ଆଜି ଜନ୍ମ ଦିନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର, ଓଡ଼ିଶାର ଗୌରବଙ୍କୁ ଅନେକ ଶୁଭେଚ୍ଛା
ରାଇରଙ୍ଗପୁରର ଉପରବେଡ଼ା ଗାଁରେ ଜନ୍ମ ନେଇଥିବା ଝିଅଟି ଯେ ଦିନେ ରାଷ୍ଟ୍ରମୁଖ୍ୟ ପଦବି ଅଳଙ୍କୃତ କରିବେ ଏକଥା କିଏବା କାହିଁକି ଭାବିବ
କେନ୍ୟୁଜ୍(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଉପରବେଡ଼ା ଗାଁରେ ଜନ୍ମ ନେଇଥିବା ଝିଅଟି ଯେ ଦିନେ ରାଷ୍ଟ୍ରମୁଖ୍ୟ ପଦବି ଅଳଙ୍କୃତ କରିବେ ଏକଥା କିଏବା କାହିଁକି ଭାବିବ । ହେଲେ ଜୀବନକୁ ସଂଘର୍ଷ ବୋଲି ଭାବି ନଥିବା ନିପଟ ମଫସଲର ଝିଅଟି ନିଜ ସଂଘର୍ଷ ଓ ନିଷ୍ଠା ବଳରେ ଆଜି ବନିଛନ୍ତି ରାଷ୍ଟ୍ରପତି । ନିଜର ସରଳ ଅମାୟିକ ସ୍ୱାଭାବ ଭଳି ପ୍ରତ୍ୟେକ ଆହ୍ଵାନକୁ ସାମନା କରିଛନ୍ତି ଧୈର୍ଯ୍ୟର ସହିତ । ସେଥିପାଇଁ ତ ସେ ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାବରେ ପରିଚିତ ।…
୧୯୫୮ ମସିହା ଜୁନ୍ ୨୦ ତାରିଖରେ ଜନ୍ମ ତାଙ୍କର । ଗାଁରେ ଅଧିକ ପାଠ ପଢ଼ିବାର ସାଧନ ନଥିଲା । ବାପାଙ୍କ ପାଖରେ ସମ୍ବଳ କିମ୍ବା ସାହସ ନଥିଲା ଝିଅକୁ ବାହରେ କେଉଁଠି ପଢ଼ାଇବା ପାଇଁ । ହେଲେ ଯାହାର ଆଗକୁ ଯିବା ପାଇଁ ରାସ୍ତା ନିଜେ ଭାଗ୍ୟ ତିଆରି କରିଛି ତାକୁ ବା ଅଟକାଇବ କିଏ । ଗାଁରୁ ପହଞ୍ଚିଲେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ । ପ୍ରଥମେ ୟୁନିଟ୍-୨ ବାଳିକା ହାଇସ୍କୁଲ ଏପରେ ମାଟ୍ରିକ୍ ପାସ୍ ପରେ ରମାଦେବୀରେ କଲେଜରେ ପଢ଼ିଲେ । ପରେ ପ୍ରଥମେ ଚାକିରି କରିଥିଲେ । କିନ୍ତୁ ବିବାହ ପରେ ଚାକିରି ଛାଡ଼ି ସ୍ୱଇଚ୍ଛାରେ ଶିକ୍ଷକତା କଲେ । ହେଲେ ତାଙ୍କ ପାଇଁ ତ ସବୁକିଛି ଥିଲା ବିଧି ନିର୍ଦ୍ଦିଷ୍ଟ । ଭାଗ୍ୟ କଡ଼ ଲେଉଟାଇଲା । ରାଜନୀତିରେ କୌଣସି ଅଭିଜ୍ଞତା ନଥିଲେ ମଧ୍ୟ ତାଙ୍କୁ ହାତଠାରି ଡାକିଲା ପଦପଦବି ।
ଜନସେବା କରିବାର ଆଗ୍ରହ ଥିଲା ଓ ସେଥିରେ ସେ ସାମିଲ ମଧ୍ୟ ଥିଲେ । ତାଙ୍କୁ ବଡ଼ ସୁଯୋଗ ଆଣିଦେଲା ଏଇ ରାଜନୀତି । ପ୍ରଥମେ ନିଜ ଅଞ୍ଚଳରେ କାଉନସିଲର ହେଲେ । ପରେ ବଢ଼ି ଚାଲିଲା ତାଙ୍କର ଖ୍ୟାତି । ବିଧାୟକ ହେଲେ ପୁଣି ମନ୍ତ୍ରୀ ପଦ ସମ୍ଭାଳିଲେ । ଏମିତି ଦିନ ଗଡ଼ି ଚାଲିଲା । ଯେତେବେଳେ ବିଶ୍ରାମର ବେଳ ଆସିଲା ମିଳିଲା ଆହୁରି ଗୁରୁ ଦାୟିତ୍ୱ । ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ହେଲେ । ଆଉ ତାପରେ ୨୦୨୨ ଜୁଲାଇ ୨୫ ତରିଖ ଦିନ ଶପଥ ନେଲେ ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ । ପ୍ରଥମ ଜନଜାତି ମହିଳା ଭାବେ ରାଷ୍ଟ୍ରପତି ପଦବିରେ ଅଧିଷ୍ଠିତ ଥିଲେ । ଓଡ଼ିଶା, ଓଡ଼ିଆ ଆଉ ନାରୀ ଜାତିର ମର୍ଯ୍ୟାଦାର ପ୍ରତୀକ ଦ୍ରୌପଦୀ ମୁର୍ମୁ । ଆସନ୍ତା ମାସ ରାଷ୍ଟ୍ରପତି ଭାବେ ବର୍ଷେ ପୂରଣ କରିବେ । ତାଙ୍କୁ ଜନ୍ମ ଦିବସରେ ଅନେକ ଅନେକ ଶୁଭେଚ୍ଛା କେନ୍ୟୁଜ୍ ଓଡ଼ିଶା ପରିବାର ତରଫରୁ ।