ଅଧାରେ ଅଟକି ଗଲା ରାମାୟଣ ନାଟକ, ଆରପାରିକୁ ଚାଲିଗଲେ ବୈକୁଣ୍ଠ

ବାଲିଗୁଡ଼ା: ମଞ୍ଚରେ ଚାଲିଥିଲା ରାମାୟଣ ନାଟକ । ତନ୍ମୟ ହୋଇ ନାଟକ ଦେଖୁଥିଲେ ଦର୍ଶକ । ଆଉ ନିଜ ନିଜ ଚରିତ୍ରରେ ନିଖୁଣ ଅଭିନୟ କରିବା ପାଇଁ ଜୋର୍ ଲଗାଇ ଦେଇଥିଲେ ଅଭିନେତାମାନେ । ହେଲେ ସେହି ମଞ୍ଚରେ ଘଟିଲା ଅଘଟଣ । ନାଟକ ପରିବେଷଣ ସମୟରେ ହିଁ ହଠାତ୍ ମଞ୍ଚ ଉପରେ ଟଳି ପଡିଲେ ମନ୍ଥରା । ଅଧାରେ ଅଟକିଲା ରାମାୟଣ ନାଟକ ।
ରାମାୟଣ ନାଟକରେ ରାମଚନ୍ଦ୍ରଙ୍କ ୧୪ ବର୍ଷ ବନବାସ ଯିବା ଦୃଶ୍ୟ ପୂର୍ବରୁ ଘଟିଲା ଏହି ଅଘଟଣ । ମଞ୍ଚରେ ମନ୍ଥରା ଚରିତ୍ରରେ ଅଭିନୟ କରୁଥିବା ବରିଷ୍ଠ କଳାକାର ବୈକୁଣ୍ଠ ସାହୁ ଅଭିନୟ କରୁ କରୁ ଟଳି ପଡ଼ିଲେ ଆଉ ସବୁଦିନ ପାଇଁ ତାଙ୍କ ଅଭିନୟରେ ଯବନିକା ପଡ଼ିଗଲା । ମଞ୍ଚରେ ମନ୍ଥରାଙ୍କ ମୃତ୍ୟୁ ପରେ ଆଉ ହୋଇ ପାରିଲାନି ରାମାୟଣ ନାଟକ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର ସାଇନପଡା ଗାଁରେ l ସାଇନପଡା ଗାଁରେ ପ୍ରତି ବର୍ଷ ଭଳି ଚଳିତ ଥର ମଧ୍ୟ ଅଷ୍ଟ ପ୍ରହରୀ ନାମଯଜ୍ଞ ମହା ଆଡମ୍ବର ସହ ଆୟୋଜନ କରାଯାଇଥିଲା l ୪୨ତମ ଅଷ୍ଟ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହେବା ପରେ ରାମାୟଣ ନାଟକ ମଧ୍ୟ ସବୁ ବର୍ଷ ପରି ଅନୁଷ୍ଠିତ ହୋଇଥିଲା l
ରାମାୟଣ ନାଟକ ପରିବେଷିତ ହେଉଥିଲା । ନାଟକ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା l ରାମାୟଣ ନାଟକ ଦେଖି ଲୋକେ ଯେତିକି ଉତ୍ସାହିତ ରହିଥିଲେ ପ୍ରଭୁ ରାମଚନ୍ଦ୍ରଙ୍କ ଵନବାସ ଯିବା ଚରିତ୍ରକୁ ନେଇ ସେତିକି ଭାବ ବିହ୍ଵଳ ମଧ୍ୟ ହୋଇ ପଡ଼ିଥିଲେ l ଭରତଙ୍କୁ ରାଜା କରିବା ନେଇ ମନ୍ଥରା ରାଣୀ କୈକେୟୀଙ୍କୁ ପ୍ରବର୍ତ୍ତାଇ ଥିଲେ । ସେହି ଅନୁସାରେ କୈକେୟୀ ରାଜା ଦଶରଥଙ୍କୁ ମାଗିଥିଲେ । ଦୁଇଟି ବର ରୂପେ ଭରତଙ୍କୁ ରାଜା କରିବା ଓ ପ୍ରଭୁ ରାମଚନ୍ଦ୍ରଙ୍କୁ ୧୪ ବର୍ଷ ଵନବାସ ଯିବା ବର ମାଗିଥିଲେ କୈକେୟୀ । ଏହି ଦୃଶ୍ୟ ସମସ୍ତଙ୍କୁ ଭାବ ବିହ୍ଵଳ କରିଥିଲା l ମଞ୍ଚ ଉପରେ ବୈକୁଣ୍ଠଙ୍କ ମନ୍ଥରା ଚରିତ୍ର ବେଶ୍ ଜୀବନ୍ତ ଲାଗୁଥିଲା । ହେଲେ ଯେତେବେଳେ ତାଙ୍କର ପରବର୍ତ୍ତୀ ସିନ୍ ପଡ଼ିଲା ହଠାତ ଅସୁସ୍ଥ ଅନୁଭବ କଲେ ଆଉ ସେହି ମଞ୍ଚ ଉପରେ ଟଳି ପଡ଼ିଥିଲେ l ଏ ଦୃଶ୍ୟ ଦେଖି ଉପସ୍ଥିତ ଥିବା ସମସ୍ତେ ହତବାକ୍ ହୋଇ ଯାଇଥିଲେ l ମଞ୍ଚରେ ବୈକୁଣ୍ଠ ଟଳି ପଡିବା ପରେ ରାମାୟଣ ନାଟକ ଅସମ୍ପୂର୍ଣ୍ଣ ରହିଗଲା l ସାଙ୍ଗେ ସାଙ୍ଗେ ନାଚ କମିଟିର ସଦସ୍ୟମାନେ ବୈକୁଣ୍ଠଙ୍କୁ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ବରିଷ୍ଠ କଳାକାର ତଥା ନାଚ କମିଟିର ସଭାପତି ବୈକୁଣ୍ଠ ସାହୁଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ସାଇନପଡା ଗାଁ l ବିଶ୍ବାସ କରି ପାରୁ ନାହାନ୍ତି ବୈକୁଣ୍ଠଙ୍କ ପରିବାର ଲୋକଙ୍କ ସମେତ ସାଥି କଳାକାର ଓ ଗାଁ ଲୋକେ l ବୈକୁଣ୍ଠ ଏକାଧାରରେ ଜଣେ ନିଖୁଣ କଳାକାର ତଥା ଆୟୋଜକ ଥିଲେ l ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ ସମୟ ଧରି ସେ ମହାଭାରତ ଓ ରାମାୟଣ ନାଟକରେ ବେଦବତୀ, ଦ୍ରୌପଦୀ, ମନ୍ଥରା ଆଦି ବିଭିନ୍ନ ଚରିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ l ଜଣେ ଅତ୍ୟନ୍ତ ସ୍ପଷ୍ଟବାଦୀ ବ୍ୟକ୍ତିଙ୍କୁ ହରେଇ ଆଜି ଝୁରୁଛି ସାଇନପଡା ଗାଁ ମାଟି l
କେତେବେଳେ କାହା ସହ କଣ ଘଟିବ ? କିଏ ଆମ ଗହଣରୁ ଚାଲିଯିବ ସେ ବିଷୟରେ କେହି ଆଗରୁ ଜାଣି ନଥାଏ । ନିକଟରେ କଳିଙ୍ଗ ଟିଭିର କରୋନା ଜେଜ ଏମିତି ମଞ୍ଚ ଉପରେ ଟଳି ପଡ଼ି ପ୍ରାଣ ହରାଇଥିଲେ । ସତରେ… ଚାହୁଁ ଚାହୁଁ କ୍ଷଣିକ ଭିତରେ ସବୁ କିଛି ଓଲଟ ପାଲଟ ହୋଇଯାଏ । ଖୁସି ବଦଳରେ ଲୁହରେ ଭିଜି ଯାଏ ପରିବେଶ । ତେବେ ଏଭଳି ମୃତ୍ୟୁର କାରଣ ଓ ନିରାକରଣ କଥା ଗୁରୁତ୍ବର ସହ ଚିନ୍ତା କରିବାର ବେଳ ଆସିଛି ।
Also Read:ଅଟୋ ସହ ସ୍କୁଟି ଧକ୍କା, ଦମ୍ପତି ମୃତ, ଅଳ୍ପକେ ବର୍ତ୍ତିଗଲା ୩ ବର୍ଷର କୁନି ଝିଅ