ଆଜି ପ୍ରଥମାଷ୍ଟମୀ: ଘରେ ଘରେ ଏଣ୍ଡୁରୀର ବାସ୍ନା, ଜାଣନ୍ତୁ ପ୍ରଥମାଷ୍ଟମୀ ପର୍ବର ରୀତିନୀତି

ଆଜି ମାର୍ଗଶୀର ମାସ ଅଷ୍ଟମୀ । ଯାହା ଓଡ଼ିଶାରେ ପ୍ରଥମାଷ୍ଟମୀ ଭାବରେ ପରିଚିତ । ଆଉ ଏହାକୁ ବେଶ ଭଲ ଭାବରେ ପାଳିଥାନ୍ତି ପ୍ରତ୍ୟେକଟି ଓଡ଼ିଆ । ଏଥିପାଇଁ ବେଶ ଚଳଚଞ୍ଚଳ ଗାଁ ଠୁ ସହର । ଏହି ଦିନ ନୂଆ ପୋଷାକ ସାଙ୍ଗକୁ ଏଣ୍ଡୁରୀ ପିଠାର ମହକରେ ମହକି ଉଠେ ପ୍ରତ୍ୟେକ ଓଡ଼ିଆଙ୍କ ଘର । ମହିଳାମାନଙ୍କ ଦ୍ୱାରା ଶିଳରେ ଭଲ ଭାବରେ ବଟାଯାଇ ପ୍ରସ୍ତୁତ କରାଯାଉଛି ଓଡ଼ିଆଣିର ସେହି ପ୍ରିୟ ଏଣ୍ଡୁରୀ ପିଠାର ପିଠଉ । ଏଣ୍ଡୁରି ପିଠା ପ୍ରଥମାଷ୍ଟମୀର ବିଶେଷତ୍ୱ । ଏହି ପିଠା ପାଇଁ ବ୍ୟବହାର କରାଯାଏ ହଳଦୀପତ୍ର । ଅନ୍ୟ କୌଣସି ପର୍ବରେ ହଳଦୀ ପତ୍ର ବ୍ୟବହୃତ ହୁଏନାହିଁ ।

କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀପତ୍ରର ବ୍ୟବହାର କରାଯାଏ । ଛେନା ପୁରରେ ପ୍ରସ୍ତୁତ ହୋଇଥିବା ଏହି ଏଣ୍ଡୂରୀ ପିଠାର ମହକରେ ସତେ ଯେମିତି ପୁରି ଉଠୁଛି ଘର ପରିବେଶ । ଏମିତି ଏକ ପରିବେଶ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ସାନପୁଟ ଗ୍ରାମରେ । ପିଠା ପ୍ରସ୍ତୁତ ହେବା ପରେ ବୃନ୍ଦାବତୀଙ୍କ ନିକଟରେ ପିଢାପଟା ପକାଯାଇ ଘରର ବଡ଼ମାନଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ଚନ୍ଦନ ସିନ୍ଦୁରରେ ସୁନ୍ଦର ଭାବରେ ସଜ୍ଜାଯାଇ ବସାଯାଇଥାଏ । ଏହା ପରେ ଦୁବ ବରକୋଳି ପତ୍ରରେ ଘରର ବଡ଼ମାନଙ୍କୁ ବନ୍ଦାପନା କରିଥାନ୍ତି ଘରର ମହିଳାମାନେ ।

ପରମ୍ପରା ଅନୁଯାୟୀ, ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁଁଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଉଣୀ ଘରକୁ ଯାଇ ଭଣଜା ଭାଣିଜୀକୁ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ‘ଅଷ୍ଟମୀ ବନ୍ଧୁ’ ବୋଲି କୁହାଯାଏ । ତେବେ ପ୍ରତି ପୂଜା ପାର୍ବଣ କାହାର ନା କାହାର ସମ୍ମାନ ପାଇଁ କରାଯାଇଥାଏ ଠିକ୍ ସେହିଭଳି ପ୍ରଥମାଷ୍ଟମୀକୁ ଘରର ବଡ଼ମାନଙ୍କୁ ସେମାନଙ୍କର ବଡ଼ ହେବାର ଅଧିକାର ପାଇଁ ପୂଜାର୍ଚ୍ଚନା କରାଯାଇଥାଏ । ନିଜ ପରମ୍ପରାକୁ ନେଇ ଗର୍ବ କରେ ଓଡ଼ିଆ । ତେଣୁ ପ୍ରତି ମାସରେ ପାଳିଥାଏ କିଛି ନା କିଛି ପର୍ବ ।

ଏଇ ଯେମିତି ପ୍ରଥମାଷ୍ଟମୀ । ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ । ଏହା ଲୋକଭାଷାରେ ‘ପରୁହାଁ ଅଷ୍ଟମୀ’ ବା ‘ପଢ଼ୁଆଁ ଅଷ୍ଟମୀ’ ଭାବରେ ମଧ୍ୟ ଜଣାଶୁଣା । ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’ । ଘରର ବଡ଼ମାନଙ୍କ ପାଇଁ ଆୟୋଜିତ ଏହି ପର୍ବ ସେମାନଙ୍କୁ ସମ୍ମାନ ଦେଇଥାଏ । ଆଉ ଆମ ପରମ୍ପରାକୁ ଉଜ୍ଜିବିତ ରଖିବାରେ ମଧ୍ୟ ଏହା ବେଶ ସହାୟକ ହୋଇଥାଏ ।

ଶ୍ରୀମନ୍ଦିରରେ ମଧ୍ୟ ଏହିଦିନ ବଡ଼ଠାକୁର ବଳଭଦ୍ର ଏବଂ ଅନ୍ୟ ଠାକୁରମାନେ ନୂତନ ବସ୍ତ୍ର ପରିଧାନ କରିଥାଆନ୍ତି । ଶ୍ରୀଲିଙ୍ଗରାଜ ମଧ୍ୟ ଏହିଦିନ ପୋରୁହାଁ ହେବାକୁ ମିତ୍ରେଶ୍ୱର ବରୁଣେଶ୍ୱର ମନ୍ଦିରକୁ ଯାଇଥାଆନ୍ତି । ଜ୍ୟେଷ୍ଠା କନ୍ୟା ଭାବରେ ‘ଭାର୍ଗବୀ’ ବା ମହାଲକ୍ଷ୍ମୀ ମଧ୍ୟ ଏହିଦିନ ପରୁହାଁ ହୁଅନ୍ତି ।

You might also like