ଶିଶୁକୁ ଜନ୍ମ ଦେଇ ଚାଲିଗଲା ମା’, ରୋଗୀ ମୃତ୍ୟୁ ପାଇଁ ନର୍ସିଂ ହୋମ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ନବଜାତକୁ ଛାଡ଼ି ଆରପାରିରେ ମା’ । ଭୁଲ୍ ଇଞ୍ଜେକସନ ପାଇଁ ଚାଲିଗଲା ପ୍ରସୂତି ମହିଳାଙ୍କ ଜୀବନ । ଡାକ୍ତରଙ୍କ ଅବହେଳା ପାଇଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବାର ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଏକ ଘରୋଇ ନର୍ସିଂହୋମରେ । ମୃତ ମହିଳା ଜଣକ ହେଲେ ସାଲେପୁର ଥାନା ଛାଣିପୁର ପଞ୍ଚାୟତ ରାମକୃଷ୍ଣପୁର ଗାଁର ପତିତପାବନ ନାୟକଙ୍କ ପତ୍ନୀ ନନ୍ଦିନୀ ସ୍ୱାଇଁ ।

ଗତକାଲି ସନ୍ଧ୍ୟାରେ ସାଲେପୁର ଘରୋଇ ନର୍ସିଂହୋମରେ ଡାକ୍ତର ନଥିବା ବେଳେ ନନ୍ଦିନୀ ନବ ଜାତ ଶିଶୁକୁ ଜନ୍ମ ଦେଇଥିଲେ କିଛି ସମୟ ପରେ ମୃତ୍ୟୁ ବରଣ କରିଥିଲେ। ରୋଗୀ ମୃତ୍ୟୁ କୁ ନେଇ ନର୍ସିଂହୋମରେ ଉତ୍ତେଜନା ଦେଖାଦେଇଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ଓ ଭୁଲ ଇଞ୍ଜେକସନ ରୋଗୀର ଜୀବନ ନେଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଚିକିତ୍ସା ଅବହେଳା ନେଇ ନର୍ସିଂ ହୋମ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏପଟେ ନର୍ସିଂହୋମରେ କେହି ନଥିବା ବେଳେ ମୃତକଙ୍କ ପରିବାର ଲୋକେ ନର୍ସିଂହୋମର ଫାର୍ମାସିଷ୍ଟକୁ କହିବାରୁ ଫାର୍ମାସିଷ୍ଟ ଯାଇ ରୋଗୀକୁ ଗୁରୁତର ଅବସ୍ଥାରେ ଦେଖିଥିଲେ ସେତେ ବେଳକୁ ରୋଗୀର ଜୀବନ ଚାଲିଯାଇଥିଲା।

ତେବେ କଣ ପାଇଁ ଗୁରୁତର ଅବସ୍ଥାରେ ରୋଗୀକୁ ଘରୋଇ ନର୍ସିଂହୋମରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାନଯାଇ ଶେଷ ପର୍ଯ୍ୟନ୍ତ ରଖାଯାଇଥିଲା ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘରୋଇ ନର୍ସିଂହୋମରେ ସମସ୍ତ ସୁବିଧା ସୁଯୋଗ ନଥିବା ବେଳେ ରୋଗୀକୁ କଣ ପାଇଁ ଘରୋଇ ନର୍ସିଂହୋମରେ ରଖାଯାଇଥିଲା ଶୋଷଣ କରାଯାଉଥିଲା ଏହାର ବିଧିବଦ୍ଧ ତଦନ୍ତ କରାଗଲେ ସମସ୍ତ ଘଟଣା ସାମ୍ନାକୁ ଆସିବା ସହ ସମ୍ପୃକ୍ତ ନର୍ସିଂହୋମ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହୋଇଛି। ଏପଟେ ସାଲେପୁର ପୋଲିସ ନର୍ସିଂହୋମରେ ପହଞ୍ଚି ତଦନ୍ତ କରୁଥିବାର ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ । ଏବେ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି ତଦନ୍ତ ଶେଷ ପରେ ସତ କଣ ସାମ୍ନାକୁ ଆସିବ ।

Also Read:ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ୫ ଡଙ୍ଗା