ରୋଗୀ ଉପରେ ଚଢ଼ି ତାଙ୍କ ଖାଦ୍ୟ ଖାଇଦେଉଛନ୍ତି ମୂଷା, ମେଡିକାଲରେ ଲୋକଙ୍କୁ କରୁଛନ୍ତି ନାକେଦମ୍‌

କୋରାପୁଟ : ଯୁଆଡେ ଦେଖିବ ସିଆଡେ ମୂଷା । ଖାଲି ଏପଟ ସେପଟ ହୋଇ ଦୌଡୁଛନ୍ତି । କେତେବେଳେ ଲୋକଙ୍କ ଉପରେ ବି ମାଡି ବସୁଛନ୍ତି । ଏତେ ସଂଖ୍ୟକ ମୂଷା ଯେ ଲୋକେ ବି ଦେଖି ଛାନିଆ । ଆଜ୍ଞା ଦେଖନ୍ତୁ ଏଠି କେମିତି ଲୋକଙ୍କ ଭିତରେ ମୂଷା ମାନେ ବେଧକଡ ବୁଲୁଛନ୍ତି । ନା ଅଛି ଡର ନା ଅଛି ଭୟ । ଏହା କୌଣସି ଗୋଦାମ ଗୃହ ନୁହେଁ କି ପରିତ୍ୟକ୍ତ ସ୍ଥାନ ନୁହେଁ । ଏ ହେଉଛି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲ ଭିତରର ଦୃଶ୍ୟ । ଶିଶୁ ଓ ମାତୃ ବିଭାଗ ୱ୍ବାର୍ଡର ଦୃଶ୍ୟ । ୱ୍ବାର୍ଡ ଭିତରେ ରୋଗୀମାନେ ଥିବା ସତ୍ବେ ଏହି ବେଡରୁ ସେହି ବେଡକୁ ପଲ୍ଲ ପଲ୍ଲ ମୂଷା ବେଧଡକ ଘୁରି ବୁଲୁଛନ୍ତି । ଲୋକଙ୍କ ଉପସ୍ଥିତିର ପ୍ରଭାବ ଟିକେ ହେଲେ ବି ମୂଷାଙ୍କ ଉପରେ ପଡୁନାହିଁ । ଆଉ ସାମାନ୍ୟ ଅନ୍ଧାର ହେଲେ ତ ପରିସ୍ଥିତି ବିଷମ ହୋଇ ପଡୁଛି । ଖାଦ୍ୟ ଖାଇବା ଆଳରେ ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ କାମୁଡୁଛି । ଫଳରେ କୋରାପୁଟ ବଡ ମେଡିକାଲକୁ ଆସୁଥିବା ରୋଗୀ ମାନେ ମୂଷାକୁ ନେଇ ଭୟଭୀତ ହୋଇପଡିଛନ୍ତି ।

ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫ ଲାଇନ ହେଉଛି ସହିଦ ଲକ୍ଷ୍ମଣ ନାୟକ ମାଡିକାଲ କଲେଜ ହସପିଟାଲ । କୋରାପୁଟ ସମେତ ରାୟଗଡା, ମାଲକାନଗିରି ନବରଂଗପୁର ଜିଲ୍ଲା ଭଳି ଆଦିବାସୀ ବହୁଳ ଜିଲ୍ଲାର ଲୋକଙ୍କ ନିକଟରେ ଉନ୍ନତ ସ୍ବାସ୍ଥ୍ୟ ସେବା ପହଂଚାଇବା ସକାଶେ ଆରମ୍ଭ ହୋଇଥିଲା ଉଦ୍ୟମ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ୨୦୧୭ ମସିହାରେ ମେଡିକାଲ କଲେଜ ଓ ହସପିଟାଲ ଆରମ୍ଭ ହେଲା । ଚିକିତ୍ସା ସକାଶେ ଦୈନିକ ଶହ ଶହ ରୋଗୀ ଏଠାକୁ ଆସୁଛନ୍ତି । ହସପିଟାଲ ଚାରିପଟେ ଜମି, ଜଙ୍ଗଲ ଓ ଡଙ୍ଗର ରହିଛି । ଏଠାରେ ପ୍ରଵଳ ପରିମାଣରେ ମୂଷା ରହିଛନ୍ତି । ମେଡିକାଲରେ ରୋଗୀଙ୍କୁ ଦିଆଯାଉଥୁବା କ୍ଷୀର , ପାଉଁରୁଟି , ଅଣ୍ଡା ଭଳି ଖାଦ୍ୟ ମୂଷାଙ୍କ ପ୍ରମୁଖ ଆହାର ପାଲଟିଛି । ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଖାଇବା ଲୋଭରେ ଚାରିପଟରେ ମୂଷା ଏବେ ବଡ ମେଡିକାଲରେ । ହସପିଟାଲ ପରିସରରେ ମୂଷାଙ୍କ ମେଳି ହୋଇଛି। ମୂଷା ଉପଦ୍ରବକୁ ନେଇ ଭୟରେ ଅଛନ୍ତି ହସପିଟାଲକୁ ଆସୁଥୁବା ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ।

ହସପିଟାଲରେ ବ୍ୟାପକ ସଚେତନତା ଓ ଶୃଙ୍ଖଳାର ଅଭାବ ରହିଥିବା ଦୃଷ୍ଟିଗୋଚର ହେଉଛି । ହସପିଟାଲ କତୃପକ୍ଷଙ୍କ ଉଦ୍ୟମ ସତ୍ବେ ହସପିଟାଲରେ ଭତ୍ତି ହୋଇଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସଚେତନତା ଓ ଦାୟିତ୍ବହୀନତା ଯୋଗୁଁ ପରିବେଶ ଅପରିସ୍କାର ହେଉଛି । ଏଣେ ତେଣେ ଫୋପାଡି ଦେଉଛନ୍ତି ଖାଦ୍ୟର ବଳକା ଅଂଶ ।ଏଥିଯୋଗୁଁ କୋରାପୁଟ ବଡ ମେଡିକାଲରେ ଫିନକୁ ଦିନ ମୂଷାଙ୍କ ଉତ୍ପାତ ବଢୁଥୁବା ଜଣା ପଡିଛି । ୱ୍ବାର୍ଡ ଏବଂ ରୋଗୀଙ୍କ ବେଡ ଚାରିପଟର ସ୍ବଛତା ପ୍ରତି ଧ୍ୟାନ ଦିଆଯାଉ ନଥିବା ମଧ୍ୟ ମୂଷାଙ୍କ ପ୍ରାଦୁର୍ଭାବର ଏକ କାରଣ । ହସପିଟାଲ କର୍ତ୍ତୃପକ୍ଷଙ୍କ ବାରମ୍ବାର ସଚେତନତା ପରେ ବି ରୋଗୀ ଓ ସମ୍ପର୍କୀୟ ନିୟମକୁ ମାନୁ ନଥିବା ସେମାନେ ପାଲଟା ଅଭିଯୋଗ କରିଛନ୍ତି ।

ହସପିଟାଲ ପରିସରରୁ ମୂଷାକୁ ନିପାତ କରିବା ପାଇଁ ବିଳମ୍ବ ହେଉ ପଛେ ବଡମେଡିକାଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମୂଷା ଧରା ଅପରେସନ ଆରମ୍ଭ ହୋଇଛି। ହସପିଟାଲ ପରିସରରେ ମୂଷା କରିଥିବା ଗାତ ଗୁଡିକୁ ଠାବ କରାଯାଇଛି । ଗାତ ନିକଟରେ ଛୋଟ ଛୋଟ ଯନ୍ତା ବସାଇ ମୂଷାକୁ ଧରିବା ପାଇଁ ଉଦ୍ୟମ କରାଯାଉଛି । ଏ ଦିଗରେ ଜିଲ୍ଲାପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷ ସ୍ଥାୟୀ ପ୍ରତିକାର କରିବା ଆବଶ୍ୟକତା ରହିଛି । ଅପରପକ୍ଷେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ମଧ୍ୟ ବ୍ୟାପକ ସଚେତନତା କରିବାର ଆବଶ୍ୟକତା ରହିଛି ।