ଶୀତ ଋତୁ ଆସିଲେ ଶୀତୁଆ ସକାଳର ମଜା ନବାକୁ ଭାରି ଭଲ ଲାଗେ । ଆଉ ଏହି ସମୟରେ ପିକନିକ କଥା ଆସିଲେ ସମସ୍ତଙ୍କର ପାହାଡ଼ ଝରଣା କଥା ମନକୁ ଆସେ । ଜଙ୍ଗଲ ପରିବେଷ୍ଟିତ ଶାନ୍ତ ଓ ସବୁଜ ପରିବେଶରେ ଭରପୁର ମଜା ନେବା ସହ ବଣଭୋଜିର ମଜା ଉଠାନ୍ତି ପର୍ଯ୍ୟଟକ । ତେବେ ପିକନିକ ଋତୁରେ ପର୍ଯ୍ୟଟକଙ୍କ ମନମୋହୁଛି ରତ୍ନାସୁରର ରତ୍ନଗଣ୍ଡ ଝରଣା । ରାଜ୍ୟରେ ରହିଛି ଅନେକ ପର୍ଯ୍ୟଟନ କ୍ଷେତ୍ର ସେଥି ମଧ୍ୟରୁ ଦଶପଲ୍ଲା ବ୍ଲକର ଟାକରା ପଞ୍ଚାୟତ ଅନ୍ତର୍ଗତ ବିରୀଗଡ ପାହାଡ଼ ପାଦଦେଶରେ ଥିବା ରତ୍ନଗଣ୍ତ ଜଳପ୍ରପାତ ହେଉଛି ଅନ୍ୟତମ ।
ଦଶହରା ପରଠାରୁ ପ୍ରାୟ ଜାନୁଆରୀ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ସ୍ଥଳୀରେ ଲାଗିଥାଏ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖାଲି ରାଜ୍ୟ ନୁହେଁ ବରଂ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ବଣ ପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓ ଶାନ୍ତ ପରିବେଶ ମଧ୍ୟରେ ରହିଛି ଏକ ପ୍ରାକୃତିକ ଝରଣା । କୁଳୁକୁଳୁ ନାଦରେ ପାହାଡ଼ ଉପରୁ ଝରି ଆସୁଥିବା ଝରଣା ସାଙ୍ଗକୁ ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ଓ ଶାନ୍ତ ପରିବେଶର ଦୃଶ୍ୟ ଯେ କୌଣସି ଲୋକଙ୍କୁ ଆକର୍ଷିତ କରିଥାଏ । ଦଶପଲ୍ଲା ବ୍ଲକ କାର୍ଯ୍ୟାଳୟ ଠାରୁ ବୌଦ୍ଧ ରାସ୍ତା ଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ରହିଛି ଏହି ରତ୍ନଗଣ୍ଡ ଝରଣାର କଥା । ଏହି ରତ୍ନଗଣ୍ଡ ଜଳପ୍ରପାତ ପରିସରରେ ରହିଛି ଏକ ପଥର ଶଯ୍ୟା ତା ସହିତ ବହୁ ଆକର୍ଷଣୀୟ ସ୍ଥାନ । ତେବେ ଏହି ଝରଣା ଟି ଅନେକ ପୌରାଣିକ କିମ୍ବଦନ୍ତୀ ସହିତ ଜଡ଼ିତ ହୋଇ ରହିଛି । ରତ୍ନାସୁର ନାମାନୁସାରେ ଏହି ଜଳପ୍ରପାତ ର ନାମ ରତ୍ନଗଣ୍ଡ ରଖାଯାଇ ଥିବା ସ୍ଥାନୀୟ ଲୋକ କହିଛନ୍ତି ।
ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳପ୍ରପାତକୁ ଦେଖିବା ପାଇଁ ବହୁ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି । କିନ୍ତୁ ଏହାର ଆନୁଷଙ୍ଗିକ କୌଣସି ସୁବିଧା ନଥିବା ସହ ଏହାର ପ୍ରଚାର ପ୍ରସାର ଅଭାବରୁ ଲୋକଲୋଚନକୁ ଆସିପାରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ । ଯଦି ଏହି ସ୍ଥାନକୁ ସରକାର ଟିକେ ଦୃଷ୍ଟି ଦିଅନ୍ତେ ନିଶ୍ଚିନ୍ତ ରୂପେ ଏହାର ପ୍ରଚାର ପ୍ରସାର ବଢିବା ସହିତ ଏହି ସ୍ଥାନଟି ଲୋକଲୋଚନକୁ ଆସିପାରନ୍ତା ବୋଲି ପର୍ଯ୍ୟଟକ କହିଛନ୍ତି ।
ତେବେ ଦେଖିବାକୁ ବାକି ରହିଲା ଅନେକ ପୌରାଣିକ କିମ୍ବଦନ୍ତୀକୁ ବହନ କରୁଥିବା ଏହି ଜଳପ୍ରପାତର ଆଗାମୀ ଦିନରେ କଣ ଉନ୍ନତି ହେଉଛି ନା ଲୋକଲୋଚନକୁ ଆସିନପାରି ସେମିତି ଦୃଷ୍ଟି ଆଢ଼ୁଆଳରେ ରହିଯିବ ଏହି ଝରଣା ।