ସାରା ଦେଶରେ ବିଜୟାଦଶମୀ ଦିନ ବଡ ଧୁମଧାମରେ ରାବଣ ପୋଡି ଉତ୍ସବ ବଡ ଧୁମଧାମରେ ପାଳନ କରାଯାଇଥାଏ । ଏହାକୁ ଅନ୍ୟାୟ ଉପରେ ନ୍ୟାୟର ବିଜୟ ବା ଅସତ୍ୟ ଉପରେ ସତ୍ୟର ବିଜୟ ର ପ୍ରତୀକ ରୂପେ ମଧ୍ୟ ଧରାଯାଇଥାଏ । ରାବଣ ପୋଡି ବିଶେଷ କରି ଉତ୍ତର ଭାରତରେ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ଏଠାରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ରାବଣ ପୋଡି ଉତ୍ସବ ଜମା ହୋଇ ହିଁ ନଥାଏ ବା ଦଶମୀ ଦିନ ନ ହୋଇ ତାପରେ ହୋଇଥାଏ । ଦଶହରା ଦିନ ଏହି ସ୍ଥାନ ମାନଙ୍କରେ କାହିଁକି ରାବଣ ପୋଡି ହୋଇନଥାଏ ଆସନ୍ତୁ ଜାଣିବା ସେ ସମ୍ବନ୍ଧୀୟ ଏକ ରିପୋର୍ଟ ।
ଉତ୍ତର ପ୍ରଦେଶ ସ୍ଥିତ କାନପୁରର ଦେହାତର ଡେରାପୁର ଠାରେ ହେଉଥିବା ରାମଲୀଳାରେ ଦଶମୀ ଦିନ ରାବଣର ଦହନ ନ ହୋଇ ଏକାଦଶୀ ଦିନ ଏହାର ଦହନ ହୋଇନଥାଏ । ଏଠାରେ ପ୍ରଚଳିତ ଏକ ପୌରାଣିକ କାହାଣୀ ଅନୁଯାୟୀ ପ୍ରଭୁ ଶ୍ରୀରାମ ମିତ୍ର ବିଭୀଷଣଙ୍କ କଥାରେ ଦଶମୀ ଦିନ ରାବଣର ନାଭିରେ ଶର ମାରିଥିଲେ । ଏହା ଫଳରେ ଏକାଦଶୀ ଦିନ ରାବଣର ମୃତ୍ୟୁ ହୋଇଥିଲା । ତେଣୁ କରି ଏଠାରେ ଏକାଦେଶୀ ଦିନ ରାବଣର ଦହନ ହୋଇଥାଏ ।
କାନପୁର ନିକଟସ୍ଥ କଞ୍ଜିହାରିରେ ମଧ୍ୟ ରାବଣ ଦହନର ଏକ ଭିନ୍ନ ପରମ୍ପରା ଅଛି । ଏଠାକାର ରାମଲୀଳାରେ ରାବଣ ବଦ୍ଧର ପରମ୍ପରା ଥିଲେ ମଧ୍ୟ ଏଠାରେ ରାବଣକୁ ଦହନ କରାଯାଇନଥାଏ । ଏଠାକାର ଜଣେ ବୟସ୍କ ଲୋକଙ୍କ କହିବା ଅନୁଯାୟୀ ରାବଣର ବିଦ୍ୱାନତା କାରଣରୁ ହିଁ ଏଠାରେ ରାବଣକୁ ଦହନ କରାଯାଇନଥାଏ । ଏଠାରେ ଦଶହରା ଦିନ ରାମ ଓ ରାବଣ ପକ୍ଷରୁ ରଥ ବାହାର କରାଯାଇଥାଏ । ସେମାନଙ୍କ ସେନା ମାନଙ୍କ ଭିତରେ ବି ଯୁଦ୍ଧ ହୋଇଥାଏ । କିନ୍ତୁ ରାବଣ ମରଣ ଦୃଶ୍ୟ ତ୍ରୟୋଦଶୀ ଦିନ କରାଯାଇଥାଏ । ଏହା ସହ ପୂର୍ଣ୍ଣମୀ ଦିନ ରାମଙ୍କ ରାଜ୍ୟ ଅଭିଷେକ ମଧ୍ୟ କରାଯାଇଥାଏ ।
ଏହା ସହ ପଢନ୍ତୁ: ଆଜି ବି ଏଠାକାର ଲୋକମାନେ ରାବଣକୁ ମାନନ୍ତି ନିଜର ଜ୍ୱାଇଁପୁଅ, ଲଙ୍କାପତିଙ୍କ ଆଗରେ ମୁଣ୍ଡରେ ଓଢ଼ଣା ପକାଇ ଯାଆନ୍ତି ମହିଳା
ଉତ୍ତର ପ୍ରଦେଶର ଆଉ ଏକ ସ୍ଥାନ କନୌଜ ଠାରେ ମଧ୍ୟ ଦଶହରା ଦିନ ରାବଣ ପୋଡି ଉତ୍ସବ ନହୋଇ ପୂର୍ଣ୍ଣମୀ ଦିନ ହୋଇଥାଏ । ଏଠାରେ ପ୍ରଚଳିତ ଏକ ପୌରାଣିକ କାହାଣୀ ଅନୁଯାୟୀ ରାବଣ ଶରତ ପୂର୍ଣ୍ଣମୀ ଦିନ ହିଁ ନିଜ ପ୍ରାଣ ତ୍ୟାଗ କରିଥିଲେ । ଉତ୍ତର ପ୍ରଦେଶର ଊନାଓ ଠାରେ ପ୍ରାୟ ୧୪୬ ବର୍ଷ ହେବ ରାମଲୀଳା ଉତ୍ସବ ଅନୁଷ୍ଠିତ ହୋଇ ଆସୁଛି । ଏଠାରେ ଦଶହରା ବଦଳରେ ପୂର୍ଣ୍ଣମୀ ଦିନ ହିଁ ରାବଣ ଦହନର ଆୟୋଜନ ହୋଇଥାଏ । ଦଶହରା ଦିନ ଏଠାରେ ୪ ଦିନ ପାଇଁ ଏକ ମେଳା ଅନୁଷ୍ଠିତ ହୋଇଥାଏ । ମେଳାର ଅନ୍ତିମ ଦିନ ଅର୍ଥାତ ପୂର୍ଣ୍ଣମୀ ଦିନ ରାବଣକୁ ଦହନ କରାଯାଇଥାଏ ।