ଓଡିଶା ଭୋଗୁଛି ଆଳୁ ଦଶା : ଚାଷ ବେଳେ ଅଭାବୀ ବିକ୍ରି ଆଉ ତାପରେ କିଣି ଖାଉଛୁ

ପଶ୍ଚିବବଙ୍ଗର ଆଳୁ ଦୋଷ, ଦଶା ଭୋଗୁଛି ଓଡିଶା। ଓଡିଶା ସୀମାକୁ ବାରମ୍ବାର ଆଳୁ ଟ୍ରକ ଛାଡୁନି ଏହି ପଡୋଶୀ ରାଜ୍ୟ। ଫଳରେ ଓଡିଶାର ହାଣ୍ଡିଶାଳ ହଲଚଲ ହୋଇଯାଉଛି। ବଜାରରେ ଆଳୁ ଦର ବଢିଲେ ରୋଷେଇ ଶାଳରେ ଯେମିତି ନିଆଁ ଲାଗି ଯାଉଛି। ଚଢା ଦରରେ ଆଳୁ କିଣିବାକୁ ବାଧ୍ୟ ହେଉଛନ୍ତି ଗ୍ରାହକ। ଅନେକ କଟକଣା ସତ୍ତ୍ବେ ଆଳୁଦର ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ଗ୍ରାହକଙ୍କ ଉପରେ ସିଧାସଳଖ ପ୍ରହାର। ଲାଭବାନ ହେଉଛନ୍ତି ବ୍ୟବସାୟୀ। ମାତ୍ର କ୍ଷତି ସହୁଛନ୍ତି ଗ୍ରାହକ ଓ ଓଡିଶାର ଚାଷୀ। ବର୍ଷ ବର୍ଷ ଧରି ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରି ଆସୁଛି ଓଡିଶା। ପଶ୍ଚିମବଙ୍ଗରେ ଆଳୁ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଥାଏ। ବହୁଳ ଚାଷ ଦୃଷ୍ଟିରୁ ସେଠାରେ ଉତ୍ପାଦନ ମଧ୍ୟ ପ୍ରଚୁର ହୋଇଥାଏ । ଆମ ରାଜ୍ଯରେ ଏହାର ଠିକ ଓଲଟା। ଆଳୁ ଚାଷ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା ହୋଇନି। ଚାଷୀ ଙ୍କ ସମସ୍ଯା ଏଠି ଗୁରୁତ୍ବ ଦିଆଯାଇନଥାଏ। ଫଳରେ ଆମ ରାଜ୍ୟରେ ଧୀରେଧୀରେ ଆଳୁ ଚାଷ ହ୍ରାସ ପାଇ ଚାଲିଛି। ଚାଷୀମାନେ ବାରମ୍ବାର କ୍ଷତିଗ୍ରସ୍ତ ହେଉଛନ୍ତି। ପଡୋଶୀ ରାଜ୍ୟରୁ ଯେତେବେଳେ ଆଳୁ ଆସିବା ଯେବେ ବନ୍ଦ ହୋଇଯାଏ ଠିକ ସେତିକିବେଳେ ହିଁ ସରକାରୀ ସ୍ତରରେ ଓଡିଶାର ଆଳୁ ଉତ୍ପାଦନ କ୍ଷମତା ବୃଦ୍ଧି କରିବା,ଶୀତଳ ଭଣ୍ତାର ପ୍ରତିଷ୍ଠା ପାଇଁ ଆଲୋଚନା ପର୍ଯ୍ଯାଲୋଚନା ହୁଏ। ମାତ୍ର ଯେମିତି ପରିସ୍ଥିତିରେ ସୁଧାର ଆସିଯାଏ, ଆଳୁ ଚାଷୀଙ୍କ କଥା ସମସ୍ତେ ଭୁଲି ଯାଇଥାନ୍ତି।

ପ୍ରଶ୍ନ ଉଠୁଛି ଯଦି ପଶ୍ଚିମବଙ୍ଗ ରେ ଭଲ ଚାଷ ହେଉଛି ତେବେ ଓଡ଼ିଶାରେ କାହିଁକି ନୁହେଁ। ଓଡ଼ିଶା ଓ ପଶ୍ଚିମବଙ୍ଗ ହୁଏତ ଭୌଗୋଳିକ ସୀମା ଦୃଷ୍ଟିରୁ ହୁଏତ ଅଲଗା ହୋଇପାରେ । କିନ୍ତୁ ଉଭୟ ରାଜ୍ୟର ସୀମାନ୍ତ ଅଞ୍ଚଳରେ ସମାନ ଜଳବାୟୁ ସହ ଉର୍ବର ମାଟି ରହିଛି। ପ୍ରଭେଦ ଏତିକି ପଶ୍ଚିମବଙ୍ଗରେ ଆଳୁ ପ୍ରଚୁର ପରିମାଣରେ ଉତ୍ପାଦନ ହୁଏ । ଯାହା ଓଡ଼ିଶା ବଜାରରେ ବିକ୍ରି ହୁଏ। ପଶ୍ଚିମବଙ୍ଗରେ ଚାଷୀଙ୍କୁ ଉପଯୁକ୍ତ ସମୟରେ ଉନ୍ନତମାନର ବିହନ ଯୋଗାଇବା, ଉତ୍ପାଦନ ପରେ ନିର୍ଦ୍ଧାରିତ ଦରରେ କିଣିବା,ସଂରକ୍ଷଣ ପାଇଁ ଆବଶ୍ୟକ ମୁତାବକ ଶୀତଳ ଭଣ୍ତାରର ସୁବିଧା ରହିଛି। ଓଡିଶାରେ ସରକାରୀ ପ୍ରୋତ୍ସାହନ ଅଭାବ ଏବଂ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ସମାନ ଜଳବାୟୁରେ ମଧ୍ୟ ଆଳୁ ଚାଷ ହୋଇପାରୁନି। ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ଵର ଜିଲ୍ଲାରେ ଯେତିକି ଆଳୁ ଚାଷ ହୁଏ ତାହା ବଜାରର ଚାହିଦା ମେଣ୍ଟାଇବା ପାଇଁ ସକ୍ଷମ ନୁହେଁ।

ସଂରକ୍ଷଣ ଅଭାବରୁ ଖୁବ କମ୍ ଦାମରେ ପଶ୍ଚିମବଙ୍ଗ ବ୍ଯବସାୟୀଙ୍କୁ ଆଳୁ ବିକି ଦିଅନ୍ତି ବାଲେଶ୍ବର ଚାଷୀ। ସେହି ଆଳୁକୁ ପୁଣି ଅଧିକ ଦାମ ଦେଇ କିଣିଥାନ୍ତି ଓଡ଼ିଶାର ଗ୍ରାହକ। ବାଲେଶ୍ଵର ଜିଲ୍ଲାର ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ବସ୍ତା,ବାଲିଆପାଳ,ଜଳେଶ୍ଵର ଓ ଭୋଗରାଇ ବ୍ଲକରେ ଭଲ ଆଳୁ ଚାଷ ହୁଏ। ବସ୍ତା ବ୍ଲକ ରେ ସୀତାଡିହା, କରୁଆ, ରଘୁନାଥ ପୁର, ମାଛରଙ୍କା, ଗିଲା ଯୋଡ଼ି, ଗୋସେଇଁ ପାଟଣା, ପାଉଁଶ କୁଲି, ଗମ୍ଭାରିଆ, ତାଡଦା ଆଦି ଅଞ୍ଚଳରେ ଆଳୁ ଚାଷ କରାଯାଇଥାଏ। ଜଳେଶ୍ଵର ବ୍ଲକରେ ଗଡସାହି ବାଲିଆପାଳ, ଏକତାଳି, ଚାଲନ୍ତି, ଜମାଳପୁର ଅଞ୍ଚଳରେ ଭଲ ଆଳୁ ଚାଷ ହୁଏ। ସେହିପରି ଭୋଗରାଇ ବ୍ଲକରେ ନାରାୟଣ ମହାନ୍ତି ପଡିଆ , ଶ୍ରଦ୍ଧାପୁର, ଆରୁହା ବୃତ୍ତି, ରଣସିଂହପୁର ଓ କାନ୍ଥି ଭଉଁରୀ ଅଞ୍ଚଳରେ ଆଳୁ ଚାଷ ହୁଏ। ବାଲିଆପାଳ ବ୍ଲକରେ ନିଖିରା , କୁମ୍ଭାରୀ, ଅସ୍ତୀ, ବିଷ୍ଣୁପୁର, ବାଲିଆପାଳ , ଚୌମୁଖ , ଡଗରା, ବେତ ଗଡିଆ, ନୂଆଁ ଗାଁ, ଜମ୍ଭିରାଇ ଆଦି ଅଞ୍ଚଳରେ ଭଲ ଆଳୁ ଚାଷ ହୋଇଥାଏ।

ପ୍ରତିବର୍ଷ ବାଲେଶ୍ଵର ଜିଲ୍ଲାର ୪ଟି ବ୍ଲକର ଚାଷୀ ପିଢି ପରେ ପିଢି ଆଳୁ ଚାଷ କରି ଆସୁଛନ୍ତି। ଏଠାକାର ଚାଷୀ ଆଳୁ ଚାଷୀ କିନ୍ତୁ ସେଭଳି ଆଖି ଦୃଷ୍ଟିଆ ଲାଭ ପାଇ ପାରୁନାହାନ୍ତି। ସ୍ଥାନୀୟ ଚାଷୀଙ୍କୁ ସଠିକ ସମୟରେ ବିହନ ଯୋଗାଇ ଦିଆଯାଉନି। ବିଳମ୍ବ ରେ ଯେଉଁ ବିହନ ଆସୁଛି ତାହା ଅତ୍ଯନ୍ତ ନିମ୍ନମାନର ବୋଲି ବୋଲି ଚାଷୀଙ୍କ ଅଭିଯୋଗ । ସଠିକ ସମୟରେ ବିହନ ମିଳୁ ନଥିବାରୁ ଚାଷ କାର୍ଯ୍ୟରେ ବିଳମ୍ବ ହୁଏ। ଆଶାନୁରୂପ ଉତ୍ପାଦନ ମଧ୍ଯ ହୁଏନି। ମୁଖ୍ୟତଃ ଅକ୍ଟୋବର ୧୫ ରୁ ଡିସେମ୍ବର ଆଳୁ ଚାଷ ପାଇଁ ଅନୁକୂଳ ସମୟ । ଏହି ସମୟରେ ଶୀତପଡିବା ସହ ଆଳୁ ଚାଷରେ ରୋଗ ପୋକ କମ ଦେଖାଯାଏ। ବିଳମ୍ବ ଚାଷ ଯୋଗୁଁ ଆଳୁ ଚାଷ ପାଇଁ ଦରକାର ପାଣିପାଗ ବଦଳି ଯାଇଥାଏ। ଆଳୁ ଚାଷ ପାଇଁ ସ୍ବତନ୍ତ୍ର ନୀତି ଏଯାଏଁ ପ୍ରସ୍ତୁତ ହୋଇନି। କିଛିଦିନ ପୂର୍ବରୁ ବାଲିଆପାଳ ବ୍ଲକରେ ଚାଷୀଙ୍କ ପାଇଁ ଉଦ୍ଯାନ ବିଭାଗ ପକ୍ଷରୁ ୩୪୦ କ୍ବିଣ୍ଟାଲ ଆଳୁ ବିହନ ଆସିଥିଲା। ସେଥିରୁ ଅଧିକାଂଶ ପଚିଗଲା। ଅନେକ ବସ୍ତାରେ ବଡ ସାଇଜର ଆଳୁ ଥିଲା। ଯାହା ବିହନ ପାଇଁ ଆଦୌ ଉପଯୋଗୀ ନୁହେଁ। ଏନେଇ ବାଲିଆପାଳ ସହକାରୀ ଉଦ୍ଯାନ କୃଷି ଅଧିକାରୀଙ୍କ କାର୍ଯ୍ଯାଳୟରେ ଶତାଧିକ ଚାଷୀ ଆନ୍ଦୋଳନ କରିଥିଲା। ଏବର୍ଷ ବାଲେଶ୍ବର ଜିଲ୍ଲାରେ ଉଦ୍ଯାନ ବିଭାଗ ପକ୍ଷରୁ ଚାଷୀଙ୍କୁ ୩୦୦ ହେକ୍ଟର ଜମିରେ ଚାଷ ପାଇଁ ମୋଟ ୩, ୯୦୦ କ୍ବିଣ୍ଟାଲ ବିହନ ଯୋଗାଇ ଦିଆ ଯାଇଛି। ବାଲିଆପାଳରେ ୪୦ ହେକ୍ଟର ଜମି ପାଇଁ ୫୦୦ କ୍ବିଣ୍ଟାଲ, ବସ୍ତାରେ ୯୫ ହେକ୍ଟର ପାଇଁ ୯୦୦ କ୍ବିଣ୍ଟାଲ , ଭୋଗରାଇରେ ୪୦ ହେକ୍ଟର ପାଇଁ ୧୭୦ କ୍ବିଣ୍ଟାଲ, ଜଳେଶ୍ବରରେ ୪୦ ହେକ୍ଟର ପାଇଁ ୩୨୦ କ୍ବିଣ୍ଟାଲ ବିହନ ଦିଆଯାଇଛି। ଠିକ ସମୟରେ ବିହନ ପହଞ୍ଚି ନଥିବାରୁ ଚାଷୀ ବାଧ୍ଯ ହୋଇ ଅଧିକ ଦାମରେ ପଶ୍ଚିମବଙ୍ଗରୁ ବିହନ ଆଣି ଚାଷ କରିଥିବା କହିଛନ୍ତି।

ଆଳୁ ଦ୍ଵାରା ନା ଚାଷୀ ଲାଭବାନ ହୋଇପାରୁଛନ୍ତି ନା ସରକାରଙ୍କ ଉଦ୍ଦେଶ୍ୟ ସାଧନ ହୋଇପାରୁଛି। ବାଲେଶ୍ଵର ଜିଲ୍ଲାର ୪ଟି ବ୍ଲକ ରେ ୨୦୨୧- ୨୨ରେ ୧୧୦ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରଖା ଯାଇଥିଲା। ୨୦୨୨-୨୩ରେ ୧୫୦ ହେକ୍ଟର , ୨୦୨୩-୨୪ରେ ୪୦ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ୩୦୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ଆଳୁ ଚାଷୀଙ୍କୁ ଉନ୍ନତ ଜ୍ଞାନକୌଶଳ ପ୍ରଦାନ ସହ ବିଭିନ୍ନ ସହାୟତା ଯୋଗାଇ ଦେବା ସମୟ ଆସିଛି । ଆଳୁ ଚାଷରେ ଓଡିଶା କେବେ ବଳକା ରାଜ୍ୟ ଭାବେ ପରିଗଣିତ ହେବ ? ଶୀତଳ ଭଣ୍ଡାରରେ ସଂରକ୍ଷଣ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକ ରହିଛି। ସେପଟେ ବାଲେଶ୍ବର ଜିଲ୍ଲା ଉପ ଉଦ୍ଯାନ କୃଷି ନିର୍ଦ୍ଦେଶକ କହିଛନ୍ତିଯେ, ଆଳୁ ଉତ୍ପାଦନ ଓ ସଂରକ୍ଷଣକୁ ନୂଆ ସରକାର ଗୁରୁତ୍ବ ଦେଇଛନ୍ତି। ଆସନ୍ତା ୫ ବର୍ଷରେ ଆଳୁ ଚାଷରେ ରାଜ୍ଯକୁ ସ୍ବାବଲମ୍ବୀ କରିବା ସରକାରଙ୍କ ଯୋଜନା ରହିଛି। ଏବର୍ଷ ଚାଷୀଙ୍କୁ ଠିକ ସମୟରେ ବିହନ ଯୋଗାଇ ଦିଆ ଯିବା ସହ ସଂରକ୍ଷଣ ପାଇଁ ପ୍ରତି ସବଡିଭିଜନରେ ଶୀତଳ ଭଣ୍ତାର ଖୋଲାଯିବ।

ବାଲେଶ୍ବର ଜଳେଶ୍ବରରୁ ରାଧାଗୋବିନ୍ଦ ଦାସ