ପିତୃପକ୍ଷରେ କାଉ ଦେଖିବା ହୋଇଥାଏ ଶୁଭ, ଧନ ଲାଭର ଦେଇଥାନ୍ତି ସଙ୍କେତ
ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ପିତୃପକ୍ଷରେ ଶ୍ରାଦ୍ଧ-ତର୍ପଣ ଆଦି କରାଯାଏ। ଏହି ସମୟରେ ପିତୃ ପୁରୁଷ ପୃଥିବୀ ଲୋକକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଏହି ପକ୍ଷରେ ସେମାନଙ୍କୁ ଶ୍ରାଦ୍ଧ ଦେଇ ପ୍ରସନ୍ନ କରାଯାଏ। ପୂର୍ବଜ ପ୍ରସନ୍ନ ହେଲେ ଏହାର ସଙ୍କେତ ମଧ୍ୟ ଦେଇଥାନ୍ତି। ଏଥି ପାଇଁ କାଉମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।
ଏମିତି ସଙ୍କେତ ଦିଅନ୍ତି କାଉ:
ବିଷ୍ଣୁ ପୁରାଣ ଅନୁସାରେ, ଶ୍ରାଦ୍ଧ ପକ୍ଷରେ କାଉଙ୍କୁ ଭକ୍ତି ଓ ବିନମ୍ରତାର ସହ ଖାଇବାକୁ ଦେବା ଉଚିତ। କାଉଙ୍କୁ ପୂର୍ବ ପୁରୁଷଙ୍କ ପ୍ରତୀକ ବୋଲି କୁହାଯାଏ। ଏଣୁ ଏହି ସମୟରେ ସେମାନଙ୍କୁ ସନ୍ତୁଷ୍ଟ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇ ଆଶୀର୍ବାଦ ଦିଅନ୍ତି ବୋଲି ବିଶ୍ୱାସ ରହିଛି।
ଶ୍ରାଦ୍ଧ ଦିନ ଯଦି କାଉ ଫୁଲ ପତ୍ରରେ ଥଣ୍ଟ ମାରେ ତେବେ ଏହା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଯଦି କାଉ ଗାଈ ପିଠିରେ ବସି ଥଣ୍ଟ ଘଷୁଥାଏ, ତେବେ ଦେଖିବା ବ୍ୟକ୍ତିକୁ ଭଲ ଖାଇବା ମିଳେ। ଯଦି କାଉ ଧାନ ବସ୍ତା ଉପରେ ବସିଥାଏ, ତେବେ ଧନଧାନ୍ୟ ପ୍ରାପ୍ତ ହୁଏ। ଶ୍ରାଦ୍ଧ ଦିନ ଯଦି କାଉ ଡାହାଣ ପଟୁ ଉଡ଼ି ବାମ ପଟକୁ ଆସିଥାଏ ଓ ଭୋଗ ଗ୍ରହଣ କରେ, ତେବେ ଯାତ୍ରା ସଫଳ ହୁଏ। ଅନ୍ୟଥା ବିଫଳତା ମିଳିଥାଏ। ଯଦି କାଉ ସାମ୍ନା ପଟୁ ଆସି ପ୍ରସାଦ ଗ୍ରହଣ କରେ ଓ ଗୋଡ଼ରେ ମୁଣ୍ଡକୁ କୁଣ୍ଡାଇଥାଏ, ତେବେ କାର୍ଯ୍ୟ ସିଦ୍ଧ ହୋଇଥାଏ।