କାନ୍ଦୁ କାନ୍ଦୁ ଚାଲିଗଲା ୨ବର୍ଷ ୭ ମାସର କୁନି ଝିଅର ଜୀବନ, ଆଖି ଦାନ କରି ମହତ୍ କାମ କଲେ ବାପା-ମାଆ

କେନ୍ଦ୍ରାପଡା: ସ୍ଥାଣୁ ପାଲଟି ଯାଇଛନ୍ତି ଏଇ ବାପା । ତାଙ୍କ ଗେଲ ବସରିଆ ଝିଅ ଆଉ ଏ ଦୁନିଆରେ ନାହିଁ । କେତେ ସ୍ନେହ, ଆଦର କରି ତାଙ୍କୁ ବଡ କରୁଥିଲେ । ହେଲେ ଜୀବନ କଣ ବୁଝିବା ପୂର୍ବରୁ ଜୀବନ ହାରିଦେଲା ସେ । ସତରେ କିଏ ଜାଣିଥିଲା ଏମିତି ହଠାତ୍ ଛୁଆଟିର ପ୍ରାଣବାୟୁ ଉଡିଯିବ ବୋଲି । ସେଥିପାଇଁ କଥାରେ ଅଛି ଜୀବନର କି ଅବା ଭରଷା ଏଇ ଅଛି ଏଇ ତ ନାହିଁ ।

ଆସନ୍ତୁ ଜାଣିବା କଣ ଘଟଣା : ନା ପ୍ରତ୍ୟୁଷା ପ୍ରିୟଦର୍ଶିନୀ ନାୟକ । ବୟସ ୨ ବର୍ଷ ୭ ମାସ । କେନ୍ଦ୍ରାପଡା କପାଳେଶ୍ୱର ପଞ୍ଚାୟତ ଗରାପୁରୁ ଗାଁର କୃଷ୍ଣଚନ୍ଦ୍ର ନାୟକ ଓ ମା ଝରଣା ସାହୁଙ୍କ ର ଅଲିଅଳି ଝିଅ ପ୍ରତ୍ୟୁଷା । ଯାହାଙ୍କର ଅକାଳ ମୃତ୍ୟୁ ହୋଇଛି । ଆଉ ସବୁଠାରୁ ଗର୍ବର କଥା ଏତେ କମ୍ ବୟସରେ ଦୁନିଆ ଛାଡିବା ପରେ ସେ କିନ୍ତୁ ନିଜର ଆଖି ଦୁଇଟିକୁ ଦାନ କରିଛନ୍ତି । କେନ୍ଦ୍ରାପଡା ଗରାପୁର ଗାଁର ଏହି ଖବର ଏବେ ସବୁଠି ଚର୍ଚ୍ଚା ।

ତେବେ ଝିଅ ପ୍ରତ୍ୟୁଷା ପ୍ରିୟଦର୍ଶିନୀ ନିଜ ମାଆଙ୍କ ସହ ମହାକାଳପଡ଼ା କେୟାରବାଙ୍କ ସ୍ଥିତ ମାମୁଁ ଘରକୁ ବୁଲି ଯାଇଥିଲେ । ଗତ ରବିବାର ସନ୍ଧ୍ୟାରେ ଅନ୍ୟ ପିଲାମାନଙ୍କ ସହ ଖେଳୁଥିବା ବେଳେ ଆଈ ମାଆ ଆସି ତାଙ୍କୁ ଘରକୁ ନେଇ ଯାଇଥିଲେ । ହେଲେ ଛୋଟ ପିଲା, ଘରକୁ ନଯାଇ ଖେଳିବାକୁ ସେ ଜିଦ୍ ଧରି କରି କାନ୍ଦି ଉଠିଥିଲେ । କାନ୍ଦି କାନ୍ଦି ନୟାନ୍ତ ହୋଇପଡିଥିଲେ । ହେଲେ କାନ୍ଦୁ କାନ୍ଦୁ ଏମିତି ଜୀବନ ଚାଲିଯିବ ବୋଲି କେହି କଳ୍ପନାରେ ସୁଦ୍ଧା ଭାବିନଥିଲେ । କିଛି ସମୟ ପରେ କୁନି ଝିଅ ପ୍ରତ୍ୟୁଷାର ଆଉ ରାହା ଫେରିନଥିଲା । ଯାହାଫଳରେ ପରିବାର ଲୋକେ ଭୟବିତ ହୋଇପଡିଥିଲେ ।

ତୁରନ୍ତ ପ୍ରଥମେ ମହାକାଳପଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ସେଠାରେ ଡ଼ାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ । ଏଭଳି ଏକ ଦୁଃଖଦ ଘଟଣା ସମଗ୍ର ପରିବାରକୁ ହତବାକ୍ କରିଦେଇଛି । ଏମିତି କାନ୍ଦୁ କାନ୍ଦୁ କୁନି ଝିଅଟି ଦୁନିଆ ଛାଡି ଚାଲିଯିବା କଥାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଏପଟେ କୃଷ୍ଣଚନ୍ଦ୍ର ଓ ଝରଣା ନିଜ ଝିଅର ମୃତ୍ୟୁ ପରେ ତା ଚକ୍ଷୁ ଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ସେମାନେ ମେଡିକାଲ କାନ୍ଥରେ ଲାଗିଥିବା ପୋଷ୍ଟରରୁ ହେଲପ ଲାଇନ ନମ୍ବରକୁ ଫୋନ କରି ଯୋଗାଯୋଗ କରି ଝିଅର ଚକ୍ଷୁ ଦାନ ପାଇଁ କହିଥିଲେ । ସଙ୍ଗେ ସଙ୍ଗେ ମେଡିକାଲ ହେଲପ ଲାଇନ ସଦସ୍ୟ ସେଠାରେ ପହଞ୍ଚି ଡାକ୍ତରଙ୍କ ସହାୟତାରେ ଶିଶୁଟିର ଆଖି ଦୁଇଟି କାଢି ଆଇ ବ୍ୟାଙ୍କରେ ରଖିଥିଲେ । ଯାହାଦ୍ୱାରା ତାଙ୍କ ଝିଅ ପୁଣିଥରେ ଜୀଇଁ ଉଠିବ ବୋଲି କୋହଭରା କଣ୍ଠରେ କହିଛନ୍ତି କୃଷ୍ଣଚନ୍ଦ୍ର।

ନିଜେ ସିନା ଆରପାରିକୁ ଚାଲିଗଲେ କିନ୍ତୁ ଅନ୍ୟ ଜଣଙ୍କୁ ଦେଇଗଲେ ଦୁନିଆ ଦେଖିବାର ଶକ୍ତି । ସବୁଦିନ ପାଇଁ ହୋଇଗଲେ ଅମର । ତେବେ କୁନି ଝିଅର ମୃତ୍ୟୁ ପରେ ଛାତିରେ ପଥର ରଖି ତାର ଚକ୍ଷୁଦାନ ଭଳି ମହତ କାର୍ଯ୍ୟ କରିଥିବା ବାପା ମାଆଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ ।

 

You might also like