ଏକ ଖୁନୀ ଗୁଣ୍ଡୁଚି ପୂରା ସହରରେ ଲଗାଇ ଦେଇଥିଲା ‘ଲକ୍‌ଡାଉନ’! ଆତଙ୍କିତ ଅବସ୍ଥାରେ ଲୁଚି ରହିଥିଲେ ଲୋକେ; ଜାଣନ୍ତୁ କ’ଣ ଥିଲା ମାମଲା

ଦୁନିଆରେ କରୋନା ଭାଇରସ୍ ପୁଣିଥରେ ବ୍ୟାପିବା ଆରମ୍ଭ କରିଛି। ଏଥର ଓମିକ୍ରନ୍ ଲୋକଙ୍କୁ ଭୟଭୀତ କରାଇ ରଖିଛି। ଯେଉଁମାନଙ୍କୁ ଟିକା ଲାଗି ସାରିଛି, ସେମାନେ ମଧ୍ୟ ଏହି ଭାଇରସ୍‌ରେ ସଂକ୍ରମିତ ହେଉଛନ୍ତି। କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ କେବଳ ଆବଶ୍ୟକ ପଡ଼ିଲେ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ଲୋକମାନେ ନିଜର ଏନ୍‌ଜୟମେଣ୍ଟ ପାଇଁ ମଧ୍ୟ ବାହାରକୁ ଯିବାକୁ କୁଣ୍ଠାବୋଧ କରୁ ନାହାନ୍ତି। ତେବେ ଏହାରି ଭିତରେ ଖବର ଆସିଛି କି, ଇଂଲଣ୍ଡର ୱେଲ୍ସ ଜେ ଫ୍ଲିଣ୍ଟସାୟରର ବଖଲେ ଟାଉନରେ ଖ୍ରୀଷ୍ଟମାସ ସେଲିବ୍ରେଶନ ଚାଲିଥିବା ବେଳେ ଲୋକେ ଘର ଭିତରେ କଏଦ ଥିଲେ। ଲୋକମାନେ କରୋନା କାରଣରୁ ନୁହେଁ, ବରଂ ଏକ ଗୁଣ୍ଡୁଚି ମୂଷା ଯୋଗୁ ଘର ଭିତରେ ଲୁଚିକି ରହିଥିଲେ।

ସୂଚନା ଅନୁଯାୟୀ, ଏହି ଗୁଣ୍ଡୁଚି ୧୮ ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛି। ଏ ସମସ୍ତ ଲୋକ ଗୁଣ୍ଡୁଚି ଆକ୍ରମଣରେ ଲହୁଲୁହାଣ ହୋଇ ଯାଇଥିଲେ। ଲୋକମାନେ ଗୁଣ୍ଡୁଚି ଯୋଗୁ ଏତେ ଭୟଭୀତ ଅବସ୍ଥାରେ ରହିଥିଲେ ଯେ ସେମାନେ ଘରୁ ବାହାରକୁ ସୁଦ୍ଧା ଆସୁ ନ ଥିଲେ। ଏହି ଖୁନୀ ଗୁଣ୍ଡୁଚି ଆତଙ୍କର ଶିକାର ହୋଇଥିବା ୨୯ ବର୍ଷୀୟା କୋଲଙ୍କ ମା’ କହିଛନ୍ତି ଯେ ହଠାତ୍ ଏହି ଗୁଣ୍ଡୁଚି ତାଙ୍କ ଝିଅ ଉପରକୁ କୁଦି ପଡ଼ିଥିଲା। ଏହାପରେ ସେ କୋଲ୍‌ଙ୍କ ହାତକୁ ତିନି ଥର କାମୁଡ଼ିଥିଲା। କୋଲଙ୍କ ଉପରେ ଆକ୍ରମଣ ପରେ ଗୁଣ୍ଡୁଚି ତାଙ୍କ ମା’ଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା।

ଅନେକ ଲୋକଙ୍କ ଉପରେ ଆକ୍ରମଣ

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏହି ଗୁଣ୍ଡୁଚି ୧୮ଜଣ ଲୋକଙ୍କୁ ଆକ୍ରମଣ କରିଛି। ଖ୍ରୀଷ୍ଟମାସ ଉତ୍ସବ ଭିତରେ ଏହା ଲୋକଙ୍କୁ ଘରେ ବନ୍ଦୀ ରହିବାକୁ ଏକଦମ୍‌ ବାଧ୍ୟ କରି ଦେଇଥିଲା। ଲୋକେ ଖ୍ରୀଷ୍ଟମାସରେ ଟିଟାନସ୍ ଇଞ୍ଜେକ୍ସନ ନେବା ପାଇଁ ଡାକ୍ତରଙ୍କ ପାଖକୁ ଦୌଡ଼ୁ ଥିଲେ। ଗୁଣ୍ଡୁଚି ଆକ୍ରମଣରେ ଲୋକମାନେ ଏତେ ଭୟଭୀତ ହୋଇ ଯାଇଥିଲେ ଯେ ସେମାନେ ୧୦ ହଜାର ଟଙ୍କା ଜମା କରିଥିଲେ ଏବଂ ଗୁଣ୍ଡୁଚିକୁ ଧରିବା ପାଇଁ ଲୋକ ଯୋଗାଡ଼ କରିଥିଲେ। ଏହି ଲୋକମାନେ ପିଞ୍ଜରା ଧରି ଗୁଣ୍ଡୁଚିକୁ ଧରିବାକୁ ଚେଷ୍ଟା ଚଳାଇଥିଲେ।

ଗୁଣ୍ଡୁଚି ଧରିବା ପାଇଁ ଆସିଥିବା ଦଳ ଉପରେ ମଧ୍ୟ ଗୁଣ୍ଡୁଚି ଆକ୍ରମଣ କରିଥିଲା। ଦଳର ଜଣେ ସଦସ୍ୟ ନିଜ ହାତ ଦେଖାଇ ଲୋକଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ସେ ଏହା ମାଧ୍ୟମରେ ଦେଖାଇବାକୁ ଚାହିଁଛନ୍ତି କି, କିପରି ଗୁଣ୍ଡୁଚିଟି ତାଙ୍କୁ ବି ଲହୁଲହାଣ କରି ଦେଇଥିଲା। ଶେଷରେ କଠିନ ପରିଶ୍ରମ ପରେ ଟିମ୍‌ ଗୁଣ୍ଡୁଚିକୁ ଧରି ପିଞ୍ଜରାରେ ବନ୍ଦ କରିବାରେ ସଫଳ ହୋଇଥିଲା। ଗୁଣ୍ଡୁଚି ଧରା ପଡ଼ିବା ପରେ ଲୋକମାନେ ଦୀର୍ଘ ନିଃଶ୍ୱାସ ନେଇଥିଲେ।