ଭୁବନେଶ୍ୱର (କେନ୍ୟୁଜ୍) : ଗତ ବର୍ଷ ବି ଏଇ ପରିସ୍ଥିତି ଥିଲା । ଆଉ ଏଥର ମଧ୍ୟ ।
ପୁଣି ରଜ ମଉଜକୁ ମାଡ଼ କରିଛି କରୋନା । ନା ଅଛି ମଉଜ ମଜଲିସ୍, ନା ଅଛି ହସ ଉଲ୍ଲାସ। ରଜ ଆସିଲେ ସମସ୍ତେ ଖୋଜନ୍ତି ପୋଡ଼ପିଠା, ଦୋଳି ଖେଳ ଓ ରଜ ପାନ। ରଜ ପାନର ମଜା ନିଆରା। ପିଠାପଣା ସାଙ୍ଗକୁ ଯଦି ପାନ ଖଣ୍ଡେ ଖାଇବା ହେଇଗଲା ତା ହେଲେ ଜମି ଗଲା। କିନ୍ତୁ ଏଥର ପାନ ଦୋକାନ ସବୁ ବନ୍ଦ ଥବାରୁ ଅନଲାଇନ୍ରେ ମିଳିବ ପାନ। ପ୍ରତିବର୍ଷ ରଜରେ ପାନର ବିଭିନ୍ନ ଷ୍ଟଲ ଲାଗିଥାଏ ସବୁ ଛକରେ। କିନ୍ତୁ ଏବର୍ଷ ସେଭଳି କିଛି ନାହିଁ। କାରଣ ଲକ୍ଡାଉନ୍ରେ ଦୋକାନ ବଜାର ବନ୍ଦ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସୋସିଆଲ ମିଡିଆରେ ପାନର ଚାଲିଛି ଜୋରଦାର ପ୍ରଚାର। ଭୁବନେଶ୍ୱରର ସହିଦ ନଗରରେ ଥିବା ବନାରସୀ ପାନ ଭଣ୍ଡାର ପାନର ଚାହିଦା ବର୍ଷ ବର୍ଷ ଧରି ରହିଛି । ସବୁ ବର୍ଷ ପରି ଏଥର ମଧ୍ଯ ବନାରସୀ ପାନ ଭଣ୍ଡାର କରିଛି ବିଭିନ୍ନ ପ୍ରକାର ବ୍ୟବସ୍ଥା।
ଚଳିତ ବର୍ଷର ସ୍ପେଶାଲିଟି ହେଉଛି ଲଡୁ ପାନ। ବିଭିନ୍ନ ପ୍ରକାରର ଲଡୁ ପାନ ମଧ୍ୟରେ ରହିଛି କୋକନଟ୍ କ୍ରଞ୍ଚି, କେସର, ଟୁଟିଫ୍ରୁଟି, ଇଲାଇଚି ଓ ଡ୍ରାଇଫ୍ରୁଟ୍ ଫ୍ଲେଭରର ଲଡୁ ପାନ। ଏସବୁ ପାନର ଦାମ ହେଉଛି ୩୦ ଟଙ୍କା। ପ୍ରାୟ ୧୩୫ ପ୍ରକାର ପାନ ରହିଛି ଏଥର। ପାନର ଦାମ୍ ୨୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ ଟଙ୍କା ଯାଏଁ ରହିଛି । ଫ୍ରୋଜନ୍ ପାନର ହେଉଛି ଅଧିକ ଡିମାଣ୍ଡ । ମିଠା ପତ୍ର ପାନରେ ଦିଲବର୍, ଦିଲଓ୍ବାଲା, ଦିଲ୍ ଦିଓ୍ବାନେ, ଦବଙ୍ଗ, ଡାଏଟ୍ ଭଳି ଭେରାଇଟି ରାନ ରହିଛି।
ପିଲାଙ୍କ ପାଇଁ ମଧ୍ଯ ଚୋକୋ ପାନ, କିଟକାଟ୍ ପାନ ରହିଛି। ବନାରସ ପାନ ଭଣ୍ଡାରର ମୁଖ୍ଯ ରମାକାନ୍ତ ସେନାପତିଙ୍କ ମତରେ ସେ ଅନଲାଇନ୍ରେ ୩ ବର୍ଷ ହେଲା ପାନ ବିକ୍ରି କରି ଆସୁଛନ୍ତି। ଚଳିତ ବର୍ଷ ଗ୍ରାହକ ସ୍ବିଗୀ, ଉପହାର ଡଟ୍ କମ୍, ମୋ ବିବିଏସଆର ମାଧ୍ଯମରେ ପାନ ପାଇ ପାରିବେ। ୧୪ ତାରିଖରୁ ୧୬ ତାରିଖ ଯାଏଁ ଏହି ପାନ ମିଳିବ।