ବର୍ଷ ଆରମ୍ଭରୁ କରୋନା ମହାମାରୀ ଅନେକ ଲୋକଙ୍କୁ ଆଣି ରାସ୍ତାରେ ଛିଡ଼ା କରେଇ ଦେଇଛି। ଏମିତି ବହୁତ ପରିବାର ଅଛନ୍ତି, ଯାହାଙ୍କୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନାହିଁ। ଏହାରି ଭିତରେ ବହୁ ବେସରକାରୀ ସଙ୍ଗଠନ, ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଉଛନ୍ତି। ସେମାନଙ୍କ ମଧ୍ୟରେ ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ହାଇଦ୍ରାବାଦର ରାମୁ ଦୋସପାଟୀ, ଯିଏ ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ‘Rice ATM’ ଆରମ୍ଭ କରିଛନ୍ତି। ବ୍ୟକ୍ତି ଜଣକ ଗରିବ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି।
ସୂଚନା ମୁତାବକ, ରାମୁ ଦୋସପାଟୀଙ୍କ ‘Rice ATM’ ୨୪ ଘଣ୍ଟା ଖୋଲା ରହିଥାଏ। ଯଦି କାହା ପାଖରେ ଖାଇବା ପାଇଁ କିଛି ସାମଗ୍ରୀ ନ ଥାଏ, ତା’ହେଲେ ସେ ରାମୁଙ୍କ ଘରକୁ ଯାଇ ରାଶନ କିଟ ଏବଂ ଗ୍ରୋସରୀ ସାମଗ୍ରୀ ନେଇଆସିଥାଏ। ତେବେ ରାମୁ ଗତ ୧୭୦ ଦିନ ଧରି ଗରିବ ଏବଂ ଖଟିଖିଆ ଲୋକଙ୍କୁ ପ୍ରତ୍ୟେକ ଦିନ ରାଶନ ସାମଗ୍ରୀ ବାଣ୍ଟୁଛନ୍ତି। ତାଙ୍କ ଘର ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗିଛି।
ଖାସ କଥା ହେଉଛି, କରୋନା ଲକଡାଉନରୁ ଆଜି ପର୍ଯ୍ୟନ୍ତ ସେ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ୧୫ ହଜାର ଲୋକଙ୍କୁ ସାହାଯ୍ୟ କରିସାରିଲେଣି। ଖବରରୁ ଜଣାପଡ଼ିଛି, ଦିନେ ଜଣେ ସିକ୍ୟୁରୀଟି ଗାର୍ଡ ଶ୍ରମିକମାନଙ୍କୁ ସାହାଯ୍ୟ କରୁଥିବାର ରାମୁ ଦେଖିଥିଲେ। ଏହା ଦେଖି ତାଙ୍କ ମନରେ ଭାବନା ଆସିଥିଲା ଯେ ଯଦି ମାସକୁ ୫ ହଜାର ରୋଜଗାର କରୁଥିବା ସିକ୍ୟୁରୀଟି ଗାର୍ଡ ଲୋକଙ୍କୁ ସାହାଯ୍ୟ କରୁଛି, ତେବେ ମାସକୁ ଲକ୍ଷେ ଟଙ୍କା ରୋଜଗାର କରୁଥିବା ଲୋକ କାହିଁକି କରିପାରିବ ନାହିଁ। ସେହିଦିନଠାରୁ ରାମୁ ନିଜର ସେବା ଜାରି ରଖିଛନ୍ତି।