ନାଭିଗୟାରେ ପିଣ୍ଡଦାନ କଲେ ପିତୃପୁରୁଷ ପାଇଥାନ୍ତି ମୁକ୍ତି, ଜାଣନ୍ତୁ କ’ଣ ରହିଛି ପୌରାଣିକ ମାନ୍ୟତା

ସନାତନ ଧର୍ମରେ ପିତୃପକ୍ଷକୁ ବହୁତ ଗୁରୁତ୍ୱ ଦିଆଯାଇଛି। ବିଶ୍ୱାସ ରହିଛି ପିତୃପକ୍ଷରେ ବିଧି ବିଧାନର ସହ ପିତୃପୁରୁଷଙ୍କ ଶ୍ରାଦ୍ଧ କରିବା ଦ୍ୱାରା ସେମାନେ ଖୁସି ହୁଅନ୍ତି ଏବଂ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ପିତୃପୁରୁଷଙ୍କ ମୋକ୍ଷପ୍ରାପ୍ତି ପାଇଁ ପିଣ୍ଡଦାନର ପରମ୍ପରା ରହିଛି ।

ଏହି ପିଣ୍ଡଦାନ ପାଇଁ ଭାରତ ବର୍ଷର ୩ଟି କ୍ଷେତ୍ରକୁ ପବିତ୍ର ସ୍ଥଳ ଭାବେ ମନାଯାଏ। । ସେହି ୩ଟି ପବିତ୍ର ସ୍ଥଳ ହେଉଛି ଶୀର ଗୟା,ନାଭିଗୟା ଏବଂ ପାଦ ଗୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରହିଛି ଏହି ନାଭିଗୟା । ଏହି ୩ଟି କ୍ଷେତ୍ରରେ ପିତୃପକ୍ଷ ଅର୍ଥାତ ଆଶ୍ୱିନ ମାସର ଇନ୍ଦୁପୂର୍ଣ୍ଣିମା ଠାରୁ ମହାଳୟା ପର୍ଯ୍ଯନ୍ତ ପିଣ୍ଡଦାନ କଲେ ପିତୃପୁରୁଷ ମୋକ୍ଷ ଲାଭ କରିବାର ବିଶ୍ୱାସ ରହିଛି । ସେଥିପାଇଁ ଯାଜପୁରର ଏହି ନାଭିଗୟାରେ ପିଣ୍ଡଦାନ କରିବା ପାଇଁ କାହିଁ କେଉଁ ଆଡୁ ଶ୍ରଦ୍ଧାଳୁଙ୍କ ଭିଡ ଛୁଟିଥାଏ । ପିତୃ ପକ୍ଷର ଶେଷ ଦିନ ଅର୍ଥାତ ମହାଳୟା ଦିନ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

ନାଭିଗୟାରେ ପିଣ୍ଡଦାନ କରିବାକୁ ନେଇ ରହିଛି ଅନେକ କିମ୍ବଦନ୍ତି । ବାୟୁ ପୁରାଣ ଅନୁଯାୟୀ ଗୟାସୁରର ନାଭି ଏହି ବିରଜା କ୍ଷେତ୍ରରେ ପଡିବାର ବିଶ୍ୱାସ ରହିଛି । ଗୟାସୁର ଅମର ବର ପାଇବା ପରେ ଦେବଲୋକରେ ଏହାକୁ ନେଇ ଚିନ୍ତା ବଢ଼ିଥିଲା । ବିଷ୍ଣୁ ବ୍ରହ୍ମାଣ୍ଡର ହିତ ପାଇଁ ଏକ ଯଜ୍ଞର ଆୟୋଜନ କରି ଗୟାସୁରଙ୍କୁ ତାଙ୍କ ଶରୀର ଦାନ ପାଇଁ ଭିକ୍ଷା କରିଥିଲେ । ଗୟାସୁର ଏଥିପାଇଁ ରାଜି ହୋଇ ୩ଟି ସର୍ତ୍ତ ରଖିଥିଲେ।

ସେହି ୩ଟି ସର୍ତ୍ତଅନୁଯାୟୀ ଗୟାସୁରର ଶିର, ନାଭି ଓ ପାଦ ପଡିବା ସ୍ଥାନକୁ ତୀର୍ଥ ସ୍ଥଳୀ ଭାବେ ଗ୍ରହଣ କରାଯିବ ଏବଂ ସେଠାରେ ପିତୃପୁରୁଷଙ୍କ ପିଣ୍ଡଦାନ କରାଯିବ । ତେଣୁ ନାଭିଗୟାରେ ବର୍ଷ ତମାମ ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ପିଣ୍ଡଦାନ ପାଇଁ ଏଠାକୁ ଆସିଥାନ୍ତି । ଆଉ ଖାସ କରି ପିତୃପକ୍ଷରେ ପିଣ୍ଡଦାନ ପାଇଁ ବିଶେଷ ଭିଡ ଦେଖିବାକୁ ମିଳେ ।

ରାଜ୍ଯ ଓ ରାଜ୍ଯ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ପିଣ୍ଡଦାନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ପାଗକୁ ଦେଖି ଅସ୍ଥାୟୀ ଟେଣ୍ଡର ବ୍ଯବସ୍ଥା କରାଯାଇଛି । ଶ୍ରଦ୍ଧାଳୁ ମାନେ ପିଣ୍ଡ ଦେବାକୁ ଆସି ପ୍ରଥମେ ମନ୍ଦିରର ଟିକେଟ ବାବଦକୁ ୨୦ ଟଙ୍କା ଦେବାକୁ ପଡିଥାଏ ।

ଚଳିତ ବର୍ଷ ମଧ୍ୟ ପିତୃପକ୍ଷରେ ପିଣ୍ଡଦାନ ପାଇଁ ରାଜ୍ଯ ଓ ରାଜ୍ଯ ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ନିଜ ନିଜ ପରିବାର ବର୍ଗଙ୍କ ସହିତ ଆସି ଏଠାରେ ପିଣ୍ଡଦାନ କରି ନିଜକୁ ଭାଗ୍ଯବାନ ମନେ କରୁଛନ୍ତି । ଏଠାରେ ରହିଥିବା ଅନ୍ଯ ଏକ ବିଶ୍ୱାସ ହେଉଛି ଏଠାରେ ପିଣ୍ଡଦାନ କରିବା ପରେ ମଧ୍ୟ ଏହି ନାଭି ଗୟା କେବେ ପୂର୍ଣ ହୁଏ ନାହିଁ । ବର୍ଷ ତମାମ ଏଠାରେ ପିଣ୍ଡଦାନ କାର୍ଯ୍ଯ ଚାଲୁରହିଥିଲେ ସୁଦ୍ଧା ଆଜି ପର୍ଯ୍ଯନ୍ତ କେବେ ଏହି କୁଣ୍ଡ ପୁରଣ ହୋଇଥିବା ଦେଖିବାକୁ ମିଳେ ନାହିଁ । ଏଥିପାଇଁ ଏହାକୁ ଅନେକ ଗୁପ୍ତଗଙ୍ଗା ବୋଲି କହିଥାନ୍ତି। ଏଭଳି ଅନେକ ପୌରାଣିକ ବିଶ୍ୱାସ ରହିଥିବାରୁ ବର୍ଷ ତମାମ ଏଠାକୁ ଶ୍ରଦ୍ଧାଳୁ ମାନଙ୍କ ଆଗମନ ହୋଇଥାଏ ।

Leave A Reply

Your email address will not be published.