ଭଦ୍ରକର ନିଆରା ଗାଁ, ଯେଉଁଠି ପ୍ରଥା ପରମ୍ପରାକୁ ଆଜିବି ଜାବୁଡି ଧରିଛନ୍ତି ଲୋକେ

ଭଦ୍ରକ (କେନ୍ୟୁଜ) : ପୂର୍ବର ପ୍ରଥା ପରମ୍ପରାକୁ ଭୁଲି ପାଶ୍ଚାତ୍ୟ ସଭ୍ଯତା ଓ ସଂସ୍କୃତିକୁ ଆଜିର ଶିକ୍ଷିତ ଯୁବ ସମାଜ ଅଧିକ ପସନ୍ଦ କରୁଥିବାରୁ ଗାଁ ର ପୁରାତନ ସଂସ୍କୃତି ଓ ପରମ୍ପରା ନଷ୍ଟ ହୋଇ ଗଲାଣି। ଏପରିକି ଅଧିକାଂଶ ଲୋକ ମାନେ ସହରାଭିମୁଖୀ ହେବା ଫଳରେ ଗାଁ ପ୍ରତି ଥିବା ମୋହ ମାୟା ମଧ୍ୟ କମିଯାଉଛି। କିନ୍ତୁ ଓଡିଶାର ଏବେବି ଅନେକ ଗାଁ ଅଛି ଯେଉଁଠି ଲୋକମାନେ ଗ୍ରାମ୍ଯ ସଂସ୍କୃତି ପରମ୍ପରାକୁ ଉଦ୍ଜୀବିତ ରଖିଶହ ଶହ ବର୍ଷ ହେବ ଏକାଠି ରହି ଆସୁ ଛନ୍ତି। ସେ ସବୁ ଗାଁ ମଧ୍ୟରୁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ଥିବା ଏକ ନିଆରା ଗାଁ ହେଉଛି ଗୁରୁ ନଗର ଶାସନ। ଏହି ଗାଁ ର ପୁରାତନ ସଂସ୍କୃତି ପରମ୍ପରାକୁ ନେଇ ଲୋକ ମାନେ ଦୀର୍ଘ ଦୁଇ ଶହ ବର୍ଷରୁ ଅଧିକ ହେବ ରହି ଆସୁଛନ୍ତି। ଗାଁର ଲୋକ ମାନେ ଓଡିଶାର ସେହି ପୁରାତନ ସଂସ୍କୃତି ଓ ପରମ୍ପରାକୁ ଜାବୁଡି ଧରି ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ସେମାନେ ସବୁ ପର୍ବ ପର୍ବାଣି ଓ ପରମ୍ପରାକୁ ଅତି ଶ୍ରଦ୍ଧାର ସହ ପାଳନ କରି ଆସୁଛନ୍ତି। ତେବେ ପଞ୍ଚକ ବା ରାହାସ ପୂର୍ଣ୍ଣିମା ହେଉଛି ଏହି ଗାଁ ଏକ ବଡ଼ ପାରମ୍ପରିକ ଉତ୍ସବ। ସେଥିପାଇଁ ଗାଁର ୭ ଦିନ ଧରି ଆଧ୍ୟାତ୍ମିକ ବାରବାରଣ ଲାଗି ରହିଥାଏ। ତେଣୁ ଗାଁର ପିଲାଙ୍କ ଠାରୁ ବୁଢା ବୁଢ଼ୀଙ୍କ ପର୍ଯ୍ଯନ୍ତ ସମସ୍ତେ ହରିହରଙ୍କ ପୂଜାରେ ନିଜକୁ ନିମଗ୍ନ କରନ୍ତି। ଆଉ ଏହି ୭ ଦିନ ଗାଁରେ ଯେମିତି ଉତ୍ସବ ପାଳନ ଭଳି ଲାଗେ।

ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ଥ କୋଠାର ପଂଚାୟତରେ ରହିଛି ଗୁରୁନଗର ଶାସନ ଗାଁ। ଏହି ଗାଁକୁ ତତ୍କାଳୀନ କୋଠାର ଇଷ୍ଟେଟର ଜମିଦାର ଗୁରୁ ପ୍ରସାଦ ଘୋଷ ପ୍ରତିଷ୍ଠା କରିଥିଲେ। ୧୦ ଗୋଟି ବ୍ରାହ୍ମଣ ପରିବାରକୁ ପ୍ରଥମେ ଆଣି ଏଠାରେ ରଖି ଏକ ଗ୍ରାମ ପ୍ରତିଷ୍ଠା କରିବା ସହିତ ଗ୍ରାମର ନାମ କରଣ ମଧ୍ୟ କରିଥିଲେ। ଏହାସହିତ ଏକ ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ। ଏବେ ଏହି ଗାଁ ର୧୫ ଗୋଟି ବ୍ରାହ୍ମଣ ପରିବାରର ଦୁଇ ଶହ ରୁ ଅଧିକ ଲୋକ ଏକାଠି ରହି ଆସୁଛନ୍ତି। କେବଳ ସେତିକି ନୁହେଁ ଏହି ବ୍ରାହ୍ମଣ ମାନଙ୍କ ପାଇଁ ଦେଢ଼ ଶହ ଏକର ଜମି ମଧ୍ୟ ଦାନ କରିଥିଲେ ତତ୍କାଳୀନ ଜମିଦାର। ଗେଙ୍ଗୁଟି ନଦୀ କୂଳରେ ଥିବା ଏହି ଗାଁ ମୁଣ୍ଡରେ ହରିହରଙ୍କ ମନ୍ଦିର ରହିଛି। ଗୋଟିଏ ମନ୍ଦିରରେ ଫଣେଶ୍ୱର ମହାଦେବ ଓ ଜଗନାଥ ପୂଜା ପାଉଛନ୍ତି। ସେହିପରି ଗାଁ ଶେଷ ମୁଣ୍ଡରେ ଗ୍ରାମ ଦେବତୀ ମା ନାରାୟଣୀ ପୂଜା ପାଉଥିବା ବେଳେ ଗାଁ ମଝିରେ ଦେବୀ ଦୁର୍ଗା ବିରାଜ ମାନ କରିଛନ୍ତି।

ତେଣୁ ଗାଁ ଲୋକ ମାନେ ଦେବାଦେବୀଙ୍କ ପୂଜାରେ ପ୍ରତିଦିନ ନିମଗ୍ନ ଥାନ୍ତି। ତେବେ ଗାଁ ରେ ଜାଗର ଯାତ୍ରା, ଦୁର୍ଗା ପୂଜା ମହୋତ୍ସଭ ଓ ରାହାସ ପୁର୍ଣିମା ଉତ୍ସବକୁ ମହା ଆଡମ୍ବର ସହିତ ପାଳନ କରନ୍ତି ଏହି ଗାଁର ଲୋକେ। ତାହା ଛଡା ଭାଗବତ ସପ୍ତାହ ମଧ୍ୟ ଚାଲିଥାଏ ତେବେ ରାହାସ ପୂର୍ଣ୍ଣିମା ରେ ବିଶେଷ କାର୍ଯ୍ଯକ୍ରମ ମହିଳା ମାନେ କରିଥାନ୍ତି। ଏହି ଦିନରେ ଯିଏ ଯେଉଁଠି ଥାନ୍ତି ଗାଁ କୁ ଆସିଥାନ୍ତି। ଚଳିତ ବର୍ଷ ମଧ୍ୟ ଅଁଳା ନବମୀ ଠାରୁ ରାହାସ ପୁର୍ଣିମା ପର୍ଯ୍ୟ ନ୍ତ ୭ ଦିନ ଧରି ଗାଁରେ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଥିଲା ଗ୍ରାମର ୯୭ ବର୍ଷୀୟ ସ୍‌ୱାଧୀନତା ସଂଗ୍ରାମୀ ଲଷ୍ମୀଧର ମିଶ୍ରଙ୍କୁ ମୁରବି ଭାବେ ଗାଁର ଲୋକ ମାନେ ମାନି ଚଳନ୍ତି। ରାହାସ ପୂର୍ଣ୍ଣିମା ଅବସରରେ ଗାଁ ବୟସ୍କ ମହିଳା ମାନେ ନିଜ ଗାଁ ରେ ହବିଷ୍ଯ କରନ୍ତି। ମହିଳା ମାନେ ଏକତ୍ରିତ ହୋଇ ହରିହର ମନ୍ଦିର ପାଖରେ ଥିବା ଚଉରାରେ ବୃନ୍ଦାବତୀ।ଙ୍କ ପୂଜାକୁ ନିଆରା ଢଙ୍ଗରେ କରନ୍ତି। ଏପରିକି ଏହି ସାତ ଦିନ ବାଲୁକା ପୂଜାୟ, ଚଉରା ପୂଜା, ରାଧାକୃଷ୍ଣଙ୍କ ପୂଜା ଓ ଆକାଶ ଦୀପ ଆଦି ପୂଜା କରାଯାଇଥିଲା। ଗାଁର ଏହି ହବିଷ୍ଯାଳି ମାନଙ୍କ ନିଆରା ପୂଜା ଓ ଭଗବତ ବିଶ୍ୱାସ କୁ ଯେ କେହି ବି ଦେଖିବ ବିମୋହିତ ହୋଇ ଯିବ। ସାତ ଦିନ ଧରି ସମସ୍ତେ ଭାଗବତ ପଢିବା ଓ ଶୁଣିବା ଆଦିରେ ନିମଗ୍ନ ରହିଥିବା ଦେଖିବାକୁ ମିଳିଛି.ତେବେ ଏହି ଗାଁ ର ଏହି ପରମ୍ପରା ସେମାନଙ୍କ ପାଇଁ ସବୁ କିଛି ବୋଲି କହିବା ସହିତ ଏହା ଗାଁ ସେମାଙ୍କୁ ଆନନ୍ଦ ଦେଉଛି ବୋଲି କୁହନ୍ତି।

ସେହିପରି ଭାବେ ଗାଁ ରେ ରାହାସ ପୁର୍ଣିମା ଅବସରରେ ୭ ଦିନ ଧରି ସ୍ୱତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥାଏ। ହବିଷ୍ଯାଳି ମାନଙ୍କ ନିଷ୍ଠାପର ପୂଜା କୁ ଗ୍ରାମର ଅନ୍ଯ ମହିଳା ଓ ବହୁ ମାନେ ଅନୁକରଣ କରନ୍ତି। ପୁରି ଭଳି ଏଠାରେ ମଧ୍ୟ ପ୍ରତି ଦିନ ଆନନ୍ଦ ବଜାର ଲାଗେ। ସମସ୍ତେ ମିଳିମିଶି ପ୍ରସାଦ ସେବନ କରନ୍ତି, ପ୍ରସାଦ ତିଆରିରେ ମହିଳାମାନେ ଆଗ୍ରହର ସହିତ ସବୁ କାମକୁ କରିଥାନ୍ତି। ତେବେ ଗାଁ ଭିତରେ ଥିବା ଭାଇ ଚାରା ଶାନ୍ତି ସଦଭାବ ଗାଁର ଏକତାକୁ ଅଧିକ ଦୃଢ଼ୀଭୂତ କରି ରଖିଛି। ତେଣୁ ଏହି ନିଆରା ଗାଁକୁ ଦେଖିଲେ ଭାରି ଖୁସି ଲାଗେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.