ଏହି ସ୍ଥାନରେ ଘରେ ଘରେ ରହିଛି ଏୟାରକ୍ରାଫ୍ଟ, ଛୋଟ ଛୋଟ କାମ ପାଇଁ ଗାଡ଼ି ନୁହେଁ ବ୍ୟବହାର କରନ୍ତି ପ୍ଲେନ୍
ଆମେରିକାର କାଲିଫୋର୍ନିଆରେ ଏପରି ଏକ ଗାଁ ଅଛି, ଯେଉଁଠାରେ ସମସ୍ତଙ୍କ ଘର ସାମ୍ନାରେ ଗାଡ଼ି ରଖିବା ସ୍ଥାନରେ ଏୟାରକ୍ରାଫ୍ଟ ପାର୍କିଂ କରାଯାଇଥାଏ । ସେମାନେ ଯେଉଁଠାକୁ ଯିବାକୁ ଚାହାଁନ୍ତି, ସେମାନେ ନିଜ ପ୍ଲେନ୍ ବାହାର କରି ଉଡ଼ି ଯାଆନ୍ତି ।
ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଗୋଟିଏ କି ଦୁଇଟି ବାଇକ୍ କିମ୍ବା କାର ରହିଥିବା ଆପଣମାନେ ଜାଣିଥିବେ । ଯେକୌଣସି ସ୍ଥାନକୁ ଯିବାକୁ ହେଲେ ଲୋକମାନେ ତୁରନ୍ତ ଗାଡ଼ି ବାହାର କରି ବାହାରକୁ ଯାଇଥାନ୍ତି । ଏହା ତ ସାଧାରଣ କଥା କିନ୍ତୁ ଆମେ ଆଜି ଯେଉଁ ଗାଁ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ସେଠାରେ ଦୁଇ କିମ୍ବା ଚାରି ଚକିଆ ଯାନ ନୁହେଁ ସମସ୍ତଙ୍କ ଘରେ ରହିଛି ଉଡ଼ନ୍ତା ବିମାନ ବା ଏୟାରକ୍ରାଫ୍ଟ । ଘରୁ ବାହାରିବା ମାତ୍ରେ ଲୋକମାନେ ଏହି ପ୍ଲେନରେ ଯାଆନ୍ତି । ଛୋଟ ଛୋଟ କାମ ପାଇଁ ଆମେ ଯେପରି ଗାଡ଼ି ବ୍ୟବହାର କରୁ ଠିକ୍ ସେହିପରି ଏହି ଗାଁର ଲୋକମାନେ ପ୍ଲେନ୍ ବ୍ୟବହାର କରନ୍ତି ।
ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ ଆମେରିକାର କାଲିଫୋର୍ନିଆରେ ଏପରି ଏକ ଗାଁ ଅଛି, ଯେଉଁଠାରେ ସମସ୍ତଙ୍କ ଘର ସାମ୍ନାରେ ଗାଡ଼ି ରଖିବା ସ୍ଥାନରେ ଏୟାରକ୍ରାଫ୍ଟ ପାର୍କିଂ କରାଯାଇଥାଏ । ସେମାନେ ଯେଉଁଠାକୁ ଯିବାକୁ ଚାହାଁନ୍ତି, ସେମାନେ ନିଜ ପ୍ଲେନ୍ ବାହାର କରି ଉଡ଼ି ଯାଆନ୍ତି । ଯେତେବେଳେ ଲୋକମାନେ ସୋସିଆଲ ମିଡିଆରେ ଏହି ଗାଁର ଭିଡିଓ ସେୟାର କରିବା ଆରମ୍ଭ କରିଥିଲେ ସେତେବେଳେ ଏହି ଗାଁ ବିଷୟରେ ଜଣା ପଡ଼ିଥିଲା। ଏପରିକି ଏହି ସ୍ଥାନର ରାସ୍ତା ମଧ୍ୟ ରନୱେ ଭଳି ଦେଖାଯାଏ ।
କାଲିଫୋର୍ନିଆର କ୍ୟାମେରନ୍ ଏୟାର ପାର୍କ ନାମକ ଏହି ସ୍ଥାନରେ ସାମାନ୍ୟ ରାସ୍ତା ନାହିଁ, କିନ୍ତୁ ଚଉଡ଼ା ରାସ୍ତା ନିର୍ମାଣ କରାଯାଇଛି । ଯାହା ଦ୍ୱାରା ବିମାନବନ୍ଦରରେ ପହଞ୍ଚିବା ପାଇଁ ଏହି ରାସ୍ତାକୁ ରନୱେ ଭଳି ବ୍ୟବହାର କରାଯାଏ । ତେବେ ସାଧାରଣ ଲୋକମାନେ ତ ପ୍ଲେନ୍ ଉଡ଼ାଇ ପାରିବେ ନାହିଁ, ତେଣୁ ଏଠାରେ ରହୁଥିବା ପ୍ରାୟ ସମସ୍ତ ଲୋକ ପାଇଲଟ୍ ଏବଂ ସେମାନେ ନିଜେ ପ୍ଲେନ୍ ଉଡ଼ାନ୍ତି । ଏପରି ଗାଁକୁ ଏକ ପ୍ରକାର ଫ୍ଲାଏ-ଇନ୍ କମ୍ୟୁନିଟି କୁହାଯାଏ ।
ଏଠାରେ ରହୁଥିବା ଲୋକମାନେ ଶନିବାର ସକାଳେ ଏକଜୁଟ ହୋଇ ଲୋକାଲ୍ ଏୟାରପୋର୍ଟକୁ ଯାଆନ୍ତି । ସୂଚନା ଅନୁଯାୟୀ ଆମେରିକାରେ ଏଭଳି ୬୧୦ଟି ଏୟାର ପାର୍କ ଅଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯେଉଁ ଏୟାର ଫିଲ୍ଡଗୁଡିକ ନିର୍ମାଣ କରାଯାଇଥିଲା ସେ ସବୁ ପରିବର୍ତ୍ତନ କରାଯାଇ ନଥିଲା ଏବଂ ପରେ ଏହାକୁ ରେସିଡେନ୍ସିଆଲ ଏୟାର ପାର୍କରେ ପରିଣତ କରାଯାଇଥିଲା । ଏଠାରେ କେବଳ ଅବସରପ୍ରାପ୍ତ ମିଲେଟ୍ରି ପାଇଲଟ୍ ରୁହନ୍ତି । ୧୯୪୬ ମସିହାରେ ଆମେରିକାରେ ପାଖାପାଖି ୪ ଲକ୍ଷ ପାଇଲଟ ଥିଲେ, ଯେଉଁମାନେ ଏହି ବିମାନବନ୍ଦରରେ ରହିବା ଆରମ୍ଭ କରିଥିଲେ । କ୍ୟାମେରନ୍ ପାର୍କ ମଧ୍ୟ ୧୯୬୩ରେ ତିଆରି ହୋଇଥିଲା ଏବଂ ଏଥିରେ ପାଖାପାଖି ୧୨୪ଟି ଘର ଅଛି । ଏଠାରେ ଥିବା ସଡ଼କର ନାଁ ଏବଂ ଷ୍ଟ୍ରିଟ୍ ସାଇନ୍ ମଧ୍ୟ ଏୟାର କ୍ରାଫ୍ଟ ଫ୍ରେଣ୍ଡଲି । ଏହି ସ୍ଥାନଟି ଲୋକଙ୍କୁ ଆକୃଷ୍ଟ କରେ ।