର ଏକଥା ଶୁଣି ମାଆ କୁହନ୍ତି ଝିଅ ଏମିତି କଥା କୁହନ୍ତିନି । ତୁ ଏବେ ଛୋଟ ପିଲା । ପାଠ ପଢ ଆଉ କିଛି କଥା ମୁଣ୍ଡରେ ପୁରାନା । ହେଲେ ଦଇବର ଏ କି ବଚାର । କୁନି ଝିଅର ମନର କଥା ଏମିତି ପୂରଣ କରିଦେଲେ ଈଶ୍ୱର । ନିଶ୍ୱାସ ଚାଲୁ ଥିବାବେଳେ ଯାହା କହୁଥିଲା କୁନି ଆଜି ନିଶ୍ୱାସ ବନ୍ଦ ହୋଇଯିବା ପରେ ତାହା ପୂରଣ କରିଛି । ଆଜି ନିଶ୍ୱାସ ବିଶ୍ୱାସ ସେ ସବୁ ହରେଇ ବସିଛି । ଏଇ ଦୁନିଆ ଛାଡି ସେ ଏବେ ପରପାରିରେ । ହେଲେ ଆଜି ପରିବାର ଲୋକେ ଝିଅ ଆଖିର କର୍ଣ୍ଣିଆ ଦାନ କରିଛନ୍ତି । ଝିରର ଆଖି କର୍ଣ୍ଣିଆ ଆଉ କାହାକୁ ଦୃଷ୍ଟି ଶକ୍ତି ଦେବାରେ ସହାୟକ ହେବ । ଆଉ କିଏ ତା ପାଇଁ ଦୁନିଆ ଦେଖିବ । କୁନି ଝିଅ ମରିକି ବି ଅମର ହୋଇଯାଇଛି ।
କୁନି ଝିଅ ଅର୍ଚ୍ଚିତା ବେହେରା । ନବମ ଶ୍ରେଣୀର ଛାତ୍ରୀ । ବୟସ ମାତ୍ର ୧୪ ବର୍ଷ । କୁନି ଝିଅ ଅର୍ଚ୍ଚିତାର ବାପା ଅମିତାଭ ବେହେରା ଆଜକୁ ୧୦ବର୍ଷ ହେଲା ନାହାନ୍ତି । କିଛି ଦିନ ତଳେ ସ୍ୱାମୀଙ୍କୁ ହରାଇଥିବା ସୁରଞ୍ଜିତା ବେହେରା ଆଜି ଝିଅକୁ ଏକ ଦୁର୍ଘଟଣାରେ ହରାଇ ଭାଙ୍ଗିପଡିଛନ୍ତି । ଯାହାକୁ ଦେଖି ସ୍ୱାମୀ ଯିବା କଷ୍ଟକୁ ଧିରେ ଧିରେ ଭୁଲି ସୁରଞ୍ଜିତା ବାଟ ଚାଲିବାକୁ ଦମ୍ଭ ଜୁଟାଇଥିଲେ ସେ ଆଜି ଅଧାବାଟରେ ତାଙ୍କୁ ଏକା କରି ଚାଲିଯାଇଛି । ଭୋ ଭୋ ହେଇ କାନ୍ଦୁଛନ୍ତି ସୁରଞ୍ଜିତା । ଦୁଃଖ ଉପରେ ଦୁଃଖ ଲଦି ହୋଇପଡିଛି ତାଙ୍କ ଉପରେ ।
ଖବର ମୁତାବକ, ଯାଜପୁର ଦାନଗଦି ବୁଦ୍ଧରାଜ ବିଦ୍ୟାପୀଠ ନିକଟରେ ଗତକାଲି ସକାଳେ ଏକ ହାଇୱା ୨ ଛାତ୍ରୀଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗୁରୁତର ଆହତ ଅର୍ଚ୍ଚିତା ବେହେରାଙ୍କୁ ଦାନଗଦି ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କଟକ ବଡ ମେଡିକାଲରେ ମୃତ୍ୟୁ ଘଟିଥିଲା । ଅର୍ଚ୍ଚିତାଙ୍କ ମୃତ୍ୟୁ ପରେ ତାଙ୍କ ଆଖିର କର୍ଣ୍ଣିଆ ଦାନ କରିଛନ୍ତି ତାଙ୍କ ପରିବାର ଲୋକେ । ଏପଟେ ଦୁର୍ଘଟଣାରେ ଆହତ ଆଉ ଜଣେ ଛାତ୍ରୀ ସିପ୍ରା ପ୍ରିୟଦର୍ଶୀ ଦାନଗଦି ମେଡ଼ିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ହେଲେ ସେପଟେ ଝିଅକୁ ହରାଇ ଅର୍ଚ୍ଚିତାଙ୍କ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।
କୁନି ଝିଅଟେ ଅର୍ଚ୍ଚିତା । କିନ୍ତୁ ତା ପରିବାର ଲୋକ ମୃତ୍ୟୁ ପରେ ତାର ଇଚ୍ଛା ପୂରଣ କରିଛନ୍ତି । ଛାତକୁ ଦମ୍ଭ କରି ନେଇଛନ୍ତି କହତ ନିଷ୍ପତି । ଝିଅ ଆଖିର କର୍ଣ୍ଣିଆ ଦାନ କରିଛନ୍ତି । ତା ଆଖିରେ ଆଜି ଆଉ କିଏ ଦୁନିଆ ଦେଖିବ । ଏପରି ପ୍ରଶଂସାଯୋଗ୍ୟ କାର୍ଯ୍ୟ ପାଇଁ ଆଜି କୁନି ଝିଅ ଅର୍ଚ୍ଚିତା ସବୁ ଦିନ ପାଇଁ ଅମର ହୋଇଯାଇଛି । କୁନି ଝିଅର ସ୍ୱପ୍ନ ଥିଲା ଦିନେ ଚକ୍ଷୁ ଦାନ କରିବ । ଆଜି ସେ ଏ ଦୁନିଆରେ ନାହିଁ କିନ୍ତୁ ସେ ତାର ସ୍ୱପ୍ନ ପୂରଣ କରି ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ପାଲଟିଯାଇଛି ।