ଦୁର୍ଘଟଣା ନେଲା ପ୍ରମୋଦଙ୍କ ଜୀବନ, ନ୍ୟାୟ ପାଇବେ କି ପ୍ରମୋଦଙ୍କ ପରିବାର ?

ହସ୍ପିଟାଲ ପରିସରରେ ରୁଣ୍ଡ ହୋଇଥାଆନ୍ତି ଲୋକେ । କାନ୍ଦ ବୋବାଳିରେ ଫାଟି ପଡ଼ୁଥାଏ ପୂରା ପରିବେଶ । କାନ୍ଦି କାନ୍ଦି କାହାର ଧୈର୍ଯ୍ୟ ରହୁ ନଥାଏ । ଘଡ଼ିକୁ ଘଡ଼ି ଚେତା ହରାଉଥାଆନ୍ତି । ଏହାରି ଭିତରେ ଭାଇ ମୋର କୁଆଡେ ଗଲୁ, କିଏ ନେଇ ଗଲା ମୋ ଭାଇକି … ହେ ଭଗବାନ ଏତେ ନିଷ୍ଠୁର କେମିତି ହେଲ… ମୋ ଭାଇକି କି ଏମିତି କଲା କହି କାନ୍ଦୁ ଥାନ୍ତି ଜଣେ ଭଉଣୀ l କ୍ୟାପିଟାଲ ହସ୍ପିଟାଲ ଶଵ ବ୍ୟବଚ୍ଛେଦ ଗୃହ ପରିସରରୁ ହଠାତ ମୃତ ଶରୀରଟିକୁ ବାହାର କରିବାକୁ ଗଲେ ଘେରିଗଲେ ପରିବାର ଆତ୍ମୀୟ ସ୍ୱଜନ l କିଛି ସମୟ ଦେଖିଲା ପରେ ଆଖି ଲୁହ ଛଳ ଛଳ କରି ଫେରୁଥାନ୍ତି ବନ୍ଧୁ ପରିଜନ ଆଉ ଦୁଃଖରେ ଭାଙ୍ଗି ପଡ଼ୁଥାଆନ୍ତି । ଅମାୟିକ ମଣିଷ ଜଣେ ଥିଲେ ବୋଲି ମହିଳା ଜଣେ ଆଖିରୁ ଲୁହ ଜକେଇ କହୁଥାନ୍ତି ।

ରାଜଧାନୀର ଛାତି ଉପରେ ଗାଡି ଚଳାଉଥିବା ମଣିଷ ଗୁଡିକ ମଧ୍ୟରେ କିଛି ଏତେ ନିଷ୍ଠୁର ଅଛନ୍ତି l ସତେ ଯେମିତି ମାନବିକତା କଥା ଭୁଲି ଯାଇଛନ୍ତି ସେମାନେ । ଆଜିର ଏହି ସଡ଼କ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ କଥା ସାମ୍ନାକୁ ଆସିଲେ ଛାତି ଥରିଯାଏ l ….ଜାଣିବା ପୂରା ଘଟଣା l ମୃତକଙ୍କ ନାମ ପ୍ରମୋଦ ସାହୁ l ଘର ଖୋର୍ଦ୍ଧା ଜିଲ୍ଲା ଦେଉଳବସ୍ତ l ଖଣ୍ଡଗିରି ବାରି ଅଞ୍ଚଳରେ ପରିବାର ସହ ରୁହନ୍ତି l ଅଟୋ ଚଳାଇ ପେଟ ପୋଷୁଥିଲେ l ପ୍ରତ୍ୟେକ ଦିନ ସକାଳୁ ସ୍କୁଲ ପିଲା ଆଉ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ନିଜ ଅଟୋରେ ନେବା ଆଣିବା କରନ୍ତି l ଏହା ବାଦ୍ ଭଡ଼ା ମଧ୍ୟ କରି ଆଉ କିଛି ରୋଜଗାର କରନ୍ତି l ପରିବାର କହିଲେ ଦୁଇଟି ପୁଅ ଗୋଟିଏ ଝିଅ l ରୋଜଗାରିଆ ଲୋକ କହିଲେ ଏହି ଜଣେ ପ୍ରମୋଦ ସାହୁ l

ସବୁଦିନ ଭଳି ପ୍ରମୋଦ ସାହୁ ଆଜି ମଧ୍ୟ ଭୋର ସାଢେ ପାଞ୍ଚଟା ବେଳୁ ନିଜର ଅଟୋ ଧରି ବାହାରି ଯାଇଥିଲେ ଘରୁ l ହେଲେ ନା ପହଞ୍ଚି ପାରିଥିଲେ ସ୍କୁଲ ପିଲାଙ୍କ ପାଖରେ ନା ସ୍କୁଲ ମାଡ଼ାମଙ୍କ ନିକଟରେ l ପାୱାର ହାଉସ ଛକରେ କାହିଁ କୁଆଡୁ ଯମରୂପୀ ଜଗିଥିଲା କାର, ହଠାତ ଧକ୍କା ଦେଲା l ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଆଣି କେହି ଜଣେ ପହଞ୍ଚାଇ ଦେଇଥିଲେ l ଆଉ ମାନବିକତା ଦୃଷ୍ଟିରୁ ଘର ଲୋକଙ୍କୁ ବି ଫୋନ୍ କରିଦେଲେ । ହେଲେ ପୁଅ ସ୍ତ୍ରୀ ପହଞ୍ଚିଲା ବେଳକୁ ଚାଲି ଯାଇଥିଲା ଜୀବନ l ତଥାପି ଦ୍ବନ୍ଦ୍ବ ଆଉ ସନ୍ଦେହ ଘେରରେ ପରିବାର । କିଏ ଏ ଦୁର୍ଘଟଣା ଘଟାଇଲା l ଆଉ କିଏ ପ୍ରମୋଦଙ୍କୁ ମେଡିକାଲ ଆଣିଲେ l ଯିଏ ଆଣିଥିଲେ ତାଙ୍କ ନମ୍ବର ଲାଗୁନି l

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଟୋଟିକୁ ଆଣି ଥାନାରେ ରଖି ତଦନ୍ତ ଚଳାଇଛି l ହେଲେ କଣ ଧରାପଡ଼ିବେ ଦୁର୍ଘଟଣା ଘଟାଇଥିବା ଲୋକ ? ନ୍ୟାୟ ପାଇବେ କି ପ୍ରମୋଦଙ୍କ ପରିବାର ? ଦୁଇ ପୁଅ ଓ ଝିଅ ମୁଣ୍ଡ ଉପରୁ ବାପାର ହାତ ଉଠିଯାଇଛି । ରୋଜଗାରର ପନ୍ଥା ଉଜୁଡ଼ି ଯାଇଛି । ଦଶଦିଗ ଅନ୍ଧାର ଦିଶୁଛି ପ୍ରମୋଦଙ୍କ ପତ୍ନୀଙ୍କୁ । ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ଏ ପରିବାରର ଭବିଷ୍ୟତ । କିଏ ଏମାନଙ୍କୁ ସାହା ହେବ ? ଏବେ ଏଇ ପ୍ରଶ୍ନ ସମ୍ପର୍କୀୟଙ୍କ ମନରେ । ତେଣୁ ଅନୁରୋଧ କରୁଛୁ ପୋଲିସ୍ ଭାଇଙ୍କୁ ସେମାନଙ୍କ ତଦନ୍ତ ଉପରେ ଅନେକାଂଶରେ ନିର୍ଭର କରୁଛି ମୃତ ପ୍ରମୋଦଙ୍କ ପରିବାରର ଭାଗ୍ୟ।

 

Also read:ବାଂଲାଦେଶୀ ଖୋଜିବାକୁ ସ୍ପେଶାଲ WING, ମାଷ୍ଟର ମାଇଣ୍ଡକୁ ପଠାଗଲା ଜେଲ