ମନରୁ ଧୀରେ ଧୀରେ ଲିଭୁଛି କରୋନା ଭୟ, ସୁଧୁରିବା ପରିବର୍ତ୍ତେ ବିଗିଡି ଯିବ କି ପରିସ୍ଥିତି !

ଜାନୁଆରୀ ମାସରେ ଚୀନରେ ଆରମ୍ଭ ହୋଇଥିବା କରୋନା ଭୂତାଣୁ ଆଜି ସାରା ପୃଥିବୀରେ ମହାମାରୀ ହୋଇ ବ୍ୟାପୀ ଯାଇଛି । ଏବେ ପ୍ରତ୍ୟେକ ସହର ଏବଂ ଗଳି ଗଳିରେ ଏହି ଭୁତାଣୁ ନିଜର କାୟା ବିସ୍ତାର କରିସାରିଲାଣି ।ଏହି ଭୂତାଣୁର କବଳରୁ ବର୍ତ୍ତିବା ପାଇଁ ଏକ ମାତ୍ର ଅସ୍ତ୍ର ଭାବେ ଆମ ପାଖରେ କେବଳ ଗୋଟିଏ ହିଁ ବାର୍ତ୍ତା ରହିଛି “ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ” । ହେଲେ ବିଡ଼ମ୍ବନାର ବିଷୟ ଏହା ଯେ, କରୋନା ଆରମ୍ଭରୁ ଆମେ ଯେତିକି ସତର୍କତା ଅବଲମ୍ବନ କରୁଥିଲେ ଧୀରେ ଧୀରେ ଏହା କମିବାକୁ ଲାଗିଲାଣି । ହୁସିଆର ହେବା ଅପେକ୍ଷା ଆମେ ଅଧିକ ବେହୁସିଆର ହୋଇ ପୁରା ନିର୍ଦ୍ୱନ୍ଦରେ ବୁଲୁଛେ କିନ୍ତୁ ଭୁଲିଯାଇଛେ ଯେ କରୋନା ଏବେ ଆମ ଘର ଦୁଆର ମୁହଁରେ ଆସି ପହଂଚି ସାରିଲାଣି । ଏକାନ୍ତବାସ, ସଂଗରୋଧ ଓ ସାମାଜିକ ଦୂରତ୍ୱ ଭଳି କିଛି ଶବ୍ଦ ଏବେ ଆମ ଦେହସୁହା ହୋଇଗଲାଣି ହୁଏତ ସେଥିପାଇଁ ଆମେ ଏବେ ସମସ୍ତେ ବେହୁସିଆର । କିନ୍ତୁ ଏବେକା ସମୟ ପୂର୍ବାପେକ୍ଷା ଜଟିଳ ସ୍ଥିତିରେ ଅଛି ।
କିନ୍ତୁ କାହିଁକି ଆମେ ସମସ୍ତେ ଆଗଭଳି ଆଉ ସତର୍କ ନୁହନ୍ତି । ଆସନ୍ତୁ ଟିକେ ଇତିହାସର କଥାକୁ ମନେପକେଇବା ଇତିହାସ ଆମକୁ ଅନେକ କଥା ଶିଖାଏ। ତାକୁ ଆଖି ବୁଜି ଦେଲେ ଆମେ ନିଜେ ନିଜ ଧ୍ବଂସର କାରଣ ହେବା ଏଥିରେ କୌଣସି ସନ୍ଦେହ ନାହିଁ । ଏହାର ଏକ ବଡ ଉଦାହରଣ ହେଉଛି ୧୯୧୮ ମସିହାର ସ୍ପାନିଶ ଫ୍ଲୁ ବା ଇନଫ୍ଲୁଏଞ୍ଜା । ୧୯୧୮-୨୦ରେ ଏହି ମହାମାରୀ ପୃଥିବୀର ୫୦ କୋଟି ଲୋକଙ୍କୁ ସଂକ୍ରମିତ ହୋଇଥିଲା ଓ ସେଥିରେ ପ୍ରାୟ ପାଞ୍ଚ କୋଟି ଲୋକ ପ୍ରାଣ ହରାଇଥିଲେ । ଆମ ପରିସ୍ଥିତି ଏବେ ଠିକ ସେମିତି କରୋନାରେ ମୃତ୍ୟୁହାର କମ୍ ସହ ସୁସ୍ଥ ହେବା ହାର ଅଧିକ ଥିଲେ ବି ସଂକ୍ରମଣ ସଂଖ୍ୟା ବଢୁଛି । ୧୫ ଦିନ ତଳେ ଦିନକୁ ୩ ହଜାର କୋଭିଡ-୧୯ ସଂକ୍ରମିତ ବାହାରୁଥିବା ବେଳେ ଏବେ ଦିନକୁ ୧୦ ହଜାର ସଂକ୍ରମିତ ହୋଇଥିବା ନେଇ ଖବର ଆସୁଛି । ତଥାପି ଆମେ ଆଜି ସତର୍କ ହେଉନାହାନ୍ତି ଲକ ଡାଉନ, ସଟ ଡାଉନର ଉଦ୍ଧେଶ୍ୟକୁ ବୁଝି ପାରୁନାହାଁନ୍ତି । ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେବା ଅପେକ୍ଷା ଆମେ ରାସ୍ତାଘାଟ ବଜାରରେ ଆହୁରି ଭିଡ ଜମାଉ ଛନ୍ତି ଏହାଦ୍ୱାରା ଭୁଲିଯାଉଛନ୍ତି ଯେ, ଗୋଷ୍ଠୀ ସଂକ୍ରମଣର ଭୟାବହତା କେତେ ଯେ ବିପଦ ଆଣିପାରେ ।
ପ୍ରଗତିଶୀଳ ରାଷ୍ଟ୍ରମାନେ ଯେତେବେଳେ ହାର ମାନି ସାରିଲେଣି ସେଠି ଭାରତର ଅବସ୍ଥା ଆହୁରି ସାଙ୍ଘାତିକ ହେଇପାରେ । ଆମେ ସମସ୍ତେ ବୁଝିବା ଆବଶ୍ୟକ ଯଦି ଆମେ କିଛି ବି ଭୁଲ କରିବା, ତା’ହେଲେ ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ରୂପ ନେବ । ଅନେକ ଦେଶ ଏବେ ବି କରୋନାକୁ ମୁକାବିଲା କରିବା ପାଇଁ ଆରମ୍ଭ କରିଥିବା ଯୁଦ୍ଧର ପ୍ରଥମ ପ୍ରୟାସରେ ରହିଛନ୍ତି। ପ୍ରଥମ ପ୍ରୟାସକୁ ଦେଖି ଆମେ ଯଦି ଭାବିବା ଯେ କରୋନା ନିୟନ୍ତ୍ରଣକୁ ଆସିଯାଇଛି, ତା’ହେଲେ ଏହା ଆଦୌ ଠିକ ନୁହେଁ । ଦେଶରେ ଗତ ୨ ମାସରୁ ଅଧିକ ସମୟ ଧରି ଲକଡାଉନ୍ ଜାରି ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, କରୋନା ଲଢେଇ ହେଉଛି ଏକ ଦୀର୍ଘ ଲଢେଇ । ଏହି ମାରାତ୍ମକ ଭାଇରସର ଭାକସିନ୍ ଏବେ ସୁଦ୍ଧା ବାହାରି ନାହିଁ । ତେଣୁ ଏହାର ଭାକସିନ୍ ନବାହାରିବା ଯାଏଁ ଆମମାନଙ୍କୁ ସତର୍କ ରହିବାକୁ ହେବ । ଆଗକୁ ମୌସୁମୀ ଆସୁଛି । ଏହାକୁ ନଜରରେ ରଖି ଜୁନ ମାସ ହେଉଛି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।ଏହି ମାସରେ ଆମ ରାଜ୍ୟରେ ରଜ ଏବଂ ଅନ୍ୟାନ୍ୟ ଗଣପର୍ବ ପାଳିତ ହୁଏ ଯଦି ଆମେମାନେ ଟିକେ ସଚେତନ ନ ରହିବା ତାହେଲେ ଆମପାଇଁ ଏବଂ ଅମରାଜ୍ୟ ପାଇଁ ପରିସ୍ଥିତି ଆହୁରି ସଙ୍ଗୀନ ହୋଇଯିବ ।
ମହାମାରୀ କରୋନା ଭାଇରସର ସଂକ୍ରମଣ କମିଲେ ମଧ୍ୟ ବିଶ୍ୱରେ ଏହା ଅନେକ ଦିନ ଧରି ଆମ ସହ ରହିବ। ତେଣୁ କେହି ବି କିଛି ଭୁଲ କରନ୍ତୁ ନାହିଁ ବୋଲି “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ” ପକ୍ଷରୁ ସବୁ ରାଷ୍ଟ୍ରକୁ ସତର୍କ କରାଯାଇଛି । ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ କହିଛନ୍ତି, ଯେଉଁ ଦେଶଗୁଡ଼ିକ ଭାବୁଛନ୍ତି ଯେ ସେମାନେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରି ନେଇଛନ୍ତି, ସେମାନେ ଭୁଲ ଭାବୁଛନ୍ତି । କାରଣ କରୋନା ଆମ ସହ ବହୁ ଦିନ ଯାଏ ରହିବ। ତେଣୁ ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ । ଆଫ୍ରିକା,କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକା ଏବଂ ଇଷ୍ଟର୍ଣ୍ଣ ୟୁରୋପରେ କରୋନା ସଂକ୍ରମଣ ଘାତକ ଭାବେ ବଢ଼ିଚାଲିଛି । ଏହା ଏକ ଚିନ୍ତାର ବିଷୟ । ବିଶ୍ୱ ସଂଗଠନ ଅଧ୍ୟକ୍ଷଙ୍କ ଅନୁଯାୟୀ, ଏବେ ପ୍ରତିଟି ରାଷ୍ଟ୍ର କରୋନା ଲଢେଇର ପ୍ରଥମ ପାହାଚରେ ହିଁ ଅଛନ୍ତି ।