୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ କୃଷି ଋଣ ଛାଡ଼ ଘୋଷଣା କରିଥିଲା। ରେଜଲ୍ଟ ଯାଇଥିଲା କଂଗ୍ରେସ ସପକ୍ଷରେ। ତିନିଟି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପଦ୍ମ ମଉଳିଥିଲା। ହାତ କରାମତି ଦେଖାଇଥିଲା। ସରକାର ଗଢ଼ିଥିଲା କଂଗ୍ରେସ। ଏବେ ୧୯ କସରତରେ ଆଉ ପାଦେ ଆଗେଇଛି ଦଳ। ନିକଟରେ ପ୍ରିୟଙ୍କାଙ୍କୁ ପ୍ରତ୍ୟକ୍ଷ ରାଜନୀତି ମଇଦାନରେ ଏଣ୍ଟ୍ରି ସିଗନାଲ୍ ମିଳିଲା। ଏବେ ନିର୍ବାଚନୀ ମୁଦ୍ଦା ଛାଡ଼ି ବିରୋଧୀଙ୍କୁ ମାଷ୍ଟ୍ରରଷ୍ଟ୍ରୋକ୍ ଦେଇଛନ୍ତି ରାହୁଲ। ରୋଜଗାର କାର୍ଡ ଖେଳିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। କିନ୍ତୁ ପ୍ରଶ୍ନ ଉଠୁଛି ଗରିବଙ୍କୁ ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ସମ୍ଭବ କି? ସତରେ କଣ ଦେଶରୁ ଗରିବ ହଟିଯିବ? କେହି ଆଉ ଭୋକିଲା ରହିବେ ନାହିଁ। ନୂଆ ଇଣ୍ଡିଆ ଭିଜନ୍ କାର୍ଯ୍ୟକାରୀ କରିବା ଦିଗରେ ଏହି ସ୍କିମ୍ କେତେ ପ୍ରଭାବୀ ହେବ।
ରାହୁଲ ଗାନ୍ଧିଙ୍କ ଘୋଷଣା ପରେ କଂଗ୍ରେସ ନେତା ଓ କର୍ମୀ ଏହାକୁ ଐତିହାସିକ କହୁଛନ୍ତି। ରାହୁଲ ବି କହିଛନ୍ତି ବିଶ୍ୱରେ ଏମିତି ସ୍କିମ୍ ନାହିଁ। ୟୁନିଭର୍ସାଲ୍ ବେସିକ୍ ଇନକମ୍ ଉପରେ କେନ୍ଦ୍ର ସରକାର ବି ଚିନ୍ତା କରୁଛନ୍ତି। ଏଦିଗରେ ଆସନ୍ତା ବଜେଟରେ କିଛି ଘୋଷଣା ହୋଇପାରେ। ଏହାର ରୂପରେଖ ନେଇ ବିଚାର ଆଲୋଚନା କରାଯାଇଛି। କିନ୍ତୁ ଚିନ୍ତାର ବିଷୟ ହେଉଛି, ସବସିଡି ସହ ଏଭଳି ଯୋଜନା ଲାଗୁ କଲେ ସରକାରୀ ବୋଝ ବଢ଼ିବ। ଯଦି ସବସିଡି ହଟାଇବେ ସରକାର, ତେବେ ଭୋଟ ବ୍ୟାଙ୍କ ପ୍ରଭାବିତ ହେବ ନିହାତି। ବିଶେଷଜ୍ଞଙ୍କ ମତରେ ଦେଶରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଦିଆଯିବ ନା ନୂଆ ହିତାଧିକାରୀ ଚୟନର ପ୍ରକ୍ରିୟା ଅଲଗା ରହିବ ? ଯଦି ସର୍ବନିମ୍ନ ରୋଜଗାର ଗ୍ୟାରେଣ୍ଟି ଦିଆଯାଏ, ତେବେ ଦେଶର ୯୦ କୋଟିରୁ ଅଧିକ ଲୋକ ଏହି ସ୍କିମରେ ଲାଭାନ୍ୱିତ ହେବେ। ଉଦାହରଣ ସ୍ୱରୂପ, ଯଦି ଗୋଟିଏ ପରିବାରରେ ୫ ଜଣ ସଦସ୍ୟ ଥାଆନ୍ତି ଓ ଜଣ ପିଛା ହଜାରେ ଟଙ୍କା ଲେଖାଏଁ ଦିଆଗଲେ ଯୋଜନାରେ ଖର୍ଚ୍ଚ ପରିମାଣ ୨ ଲକ୍ଷ ୪୦ ହଜାର କୋଟି ଟଙ୍କା ହେବ।
ବେସିକ୍ ଇନକମ୍ କଥା ଉଠିଲେ ତିନିଟି ଚ୍ୟାଲେଞ୍ଜ ଦିଗ ବି ସାମନକୁ ଆସୁଛି। ପ୍ରଥମ ପ୍ରଶ୍ନ ଏଥିପାଇଁ ଆଇନରେ କୌଣସି ବିଧି ବ୍ୟବସ୍ଥା ଆସିବ କି? ଏକଥା ଚିନ୍ତା କରିବା ଦରକାର ଯେ, ଏଥିରେ ରାଜନୀତି ଅଛି ନା ଆଇନ ଆସିବ? ଯଦି କେବଳ ରାଜନୈତିକ ଅଭିଳାଷା ରଖି ଭୋଟ ହାତେଇବା ଉପରେ ନଜର ରହିଥିବ, ଭବିଷ୍ୟତ କହିବ ମିଳିବ କି ନାହିଁ ? ଯଦି ଆଇନରେ ବିଧି ବ୍ୟବସ୍ଥା ରହିବ, ତେବେ ଏହା ସାମାଜିକ ସୁରକ୍ଷା ହୋଇଯିବ। ଦ୍ୱିତୀୟ ପ୍ରସଙ୍ଗ ହେଉଛି, କେଉଁମାନେ ଏଥିରେ ସାମିଲ ହେବେ? କେତେ ଲୋକ ଉପକୃତ ହେବେ? କାରଣ ଏପର୍ଯ୍ୟନ୍ତ ଗରିବର ପରିଭାଷା ନିଶ୍ଚିତ ହୋଇ ପାରି ନାହିଁ। ଗରିବ ସୀମାରେଖା ତଳେ ଦେଶରେ କେତେ ଲୋକ ଅଛନ୍ତି ସ୍ପଷ୍ଟ ହୋଇ ନାହିଁ? ଆଧାର କାର୍ଡ ଓ ଖାଦ୍ୟ ସୁରକ୍ଷା ଆଇନକୁ ଯଦି ମାନଦଣ୍ଡ ହିସାବରେ ଧରାଯାଏ, ତେବେ ଭାରତରେ ରହୁଥିବା ବାହାର ଦେଶର ଲୋକଙ୍କୁ ବି ମିଳିଛି। ବାଂଲାଦେଶର ନାଗରିକଙ୍କୁ ବି ମିଳିଛି ଆଧାର ଓ ରାସନ କାର୍ଡ। ତେଣୁ ଯେଉଁମାନଙ୍କ ପାଖରେ ଏସବୁ କାର୍ଡ ରହିଛି, ସେମାନଙ୍କୁ ବେସିକ୍ ଇନକମ୍ ସୁନିଶ୍ଚିତ କରାଯିବ କି ?
ରାହୁଲ ଗାନ୍ଧି ଏହି ଯୋଜନାର ଘୋଷଣା କରିବା ସହ ଏହା ପଛରେ ଗ୍ୟାରେଣ୍ଟି ଶବ୍ଦକୁ ଯୋଡ଼ି ଦେଇଛନ୍ତି। ଏମିତି ଯୋଜନା ୟୁପିଏ-୧ ଓ ୟୁପିଏ-୨ ସରକାର ତାଙ୍କ କାର୍ଯ୍ୟକାଳରେ ଲାଗୁ କରିଥିଲେ। ସେଇଟା ଥିଲା ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗା। ଯଦି ଦେଖିବା ୨୦୦୯ ସାଧାରଣ ନିର୍ବାଚନରେ ମନରେଗା କଂଗ୍ରେସକୁ ଫାଇଦା ଦେଇଥିଲା। ରାହୁଲଙ୍କ ଘୋଷଣା ପରେ ଚର୍ଚ୍ଚା ହେଉଛି, ଏହା କଣ ମନରେଗା ଭଳି ଗୋଟିଏ ସ୍କିମ୍ କି ? ନା ସମ୍ପୂର୍ଣ୍ଣ ନୂଆ ଯୋଜନା ଆଣିବ କଂଗ୍ରେସ, ଯଦି ୨୦୧୯ରେ ସରକାରକୁ ଫେରିବ।
କଛି ଅର୍ଥନୀତି ବିଶେଷଜ୍ଞ ଏହାକୁ ମନରେଗା ଭଳି ଯୋଜନା ରୂପରେ ଦେଖୁଛନ୍ତି। ସେମାନଙ୍କ କହିବା କଥା ହେଲା, ମନରେଗା ନିର୍ଦ୍ଦିଷ୍ଟ କିଛି ଦିନ କର୍ମ ନିଯୁକ୍ତିର ଗ୍ୟାରେଣ୍ଟି ଦେଉଛି। କିନ୍ତୁ ୟୁନିଭର୍ସାଲ୍ ବେସିକ୍ ଇନକମ୍ ବ ର୍ଷସାରାଆୟ ଯୋଗାଇବ । ସେହିପରି ମନରେଗାକୁ ଉଦାହରଣ ହିସାବରେ ନେଲେ, ଉପଭୋକ୍ତା ଅଧିକାରରୁ ବଞ୍ଚିତ ହୋଇପାରନ୍ତି। କାରଣ ମନରେଗା ଗ୍ୟାରେଣ୍ଟି ତ ଦେଉଛି, କିନ୍ତୁ ଅଧିକାର ନୁହେଁ। କିନ୍ତୁ ପ୍ରସଙ୍ଗ ହେଉଛି ଏହାକୁ କାର୍ଯ୍ୟକାରୀ କରୁଥିବା ବ୍ୟକ୍ତି ବିଶେଷ ଅବା ସରକାର ଯୋଜନାକୁ କିଭଳି ଦୃଷ୍ଟିରେ ଦେଖୁଛନ୍ତି। ରାଜନୀତି ନା ଜନ ହିତକର ଯୋଜନା ।
୨୦୧୧ରେ ଶେଷଥର ଜନଗଣନା କରାଯାଇଥିଲା । ଏ ୮ ବର୍ଷ ଭିତରେ ଜନସଂଖ୍ୟା ବୃଦ୍ଧି ପାଇଛି । ତେଣୁ କିଭଳି ଭାବେ ହିସାବ କରି ଲୋକଙ୍କୁ ଅର୍ଥ ଦିଆଯିବ ସେ ହେଉଛି ଏକ ବଡ଼ ପ୍ରଶ୍ନ ।
ମୋଦିଙ୍କ ୟୁନିଭର୍ସାଲ ବେସିକ ଇନକମ୍ ସ୍କିମ୍
ମୋଦି ସରକାର ଆଗାମୀ ବଜେଟ୍ରେ ୟୁନିଭର୍ସାଲ ଇନକମ୍ ସ୍କିମ୍ ଲାଗୁ କରିବାକୁ ଚିନ୍ତା କରୁଥିଲେ । ତେବେ ତାହା ଲାଗୁ ହେବା ପୂର୍ବରୁ ବା ଘୋଷଣା ପୂର୍ବରୁ ରାହୁଲ ସମାନ ରୂପକ ଯୋଜନାର ଖାଲି ନାଁ ବଦଳାଇ ବଡ଼ ଘୋଷଣାଟି କରି ଦେଲେ । ସମ୍ଭବତଃ ଆସନ୍ତା ଫେବ୍ରୁଆରୀ ୧ ତାରିଖ ଦିନ ସାଧାରଣ ନିର୍ବାଚନ ପୂର୍ବର ଶେଷ ବଜେଟ୍ରେ ଏକଥା ଘୋଷଣା କରାଯାଇଥାନ୍ତା । ଏବେ କଣ କରିବେ ମୋଦି ସରକାର ତା ଉପରେ ସମସ୍ତଙ୍କ ନଜର ରହିଛି । ଅବଶ୍ୟ ୨୦୧୬-୧୭ରେ ଏହି ଯୋଜନାକୁ ଲାଗୁ କରିବା ଲାଗି ସୁପାରିଶ କରାଯାଇଥିଲା ।
![SCHEME-1]()
ଦେଶରେ ଆଗରୁ ଥିଲା କି ?
ପୂର୍ବରୁ ୨୦୧୧-୧୨ରେ ୟୁନିସେଫ୍ ପକ୍ଷରୁ ମଧ୍ୟପ୍ରଦେଶରେ ପରୀକ୍ଷାମୂଳକ ଭାବେ ମିନିମମ୍ ଇନକମ୍ ଗ୍ୟାରେଣ୍ଟି ଯୋଜନାକୁ ଲାଗୁ କରାଯାଇଥିଲା । ୧୧ଟି ଗାଁର ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା । ଉଭୟ ପୁରୁଷ ଓ ମହିଳାଙ୍କୁ ୫୦୦ ଲେଖାଏଁ ଏବଂ ପିଲାମାନଙ୍କୁ ୧୫୦ ଟଙ୍କା ଲେଖାଏଁ ଦିଆଯାଇଥିଲା । ୨୦୧୬ ପର୍ଯ୍ୟନ୍ତ ୫ ବର୍ଷ ଧରି ଏହି ଯୋଜନାକୁ ଲାଗୁ କରାଯାଇଥିଲା । ଯାହାର ସକାରାତ୍ମକ ଫଳାଫଳ ଦେଖିବାକୁ ମିଳିଥିଲା । ସଂପୃକ୍ତ ଗ୍ରାମବାସୀଙ୍କ ଆୟ ବଢ଼ିଥିବା ଦେଖିବାକୁ ମିଳିଥିଲା । ଏବେ ସିକ୍କିମରେ ଏହାକୁ ଲାଗୁ କରିବା ଲାଗି ପ୍ରସ୍ତାବ ଦିଆଯାଇଛି ।
ସେହିପରି ଅନ୍ତର୍ଜାତୀୟ ଅର୍ଥନୀତିଜ୍ଞମାନେ ଭାରତ ଭଳି ଏକ ଦେଶରେ ଏଭଳି ସ୍କିମ୍ ଲାଗୁ କରିବା ସପକ୍ଷରେ ଅଛନ୍ତି । କାରଣ ଭାରତ ଭଳି ଦେଶରେ ଆୟରେ ଅସମାନତା ରହିଛି । ତେଣୁ ୟୁନିଭର୍ସାଲ ଇନକମ୍ ସ୍କିମ୍ ଏଠି ଦାରିଦ୍ର୍ୟ ଦୂର କରିବାରେ ସହାୟକ ହେବ । ତେବେ ଭୋଟ୍ ରାଜନୀତିରେ ଦାରିଦ୍ର୍ୟ ଦୂରୀକରଣ ଓ ଗରିବଙ୍କୁ ସର୍ବନିମ୍ନ ଆୟ ଯୋଗାଇ ଦେବା ନାଁରେ ପୁଣି ମୁହାଁମୁହିଁ ହୋଇଛନ୍ତି ମୋଦି ଓ ରାହୁଲ ।
ଅଜିତ କୁମାର ଦେହୁରୀ