ଏମାନଙ୍କ ପାଇଁ ସାତସପନ ପାଲଟିଛି ପକ୍କା ଘର, ଅର୍ଥ ଅଭାବରୁ ନଡାଛପର ଘର ହିଁ ସାହା ଭରଷା
![](https://knewsodisha.com/wp-content/uploads/2025/01/abasa-jojana.jpg)
ଭଙ୍ଗା ଦଦରା ଘରେ ବିତୁଛି ଜୀବନ । କାଳ ବୈଶାଖୀର ଅଦିନିଆ ବର୍ଷା ଏମାନଙ୍କ ପାଇଁ ଦାଉ ସାଜିଛି । ଅର୍ଥ ଅଭାବରୁ ଘରର ଛପର ହୋଇ ପାରୁ ନାହିଁ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଘର ଉପରେ ପକାଇଛନ୍ତି ଛିଡା ପଲିଥିନ । ପୁଣି ଘରର ଚାରି ପାଖେ ଘେରିଛନ୍ତି ପୁରୁଣା ଲୁଗା ଓ ଛିଣ୍ଡା ପଲିଥିନ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଲକ୍ଷ୍ମୀଦାସପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏମିତି ପରିସ୍ଥିତି । ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଉଛନ୍ତି । କିନ୍ତୁ ଲକ୍ଷ୍ମୀଦାସପୁର ପଞ୍ଚାୟତର କମଳା, ଗୀତା, ଯୁଦ୍ଧିଷ୍ଟିର ଭଳି ବହୁ ଗରିବ ପରିବାର ଆଜି ବି ଏ ଯୋଜନାରୁ ବଞ୍ଚିତ । କିଏ ଜରି ପାଲ ତଳେ ଜୀବନ କାଟୁଛି ତ ଆଉ କିଏ ଚାଳ ଛପର ତଳେ ମୁଣ୍ଡ ଗୁଞ୍ଜି ଥିଲେ ବି ଘର ଖଣ୍ଡେ ମିଳୁନଥିବା ଅଭିଯୋଗ କରିଛନ୍ତି । ପ୍ରତିଥର ଥିଲାବାଲା କୋଠା ଘର ଓ ବଡ ବଡିଆ ଘର ପାଉଛନ୍ତି । କିନ୍ତୁ ଏମାନେ କଣ ଆବାସ ଘର ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି ପ୍ରଶାସନକୁ ବାରବାର ପ୍ରଶ୍ନ କରିଛନ୍ତି ଏକାଧିକ ଆବାସ ଆଶାୟୀ ପରିବାର । ଏହି ଗାଁର କମଳା ଜେନା ଭଙ୍ଗା ଦଦରା ଘରେ ନେଉଛନ୍ତି ଆଶ୍ରୟ । ଚାଳ ଉପରେ ଘାସ ଗଛ ଉଠିଲାଣି । ତଳେ କାନ୍ଥ ଫାଟି ଗଳି ପଡିଲାଣି । ବିପଦ ସଂକୁଳ ଅବସ୍ଥାରେ ଏମାନଙ୍କର ବିତୁଛି ଜୀବନ । ଆଉ ଅଧା କାନ୍ଥ କେତେ ବେଳେ ଯେ ଭାଙ୍ଗି ଗଳି ପଡିବ ସେ କଥା କିଏ କହିବ । ପର ଘରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି ମୃତ୍ୟୁଞ୍ଜୟ ଓ ସ୍ତ୍ରୀ ନୟନା । ଭାଙ୍ଗି ପଡିଛି ଚାଳ ଛପର ଘର । ସେହି ଗୋଟିଏ ଘର ଭିତରେ ରୋଷେଇ କରିବା ସହିତ ନିଜର ପରିବାରକୁ ନେଇ ଦିନ କାଟୁଛନ୍ତି ମୃତ୍ୟୁଞ୍ଜୟ । ଦିନରେ ସୂର୍ଯ୍ୟ ଆଲୋକ ରାତିରେ ଚନ୍ଦ୍ର ଆଲୋକ ଅବାଧରେ ପ୍ରବେଶ କରୁଛି ଘର ମଧ୍ୟକୁ । ଦୀର୍ଘ ୪ବର୍ଷ ତଳେ ଫନି ମହାବାତ୍ୟାରେ ଘରର ଅଧା ଅଂଶ ଭାଙ୍ଗି ଯାଇଥିବା ବେଳେ ଚଳିତ ବର୍ଷ ବାତ୍ୟା ଦାନାରେ ଘରର କାନ୍ଥ ଗଳି ପଡିଥିଲା । ହେଲେ ବାରମ୍ବାର ବିଡିଓଙ୍କ ଠାରୁ ଆରମ୍ବ କରି ସ୍ଥାନୀୟ ସରପଞ୍ଚ ପର୍ଯ୍ୟନ୍ତ ଘରଟିଏ ପାଇଁ ଗୁହାରି କରିଥିଲେ ମଧ୍ୟ କେହି ଶୁଣିନଥିଲେ ମୃତ୍ୟୁଞ୍ଜୟର ଦୁଃଖ । ବାଧ୍ୟ ହୋଇ ଘରର ଅଧା ଅଂଶକୁ ଆଶ୍ରୟ ନେବା ପାଇଁ ବାଡ ବତାରେ ତିଆରି କରିବାରେ ଲାଗି ପଡିଛନ୍ତି ସ୍ୱାମୀ ଓ ସ୍ତ୍ରୀ । କିନ୍ତୁ କେହି ସାହାଯ୍ୟ କରିବାକୁ ଆଗେଇ ଆସି ନଥିଲେ ସେମାନଙ୍କୁ ।
ଏହି ପଞ୍ଚାୟତରେ ୧୦ ହଜାରରୁ ଅଧିକ ଲୋକ ବସବାସ କରୁଛନ୍ତି । ସାମାଜିକ ଓ ଅର୍ଥନିତି ସର୍ଭେ ସମୟରେ ତାଲିକାରୁ ବାଦ ପଡିଛନ୍ତି କମଳା । ଘର ଖଣ୍ଡେ ପାଇବାକୁ ୫ ଥର ଆବେଦନ କଲେଣି କିନ୍ତୁ ଘର ମିଳୁନି ବୋଲି କହୁଛନ୍ତି । ସେହି ଗାଁର ଗୀତାରାଣୀ ଜେନା । ସ୍ୱାମୀ ସ୍ତ୍ରୀ ଦୀର୍ଘ ବର୍ଷଧରି ଜରିପାଲ ପଡିଥିବା ଚାଳ ଛପରକୁ ଭରସା କରିଛନ୍ତି । ବହୁବାର ଘରପାଇଁ ଆବେଦନ କରିଛନ୍ତି କିନ୍ତୁ ଘର ମିଳୁନି । ଯୁଦ୍ଧିଷ୍ଠିର ଜେନାଙ୍କର ମଧ୍ୟ ସମମାନ ଦଶା । ଜରାଜୀର୍ଣ୍ଣ ହୋଇପଡିଥିବା ୨ ବଖରା ଘର ଭିତରେ ଗୋଟିଏ ପାଖରେ ଗାଈ ଆଉ ଗୋଟେ ପାଖରେ ମଣିଷ ରହୁଛନ୍ତି । କେତେଥର ଘରପାଇଁ ଦରଖାସ୍ତ କରୁଥିଲେ ବି ଘର ମିଳୁନି । ସେହି ଗାଁର ଶତ୍ରୁଘ୍ନ ପୁହାଣ, ବାସନ୍ତୀ ସେଠୀ, ସସ୍ମିତା ଜେନା, ଅନାଦି ଜେନା, ଦେବେନ୍ଦ୍ର ଜେନାଙ୍କ ପରି ବହୁ ପରିବାର ଚାଳ ଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ପ୍ରତିଥର ଘର ପାଇଁ ଆବେଦନ କରୁଥିଲେ ବି ଘର ମିଳୁନଥିବା କହିଛନ୍ତି । ଏହି ୱାର୍ଡରେ ୧୦ ରୁ ଉର୍ଦ୍ଧ ପରିବାର ଘର ପାଇବାକୁ ବାରମ୍ବାର ଆବେଦନ କରୁଥିଲେ ବି ଆବାସ ଯୋଜନା ଏମାନଙ୍କ ପାଇଁ ସାତସପନ ହୋଇଛି । ଅନେକ ପରିବାର ବାଦ ପଡିଛନ୍ତି ଘର ପାଇବା ତାଲିକାରୁ । ଏହିସବୁ ପରିବାରକୁ ତାଲିକା ଭୁକ୍ତ କରିବାକୁ ପ୍ରୟାସ ଚାଲିଛି । ପୂର୍ବ ତାଲିକା ଅନୁସାରେ ତିନିଜଣିଆ କମିଟି ଯାଞ୍ଚ କରିଥିଲା । ଭେରିଫାଏ କରାଯିବା ପରେ ଯେଉଁମାନେ ଚୁଡାନ୍ତ ତାଲିକାରେ ଆସିଥିଲେ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି ବୋଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ବାରିକ କହିଛନ୍ତି । ସରକାରୀ ବ୍ୟବସ୍ଥାରେ ଏମାନଙ୍କୁ ସାମିଲ କରାଯାଇ ତୁରନ୍ତ ପକ୍କା ଘର ଯୋଗାଇ ଦେଲେ ଏହି ଗାଁର ଲୋକେ ଉପକୃତ ହୋଇପାରନ୍ତେ ।