ମକର ପର୍ବ ପାଳନ ପାଇଁ ଆରମ୍ଭ ହେଲାଣି ବ୍ୟାପକ ପ୍ରସ୍ତୁତି, ବଜାରରେ ଲାଗିଛି ଭିଡ

ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ସଜେଇ ହେଲେଣି ସମସ୍ତେ । ମନରେ ରହିଛି ଆନନ୍ଦ ଓ ଉତ୍ସାହ । ମକର ପର୍ବକୁ ନେଇ ଗାଁଠୁ ସହର ଉତ୍ସବ ମୁଖର । ସେଥିପାଇଁ ଚାଲିଛି ପ୍ରସ୍ତୁତି । ସହରଠୁ ଗାଁ ସବୁଆଡ଼େ ମକରର ମହକ ଦେଖିବାକୁ ମିଳିଲାଣି । ଦୋକାନ ବଜାରରେ ବିଭିନ୍ନ ମକର ସାମଗ୍ରୀ କିଣୁଛନ୍ତି ଲୋକେ । ଘରେ ଘରେ ଲୋକମାନେ ଏହି ପର୍ବକୁ ପାଳନ କରିବା ପାଇଁ ଚଳାଇଛନ୍ତି ବ୍ୟାପକ ପ୍ରସ୍ତୁତି । ବିଶେଷ କରି ଆଦିବାସୀ ପରିବାରର ପ୍ରଥା ଓ ପରମ୍ପରା ଅନୁଯାୟୀ ମକର ପୂର୍ବରୁ ପ୍ରସ୍ତୁତି ହୋଇଥିବା ପଲାକୁ ମକର ସଂକ୍ରାନ୍ତିରେ ଭୋରରୁ ମକର ପଲାରେ ପୂଜା ଅର୍ଚ୍ଚନା କରି ପଲାରେ ଅଗ୍ନି ସଂଯୋଗ କରିଥାନ୍ତି । ଏହା ପରେ ନୂଆ ବସ୍ତ୍ର ପରିଧାନ କରି ପ୍ରସ୍ତୁତ କରିଥିବା ବିଭିନ୍ନ ପ୍ରକାର ପିଠା ଖାଇ ନାଚଗୀତରେ ମଜି ଯାଇଥାନ୍ତି ଲୋକେ ।

ଆଉ ୩  ଦିନ ପରେ ମକର । ସେଥିପାଇଁ କପ୍ତିପଦା ଉପଖଣ୍ଡରେ ଚାଲିଛି ପ୍ରସ୍ତୁତି । ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏହି ଗଣ ପର୍ବ ମକରକୁ ଲୋକମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି । ଏହି ମକର ସଂକ୍ରାନ୍ତିକୁ ପାଳନ କରିବା ପାଇଁ ଲୋକମାନେ ୫ ଦିନ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି । ବିଶେଷ କରି ଏହି ମକର ପର୍ବକୁ ଲୋକମାନେ ଅପେକ୍ଷା କରିଥାନ୍ତି । କାହିଁକି ନା ଏହି ଦିନରେ ବନ୍ଧୁବାନ୍ଧବଙ୍କ ସହ ମିଶି ପିଠା ଓ ମାଂସ ଖାଇବା ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାର ବେଶ ମଜା ନେଇଥାନ୍ତି ଲୋକେ ।

ମକର ପାଇଁ ବଜାରରେ ଭିଡ ଲାଗି ରହିଛି । ତା ସାଙ୍ଗକୁ ଲୋକମାନେ ନୂଆ ବସ୍ତ୍ର ଚୁଡ଼ା ତିଲଉ ଓ ଗୁଡ ଚିନି କିଣିବାରେ ବ୍ୟସ୍ତ । ଆଦିବାସୀ ପରିବାର ଲୋକମାନେ ଘର ଲିପାପୋଛା କରିବା ସହ ରଙ୍ଗ ଓ ତୂଳୀରେ ଘର କୁ ସଜାଉଛନ୍ତି । ଏପରିକି ଘରେ ଘରେ ମଧ୍ୟ ବିଭିନ୍ନ ପ୍ରକାର ପିଠା ତିଆରି ହେଲାଣି । ଏହି ପର୍ବକୁ ଆଦିବାସୀ ପରିବାରମାନେ ୭ ଦିନ ଧରି ପାଳନ କରିବା ସହ ନାଚଗୀତରେ ମଜ୍ଜି ଯାଆନ୍ତି । ମକର ପର୍ବରେ କୁକୁଡ଼ା ଲଢେଇ ଲୋକ ମାନଙ୍କର ମୁଖ୍ୟ ଆକର୍ଷଣ ଥାଏ । ସେଥିପାଇଁ କୁକୁଡ଼ାଙ୍କୁ ବି ପ୍ରସ୍ତୁତ କରାଯାଉଛି । ତେବେ ମକରକୁ ନେଇ ଏମାନଙ୍କ ମନରେ ଏବେ ଠାରୁ ଉତ୍ସାହ ଭରି ଗଲାଣି ।