ଭେଟନ୍ତୁ ରଜନୀ ପଣ୍ଡିତଙ୍କୁ, ଗୋଟିଏ ମାମଲା ପାଇଁ ୬ ମାସ ଚାକାରାଣୀ ହେଲେ ଆଉ ଖୁଲାସା କଲେ ମର୍ଡର ମିଷ୍ଟ୍ରି

ରଜନୀ ପଣ୍ଡିତ୍ । ଆପଣ ମାନଙ୍କ ମଧ୍ୟରୁ ବୋଧେ କିଛି ଜଣ ୟାଙ୍କୁ ବିଷୟରେ ନିଶ୍ଚୟ ଜାଣିଥିବେ । ଆଉ ଯେଉଁମାନେ ଜାଣନାହାଁନ୍ତି ସେମାନେ ଆଜି ପରଠୁ ଏହି ନାଁ ଭୁଲିବେନି । ଦେଶର ପ୍ରଥମ ପ୍ରାଇଭେଟ୍ ମହିଳା ଡିଟେକ୍ଟିଭ୍ ରଜନୀ ପଣ୍ଡିତ୍ । ଏବେ ସୋସିଆଲ୍ ମିଡିଆରେ ରଜନୀଙ୍କର ଖୁବ୍ ଚର୍ଚ୍ଚା ହେଉଛି । କାରଣ ହେଉଛି ଏକ ମର୍ଡର ମିଷ୍ଟ୍ରି ସମାଧାନର କାହାଣୀ । ଗୋଟିଏ ମର୍ଡର ମିଷ୍ଟ୍ରି ଖୁଲାସା କରିବା ପାଇଁ ୬ ମାସ ଯାଏଁ ଜଣକ ଘରେ ଚାକରାଣୀ ଭାବେ କରୁଥିଲେ ରଜନୀ । ନିଜକୁ ଦେଶୀ ଶେରଲକ୍ ହୋମ୍ସ ମାନୁଥିବା ରଜନୀଙ୍କ ଏହି କାହାଣୀ ଫେସବୁକରେ ହ୍ୟୁମାନ୍ସ ଅଫ୍ ବମ୍ବେ ନାମକ ପେଜରେ ସେୟାର୍ କରିଛନ୍ତି ।
ଏହି କେସ୍ ରଜନୀଙ୍କ କ୍ୟାରିୟରର ସବୁଠାରୁ ବଡ ଚ୍ୟାଲେଞ୍ଜପୂର୍ଣ୍ଣ କାମ ଥିଲା । ମଙ୍ଗଳବାର ଦିନ ପୋଷ୍ଟ କରାଯାଇଥିବା ଏହି କାହାଣୀ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ହଜାର ସେୟାର୍ କରାଯାଇଛି । ଆଉ ୨୫ହଜାରରୁ ଅଧିକ ଫେସବୁକ୍ ୟୁଜର୍ ଏହାକୁ ପସନ୍ଦ କରିଛନ୍ତି ।
ଅଭିଯୁକ୍ତ ମହିଳାଙ୍କ ଘରେ ହୋଇଗଲେ ଚାକରାଣୀ :
ନିଜ ପୋଷ୍ଟରେ ରଜନୀ ଲେଖିଛନ୍ତି, ଏହି ମର୍ଡର ମିଷ୍ଟ୍ରିକୁ ସାମାଧାନ କରିବା ପାଇଁ ପ୍ରମାଣର ଆବଶ୍ୟକତା ଥିଲା । ଜଣେ ମହିଳାଙ୍କ ସ୍ବାମୀ ଏବଂ ପୁଅର ହତ୍ୟା କରାଯାଇଥିଲା । କିନ୍ତୁ କିଏ ଥିଲା ମାଷ୍ଟରମାଇଣ୍ଡ୍ ତାହା ଜଣାପଡୁନଥିଲା । ହେଲେ ହତ୍ୟା ସନ୍ଦେହ ଥିଲା ଉକ୍ତ ମହିଳାଙ୍କ ଉପରେ । ଆଉ ସୁରାଗ୍ ପାଇଁ ସେହି ମହିଳାଙ୍କ ଘରେ ଚାକରାଣୀ ହୋଇଗଲେ ରଜନୀ । ତାହା ପୁଣି ୬ ମାସ ଯାଏଁ ।
. . . ସେଦିନ ପଡିଯାଇଥାନ୍ତେ ଧରା :
ରଜନୀଙ୍କ କହିବା ଅନୁଯାୟୀ, ଥରେ ଅଭିଯୁକ୍ତ ମହିଳାଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ହୋଇଯାଇଥିଲା । ଆଉ ଦିନ ରାତି ସେବା କରି ତାଙ୍କ ବିଶ୍ବାସ ଜିତି ନେଇଥିଲେ । କିନ୍ତୁ ଥରେ ଘରେ କେହି ନଥିବା ବେଳେ ରଜନୀଙ୍କ ରେକର୍ଡରରୁ ହଲକା ଭାବରେ କ୍ଲିକ୍ ଶବ୍ଦ ଆସିଥିଲା । ଯାହା ଫଳରେ ରଜନୀଙ୍କ ଉପରେ ସନ୍ଦେହ କରି ସେଦିନ ପରଠାରୁ ଘରୁ ବାହାରକୁ ଯିବା ପାଇଁ ପ୍ରତିବନ୍ଧକ ଲଗାଇଦେଇଥିଲେ ।
ଯେତେବେଳେ ମହିଳାଙ୍କୁ ଦେଖାକରିବାକୁ ଆସିଲା ହତ୍ୟାକାରୀ :
ସେଦିନ ମହିଳାଙ୍କୁ ଦେଖାକରିବାକୁ ଆସିଥିଲା ଜଣେ ବ୍ୟକ୍ତି । ଯିଏ ପ୍ରକୃତରେ ଥିଲା ହତ୍ୟାକାରୀ । ଏହା ସୁବର୍ଣ୍ଣ ସୁଯୋଗ ଥିଲା ଘରୁ ବାହାରକୁ ଯିବା ପାଇଁ । ତେଣୁ ନିଜ ଗୋଡ ଛୁରୀରେ ଆହତ କରି ପଟି କରିବା ବାହାନାରେ ବାହାରକୁ ଚାଲିଗଲେ ରଜନୀ । ଆଉ ବୁଥରୁ ନିଜ କ୍ଲାଇଣ୍ଟକୁ କଲ୍ କରି ପୋଲିସ୍ ସହ ଆସିବାକୁ କହିଥିଲେ । ଏହା ପରେ ଉଭୟ ମହିଳା ଏବଂ ଅଭିଯୁକ୍ତ ଗିରଫ ହୋଇଥିଲେ ।
ପରେ ଜଣା ପଡିଲା ମହିଳାଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଆଉ ରାସ୍ତାରେ କଂଟା ଥିଲେ ସ୍ବାମୀ ଏବଂ ପୁଅ । ତେଣୁ ପ୍ରେମିକ ସହ ମିଶି ଉଭୟଙ୍କୁ ହତ୍ୟା କରିଦେଇଥିଲେ ।
୨୨ ବର୍ଷ ବୟସରେ ପ୍ରଥମ କେସ୍ :
ଡିକ୍ଟେଟିଭ୍ ଭାବରେ କାମ କରିବା ତାଙ୍କର କଲେଜ୍ ଦିନର ହିଁ ନିଷ୍ପତ୍ତି ଥିଲା । ଏଥିପାଇଁ କଲେଜର ପ୍ରଥମ ବର୍ଷରୁ ପ୍ରେରଣା ମିଳିଥିଲା । ରଜନୀଙ୍କର ଜଣେ ବନ୍ଧୁଙ୍କର ଚୋରି ହୋଇଥିଲା । ଆଉ ଏହାର ଛାନଭିନ୍ କରିବାକୁ ରଜନୀ ନିଷ୍ପତ୍ତି ନେଲେ । ମାତ୍ର ୨୨ ବର୍ଷ ବୟସରେ ହିଁ ସେ ପ୍ରଥମ କେସର ସମାଧାନ କରିଥିଲେ । ଏହା ପରେ ରଜନୀଙ୍କ ନିକଟକୁ ଲୋକମାନେ ନିଜ କେସ୍ ନେଇ ଆସିଥିଲେ । ଏହା ପରେ ଆରମ୍ଭ ହୋଇଥିଲା ତାଙ୍କ ସଫଳତାର ଯାତ୍ରା । ରଜନୀଙ୍କ ବାପା ସିଆଇଡିରେ ଥିଲେ । ତେଣୁ ପିଲାବେଳୁ ହିଁ ଏସବୁ କାମ ପାଇଁ ଟ୍ରିକ୍ସ ଜାଣିଯାଇଥିଲେ । ହେଲେ ତାଙ୍କ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଙ୍ଗ୍ ଥିଲା ଏକ ମର୍ଡର କେସ୍ । ଯାହାର ସାମାଧାନ କରିବା ପାଇଁ ଚାକରାଣୀ ଭାବରେ କାମ କରିଥିଲେ । ୧୯୯୧ରେ ସେ ନିଜର ଏକ ଏଜେନ୍ସି ଖୋଲିଥିଲେ ।
ରଜନୀଙ୍କୁ ଗିରଫ କରିଥିଲା ପୋଲିସ୍ :
ବର୍ତ୍ତମାନ ସୁଦ୍ଧା ୮୦ହଜାର ମାମଲାର ସମାଧାନ କରିସାରିଛନ୍ତି ରଜନୀ । ଏହା ମଧ୍ୟରେ ଦୁଇଟି ବହି ମଧ୍ୟ ଲେଖିସାରିଛନ୍ତି । ତେବେ ରଜନୀଙ୍କ କାମ ଏତେ ବିପଦଜ୍ଜନକ ଯେ ଅନେକ ସମୟରେ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳୁଛି । ତେବେ କ୍ଲାଏଣ୍ଟ ପାଇଁ ଅବୈଧ ଉପାୟରେ କଲ୍ ଡିଟେଲ୍ସ ବାହାର କରିବା ଅଭିଯୋଗରେ ଚଳିତ ବର୍ଷ ଫେବୃଆରୀରେ ଥାଣେ ପୋଲିସ୍ ରଜନୀଙ୍କୁ ଗିରଫ କରିଥିଲା ।