ଗର୍ଭବତୀ ନାବାଳିକା ଝିଅର ଜୀବନ ନେଲେ ବାପା ମା’, ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ମରିଗଲା ବାପା ମା’ଙ୍କ ମାନବିକତା । ଭୁଲିଗଲେ ରକ୍ତ ସମ୍ପର୍କ । ଲୋକଲଜ୍ଜା ଭୟରେ ଭିଆଇଲେ ନାରକୀୟ କାଣ୍ଡ । ରାତି ଅଧରେ ଗର୍ଭବତୀ ନାବାଳିକା ଝିଅକୁ ମାରି ଦେଇଥିଲେ ବାପା ମା’ । କିନ୍ତୁ ସବୁ ଘଟଣାର ପର୍ଦ୍ଦାଫାସ୍ କଲା ପୋଲିସ । ମୃତ ପିଡ଼ିତାକୁ ମିଳିଲା ନ୍ୟାୟ । ଆଜୀବନ କାରାଦଣ୍ଡାଦେଶର ନିର୍ଦ୍ଦେଶ ଦେଲେ କୋର୍ଟ ।
ସ୍ବାମୀ ସ୍ତ୍ରୀଙ୍କ କାଣ୍ଡ ଶୁଣିଲେ ପାଦ ତଳୁ ମାଟି ଖସି ଯାଉଛି । କେମିତିକା ବାପା ମା’ କେଜାଣି ଯେଉଁ ଛୁଆକୁ ଜନ୍ମ ଦେଇଥିଲେ ସେଇ ଛୁଆର ଜୀବନ ନେଇଗଲେ । ଝିଅକୁ ମାରି ମାରି ଲହୁଲୁହାଣ କଲେ ଆଉ ଶେଷରେ ବାରି ପଛ ପଟେ ନେଇ ପୋଡ଼ିଦେଲେ । ଭାବିଥିଲେ ଏଭଳି ଅପରାଧ କରି କେବେ ବି ଧରା ପଡ଼ିବେନି । କିନ୍ତୁ ସତ କେବେ ଲୁଚି ରହେନା । ଦିନେ ନା ଦିନେ ସତ ସାମ୍ନାକୁ ଆସେ । ଆଉ ସେ ଯେତେ ବଡ଼ ଅପରାଧୀ ହୋଇ ଥାଉ ନା କାହିଁକି ଆଇନ୍ ଆଗରେ ତାର ସବୁ ଚାଲାକି ଫିକା ପଡ଼େ ।
ଗର୍ଭବତୀ ନାବାଳିକା ଝିଅକୁ ପୋଡି ହତ୍ୟା ଘଟଣାରେ ବାପା ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁରର ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ୨୦୧୬ ମସିହା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅଞ୍ଚଳର ୧୫ ବର୍ଷୀୟ ଗର୍ଭବତୀ ନାବାଳିକା ଝିଅକୁ ନିଜ ଘର ପଛପଟେ ପୋଡି ଦେଇଥିଲେ ନିଜ ଜନ୍ମ କଲା ବାପା ଓ ମା । ଏଥି ସହ ପ୍ରମାଣ ନଷ୍ଟ କରିବାକୁ ପାଉଁଶକୁ ନିକଟସ୍ଥ ଖରସ୍ରୋତା ନଦୀରେ ଭସାଇ ଦେଇଥିଲେ । ନାବାଳିକା ଝିଅକୁ ବାଡାଉଥିବା ସମୟରେ ସେହି ରାସ୍ତାରେ ଯାଉଥିବା ମାତାଜି ଜେନା ନାମକ ଜଣେ ମହିଳା ଝିଅର ଚିତ୍କାର ଶୁଣିଥିଲେ । ପର ଦିନ ଘରେ ଝିଅକୁ ନ ପାଇବାରୁ ମାତାଜି ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଖରସ୍ରୋତା ନଦୀରୁ ଏକ ଅଖା ଭିତରୁ କିଛି ପୋଡା ହାଡ଼ ଓ ପାଉଁଶ ଜବତ କରିଥିଲା । ପରେ ପିଡ଼ିତା ଝିଅର ବାପା ନକୁଳ ଜେନା ଓ ମା’ ସଞ୍ଜୁ ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣି କରିଛନ୍ତି ଆଡ଼ହକ ପୋକ୍ସୋ ଅଦାଲତ ।
୩୦ଜଣଙ୍କ ସାକ୍ଷ ପ୍ରମାଣକୁ ଗ୍ରହଣ କରି ଅଭିଯୁକ୍ତ ବାପା ଓ ମା’ଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କାର ଜରିମାନା ଶୁଣାଇଛନ୍ତି କୋର୍ଟ । ଏଥି ସହିତ ଅନାଦୟ ୬ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଡ଼ହକ ପୋକ୍ସୋ ବିଚାରପତି ବିଜୟ କୁମାର ଜେନା । ଏହି ମାମଲାକୁ ସରକାରୀ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରିଥିଲେ । ଏହି ହତ୍ୟାକାଣ୍ଡ ଘଟଣାରେ ଥିବା ସମସ୍ତ ସହଯୋଗୀଙ୍କୁ ମାନ୍ୟବର କୋର୍ଟ ନିର୍ଦୋଷରେ ଖଲାସ କରିଛନ୍ତି । କଣ ସତରେ ଏ ବାପା ମା’ଙ୍କୁ ଲୋକଲଜ୍ଜା ଭୟ ଲାଗିଲା । ଆଉ ଶେଷରେ ଏମିତି ନିଜ ଝିଅକୁ ମାରିଦେଲେ । ଏଭଳି ଘଟଣା ସତରେ ନିନ୍ଦନୀୟ ।
Also Read:ନିର୍ଗୁଣ୍ଡି ପୁରୁଣା ଟୋଲ ଗେଟ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତକୁ ଆଜୀବନ ଜେଲଦଣ୍ଡ