ଯାହାଙ୍କ ଭକ୍ତିର ପରୀକ୍ଷା ନେବାକୁ ଆସିଥିଲେ ପଞ୍ଚଶଖା, ସେହି ଦାସିଆ ବାଉରୀଙ୍କ ପରାକାଷ୍ଠା

ପିପିଲି(କେ ନ୍ୟୁଜ): ସେ ହେଉଛନ୍ତି ଭାବର ଠାକୁର । ଭାବ ବିନା ତାଙ୍କୁ ସହଜରେ ପାଇ ହୁଏ ନାହିଁ । ଯିଏ ଥରେ ଭକ୍ତିରେ ପ୍ରେମରେ ଭାବରେ ତାଙ୍କ ନିକଟତର ହୋଇଛି ସେ ତାକୁ କୋଳେଇ ନେଇଛନ୍ତି । ସେ ପରା କୋଟି ଓଡ଼ିଆର ମଉଡ଼ିମଣୀ । ସେଥିପାଇଁ ତ କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ବଡ଼ ଦାଣ୍ଡର ଶରଧା ବାଲିରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜିମିଥାଏ । ଭକ୍ତ ଏବଂ ଭଗବାନଙ୍କ ମଧ୍ଯରେ ସମ୍ପର୍କ ଯୁଗେ ଯୁଗେ ରହି ଆସିଅଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ଭକ୍ତ ରହିଛନ୍ତି ସେହି ଭକ୍ତମାନଙ୍କ ମଧ୍ଯରେ ଜଣେ ହେଉଛନ୍ତି ଭକ୍ତ ଶିରୋମଣି ଦାସିଆ ବାଉରୀ । ଭୂବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇଶପୁର ନିକଟ ନୁଆଗୋଡ଼ି ଛକ ନିକଟରୁ ବାମ ପଟେ ୩ କିଲୋମିଟର ଗଲେ ପଡ଼େ ବାଲି ଗାଁ । ଏହି ଗାଁଟି ବିଷୟରେ ଆପଣମାନେ ପୂର୍ବରୁ ନିଶ୍ଚିତ ରୂପେ ଶୁଣିଥିବେ । ଏହି ଗାଁରେ ପଂଚଦଶ ଶତାଦ୍ଦୀର କାର୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀତିଥିରେ ବାପା ଚେମା ଏବଂ ମା’ ବାଉଲୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ ଦାସିଆ ବାଉରୀ ।

dasia bahuri

ଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ଜଣେ ବୁଣାକାର ଭାବରେ ବେଶ ପରିଚିତ ଥିଲେ ସେ । ତନ୍ତରେ ବୁଣି ଏହାକୁ ନେଇ ସ୍ଥାନୀୟ ଅଂଚଳରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଦାସିଆଙ୍କ ସ୍ତ୍ରୀ ମାଳିଆ ତାଙ୍କୁ ଏଦିଗରେ ସହଯୋଗ କରୁଥିଲେ । ରତ୍ନଚିରା ନଦୀ ଉପରେ ଥିବା ବାଲିଶଯ୍ଯା ଉପରେ ଗାଁଟି ଅବସ୍ଥିତ ଥିବାରୁ ଗାଁ ନାମ କରଣ ହୋଇଥିଲା ବାଲି ଗାଁ । ଭକ୍ତ ଦାସିଆ ମନରେ ସବୁବେଳେ ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅତି ନିକଟରୁ ଟିକେ ଦର୍ଶନ କରିବେ । ତାଙ୍କ ନିକଟକୁ ନଡ଼ିଆଟିଏ ପଠାଇବେ ବୋଲି ମନେ ମନେ ସ୍ଥିର କରିଥାନ୍ତି ଦାସିଆ ବହୁରୀ । ସେଇଥି ପାଇଁ ନିଜ ହାତରେ ତିଆରି କରିଥିବା ଗାମୁଛାଟିକୁ ବିକ୍ରି କରି ନଡ଼ିଆଟିଏ କିଣିଥିଲେ । ଏହାକୁ ଜଣେ ବ୍ରାହ୍ମଣଙ୍କ ହାତରେ କାଳିଆ ନିକଟକୁ ପଠାଇଥିଲେ । ଯାହାକୁ ନିଜେ ମହାପ୍ରଭୁ ହାତ ବଢ଼ାଇ ନେଇଥିଲେ । ସେ ସମୟରେ ଭକ୍ତ ଦାସିଆଙ୍କ ପରାକାଷ୍ଟା ସମସ୍ତଙ୍କୁ ମୁଗ୍ଧ କରିଥିଲା । ଏହାପରେ ଦାସିଆ ନିଜେ କାଳିଆ ସାଆନ୍ତଙ୍କ ପାଖକୁ ଛୁଟି ଯାଇଥିଲେ ଝୁଡ଼ିଏ ଆମ୍ବ ନେଇ । ପାଦରେ ଚାଲି ଚାଲି ବଡ଼ ଦେଉଳ ନିକଟରେ ପହଂଚି ମହାପ୍ରଭୁଙ୍କୁ ଆମ୍ବ ଝୁଡ଼ି ହାତ ଟେକି ଧରିଥିଲେ ।

dasia bahuri

କଣ ହେଲା କେଜାଣି ମାତ୍ର କିଛି ସମୟ ଭିତରେ ଝୁଡିକ ଯାକ ଆମ୍ବ ଖାଲି ହୋଇଗଲା । ରତ୍ନ ସିଂହାସନ ପଛପଟେ ଆମ୍ବ ଟାକୁଆ ପଡ଼ିଥିବାର ଦେଖି ଆଶ୍ଚଯ୍ଯ ହୋଇଯାଇଥିଲେ ସେବାୟତ ମାନେ । କୁହାଯାଏକି କାଳିଆ ସାଆନ୍ତ ନିଜେ ଛୁଟି ଯାଇଥିଲେ ଦାସିଆଙ୍କ ଗରିବ କୁଡ଼ିଆକୁ । ମୁନି ଋଷି ସାରା ଜୀବନ ସାଧନା କରି ଯାହାଙ୍କ ଦର୍ଶନ ଟିକେ ପାଇପାରନ୍ତି ନାହିଁ । ପ୍ରଭୁଙ୍କୁ ଦର୍ଶନ କରି ଭୋ ଭୋ କାନ୍ଦି ଉଠିଥିଲେ ଦାସିଆ ଏବଂ ତାଙ୍କ ସ୍ତ୍ରୀ ମାଳତୀ । ଲୁହରେ ଭିଜିଥିଲା କାଳିଆ ସାଆନ୍ତଙ୍କ ପାଦ । ଏହା ପରେ ଦାସିଆର କୁଟୀର ତଥା ସାରା ଗାଁଟା ମହକି ଉଠିଥିଲା ତୁଳସି ଓ ଦୟଣାର ବାସ୍ନାରେ । ଘଟିଥିଲା ଆଉ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା | ଦିନେ ଦାସିଆଙ୍କ ସ୍ତ୍ରୀ ମାଳିଆ ବାରିପଟର କଳମଶାଗକୁ ଭାଜିବା ସହିତ ଅରୁଆ ଚାଉଳରେ ଜାଉ ରାନ୍ଧିଥାନ୍ତି । ଜାଉ ଉପରେ ଶାଗ ଭଜାକୁ ଦେଖି ସେ କାଳିଆ ସାଆ‘ଙ୍କ ଚକା ଚକା ଆଖିକୁ ଦେଖିପାରିଥିଲେ ଭକ୍ତ ଦାସିଆ ।

ଭକ୍ତ ଦାସିଆଙ୍କୁ ଗଜପତି ପ୍ରତାପରୁଦ୍ର ଦେବ ଭକ୍ତ ଶିରୋମଣି ଉପାଧି ପ୍ରଦାନ କରିଥିଲେ । ଏହା ଶୁଣିବା ପରେ ପଂଚଶଖା ଆଶ୍ଚର୍ଯ୍ଯ ହୋଇ ପରୀକ୍ଷା କରିବା ପାଇଁ ବାଲିଗାଁରେ ପହଂଚିଥିଲେ । ସେଠାରେ ଦାସିଆ ଛଦ୍ମବେଶୀ ପଂଚ ଶଖାଙ୍କୁ ଚିହ୍ନି ପକାଇ ସେମାନଙ୍କ ସମସ୍ତ ପ୍ରଶ୍ନର ଉତର ଦେଇଥିଲେ । ସେମାନଙ୍କୁ ଦଶବତାର ଦର୍ଶନ କରାଇଥିଲେ । ଏବେ ଦାସିଆ କି ତାଙ୍କର ପରିବାର କେହି ନାହାନ୍ତି ସତ କିନ୍ତୁ ରହିଯାଇଛି ତାଙ୍କର ଅନେକ ସ୍ମୃତି । ଦାସିଆଙ୍କ ପୀଠରେ ରହିଛି ରାଧାମୋହନ ମଠ । ଏଥିରେ ସୁଦର୍ଶନ ଚକ୍ର , ରାଧାମୋହନ ଠାକୁର ଅନେକ ଶାଳଗ୍ରାମ ସ୍ଥାପିତ ହୋଇଛନ୍ତି । ଏଠାରେ ପାଂଚ ଜଣ ସାଧୁଙ୍କ ସାମାଧି ପୀଠ ରହିଥିବାବେଳେ ଦାସିଆଙ୍କର ଏକ ବଡ଼ ସମାଧୀ ସ୍ଥଳ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.