କର୍ଣ୍ଣାଟକ: ମନ୍ଦିର ବାହାରେ ଶୋଇଥିଲେ ତୀର୍ଥଯାତ୍ରୀ, ଟେମ୍ପୋ ଚାଳକ ଚଢ଼ାଇ ଦେଲେ ଗାଡ଼ି…ଦେଖନ୍ତୁ ଭୟଙ୍କର ଦୁର୍ଘଟଣା

କର୍ଣ୍ଣାଟକର କୋପ୍ପଲ ଜିଲ୍ଲା ହୁଲଗୀ ଗାଁରେ ପ୍ରସିଦ୍ଧ ହୁଲିଜେମା ମନ୍ଦିର ବାହାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ରାତିରେ ଶୋଇଥିବା ତୀର୍ଥଯାତ୍ରୀଙ୍କ ଉପରେ ଜଣେ ଟେମ୍ପୋ ଚାଳକ ଗାଡ଼ି ଚଢ଼ାଇ ଦେଇଛନ୍ତି, ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ମହିଳାଙ୍କ ସମେତ ୪ ଗୁରୁତର ଆହତ ହୋଇଛନ୍ତି।

ଏହି ଘଟଣାରେ ପୋଲିସ ଦୁର୍ଘଟଣା ଘଟାଇଥିବା ଟେମ୍ପୋ ଚାଳକଙ୍କୁ ଗିରଫ କରିଛି। ତାଙ୍କ ନାଁ ଶ୍ରୀନିବାସ, ସେ ବଲାରୀ ଜିଲ୍ଲା ୟାରଙ୍ଗାଲିଗି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ଉକ୍ତ ଗାଡ଼ିକୁ ମଧ୍ୟ ଜବତ କରିଛି।

ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ସୋମବାର ରାତିର ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଭଳି ଭୟଙ୍କର, ଛାତିଥରା ଦୃଶ୍ୟ ସାମ୍ନାକୁ ଆସିବା ପରେ ହୁଲିଜେମା ମନ୍ଦିରକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେପଟେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେ ହେଲେ କୋପ୍ପଲ ଜିଲ୍ଲା କରାଟାଗି ସହର ନିକଟ ନନ୍ଦୀହଲ୍ଲି ଗାଁର ଟିପ୍ପନ୍ନା (୭୫)। ଏହି ଘଟଣାରେ ଆହତ ସମସ୍ତଙ୍କୁ କୋପ୍ପଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ ସୂଚନା ମୁତାବକ, ନିଶାଗ୍ରସ୍ତ ଅବସ୍ଥାରେ ଟେମ୍ପୋ ଚଲାଉଥିବା ଚାଳକ ଜଣକ ହଠାତ୍‌ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ମନ୍ଦିର ବାହାରେ ଏକ ଦୋକାନ ସାମ୍ନାରେ ଶୋଇଥିବା ଶ୍ରଦ୍ଧାଳୁଙ୍କ ଉପରେ ଚଢ଼ାଇ ଦେଇଥିଲେ। ତେବେ ଏଭଳି ଘଟଣା ପରେ ବି ଚାଳକ ଗାଡ଼ି ଅଟକାଇ ନ ଥିଲେ। ପୋଲିସ କହିଛି କି, ନିଶାଗ୍ରସ୍ତ ଅବସ୍ଥାରେ ଚାଳକ ବ୍ରେକ୍‌ ଜାଗାରେ ଏକ୍ସିଲେଟର ଦବାଇ ଦେଇଥିଲେ, ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.