ଠାକୁର ଦର୍ଶନ ସହ ନିଅନ୍ତୁ ପିକନିକର ମଜା, ବୁଲିଯାଅନ୍ତୁ ନୃସିଂହନାଥ ମନ୍ଦିର

ପର୍ୟ୍ୟଟନ ଋତୁ ପାଇଁ ରାଜ୍ୟର ବିଭିନ୍ନ ପର୍ୟ୍ୟଟନସ୍ଥଳୀରେ ଜମୁଛି ଭିଡ । କିଏ ସାଙ୍ଗସାଥି ହୋଇ ତ ଆଉ କିଏ ପରିବାର ସହ ମିଶି ନେଉଛନ୍ତି ବଣଭୋଜିର ମଜା । ବଣପାହାଡ ଘେରା ପଦ୍ମପୁର ଉପଖଣ୍ଡରେ ଥିବା ନୃସିଂହନାଥ ମନ୍ଦିରରେ ମଧ୍ୟ ଲୋକଙ୍କ ବେଶ ଗହଳି ଲାଗୁଛି ।
ବରଗଡ଼ ଜିଲ୍ଲା ପଦ୍ମପୁର ସହର ଠାରୁ ୩୫କିଲୋମିଟର ଦୂର ଗନ୍ଧମାର୍ଦ୍ଦନ ପାଦଦେଶରେ ରହିଛି ନୃସିଂହନାଥ ମନ୍ଦିର । ବଣପାହାଡ ଘେରା ପରିବେଶରେ କୁଳୁକୁଳୁ ନାଦ କରି ବହିଯାଉଛି ଚିରସ୍ରୋତା ଝରଣା । ପ୍ରାକୃତିକ ପରିବେଶ ମଧ୍ୟରେ ମହାପ୍ରଭୁ ନୃସିଂହନାଥଙ୍କ ବହୁ ପୁରାତନ ମନ୍ଦିର । ଲୋକଙ୍କ ମନରେ ଧାର୍ମିକ ଭାବନା ଉଜ୍ଜୀବିତ କରିବାକୁ ନିର୍ମିତ ହୋଇଛି ସୁନ୍ଦର କଳାକୃତି । ତା ସହିତ ଭଳିକି ଭଳି ଫୁଲର ପାର୍କ ଲୋକଙ୍କୁ ଆହୁରି ଆକୃଷ୍ଟ କରୁଛି ।
ନୂଆବର୍ଷକୁ ନେଇ ଚଳଚଞ୍ଚଳ ହୋଇଛି ନୃସିଂହନାଥ । ବିଭିନ୍ନ ସ୍ଥାନରୁ ପର୍ୟ୍ୟଟକଙ୍କ ଭିଡ ଲାଗୁଛି ଏଠାକୁ । ବଣଭୋଜି ପାଇଁ ଆସିଥିବା ଲୋକଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଛି । ତେଣୁ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉଛି ଏଠାରେ ।