୨ ହଜାର ଟଙ୍କା ପାଇଁ ୨ ବର୍ଷ ହେଲା ବାସନ୍ଦ ହୋଇ ରହିଛି ଗରିବ ପରିବାର

ଭଦ୍ରକ: ମାତ୍ର ୨ ହଜାର ଟଙ୍କା ପାଇଁ ୨ ବର୍ଷ ହେଲା ବାସନ୍ଦ ହୋଇ ରହିଛି ଗରିବ ପରିବାର । ଏହି ପରିବାର ସହ କେହି କଥାବାର୍ତ୍ତା କରିବା ମନା । ଗାଁରେ ଭୋଜି ହେଉ କି ପୂଜା ପାର୍ବଣ ହେଉ କେଉଁଥିରେ ବି ସାମିଲ ହେଉନାହାନ୍ତି ଏ ପରିବାର । ଏମିତିକି ଏ ପରିବାର ମନ୍ଦିରକୁ ବି ଯିବା ମନା । ଯଦି କେହି ଲୋକ ଏହି ପରିବାର ସଦସ୍ୟଙ୍କ ସହ କଥା ହେଲା ତେବେ ପାଞ୍ଚ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ନିଷ୍ପତି କରିଛି ଗାଁ କମିଟି । ଏନେଇ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ୍ ପୀରହାଟ ଥାନା ବଙ୍ଗାଳୀଦପା ଗାଁର ସତ୍ୟଜିତ ଦାସ ଭଦ୍ରକ ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।
ଯୁଗ ଆସି କେଉଁଠି ପହଞ୍ଚିଲାଣି । କିନ୍ତୁ ଏବେ ବି ଅନେକ ଗାଁରେ ସାମାଜିକ ବାସନ୍ଦ ଭଳି ଅମାନବୀୟ ଘଟଣା ଦେଖିବାକୁ ମିଳୁଛି । ସାମାନ୍ୟ ଟଙ୍କା କେଇଟା ପାଇଁ ଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି । ନା ଗାଁ ଲୋକଙ୍କ ସହ କଥା ହୋଇ ପାରୁଛନ୍ତି ନାଁ ଗାଁ ପର୍ବପର୍ବାଣୀରେ ଯୋଗ ଦେଇ ପାରୁଛନ୍ତି । ଏନେଇ ପରିବାର ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛି । ୨ ବର୍ଷ ଧରି ସାମାଜିକ ବାସନ୍ଦର ଶିକାର ହୋଇଛି ଏହି ପରିବାର ।
ଅଭିଯୋଗ ମୁତାବକ ସତ୍ୟଜିତଙ୍କ ବାପା ବସନ୍ତ ଦାସ ନିଜ ପୁଅର ପାଠ ପଢା ପାଇଁ ୨୦୨୨ ମସିହାରେ ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୩୦ ହଜାର ଟଙ୍କା ଧାର ଆଣିଥିଲେ । ସେହିବର୍ଷ ସେ ୨୮ ହଜାର ଟଙ୍କା ସୁଝି ଦେଇଥିଲେ । ମାତ୍ର ଅଭାବ ଯୋଗୁ ବାକି ୨ ହଜାର ଟଙ୍କା ପରେ ଦେବେ ବୋଲି କହିଥିଲେ। କିନ୍ତୁ ଧାର ଦେଇଥିବା ବ୍ୟକ୍ତି ବଙ୍ଗାଳୀଦପା ଗାଁ କମିଟିରେ ଏହି ପ୍ରସଙ୍ଗ ଉଠାଇଥିଲେ । ପରେ କମିଟିରେ ୩୦ ହଜାର ଟଙ୍କା ମୂଳ ଓ ସୁଧ ସହ ୫୩ ହଜାର ଟଙ୍କା ସୁଝିବାକୁ ନିଷ୍ପତି ନିଆଯାଇଥିଲା । ହେଲେ ବସନ୍ତ ୨୮ ହଜାର ଟଙ୍କା ଦେଇଛି ଆଉ ମାତ୍ର ଦୁଇ ହଜାର ଟଙ୍କା ଫେରାଇବି ବୋଲି କହିଥିଲେ । ମୁଁ ଗରିବ ଲୋକ ଏତେ ଟଙ୍କା କଉଠୁ ଆଣିବି କହି ଟଙ୍କା ଫେରାଇବା ପାଇଁ ଅସମର୍ଥ ଥିବା ପ୍ରକାଶ କରିଥିଲେ । କମିଟି ନିଷ୍ପତି ନମାନିବାରୁ ପାଖାପାଖି ଦୁଇ ବର୍ଷ ହେଲା ଗାଁରେ ଏକ ଘରିଆ ହୋଇ ରହିଛନ୍ତି ବସନ୍ତଙ୍କ ପରିବାର । ଏ ବାବଦରେ ଗାଁ କମିଟିର ସଭାପତି କିଛି କହିବାକୁ ମନା କରିଥିଲେ । ତେବେ ପ୍ରଶାସନ ତୁରନ୍ତ ଏ କଥାରେ ହସ୍ତକ୍ଷେପ କରି ଘଟଣାର ସମାଧାନ କରିବାକୁ ବସନ୍ତଙ୍କ ପରିବାର ଦାବି କରିଛନ୍ତି ।