ଆପଣ ଧନତେରସରେ ସୁନା ତ କିଣୁଛନ୍ତି , ହେଲେ ଜାଣିଛନ୍ତି ଏହା ପଛର କାରଣ କଣ ?

ଧନ ଏବଂ ତେରସ୍ । ଏହି ଦୁଇଟି ଶବ୍ଦକୁ ନେଇ ହୋଇଛି ଧନତେରସ୍ । ଧନ ଅର୍ଥାତ୍ ସମୃଦ୍ଧି ଏବଂ ତେରସ୍ ହିନ୍ଦୁ କ୍ୟାଲେଣ୍ଡରର ୧୩ ତମ ଦିନ । ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ୍ ପାଳନ କରାଯାଏ । ଏହି ଦିନ ସୁନା କିଣିବା ଶୁଭ ବୋଲି କୁହାଯାଏ । ତେବେ ଜାଣନ୍ତି କି ଏହି ପରମ୍ପରା ପଛର କାରଣ ଏବଂ କେବେ ଏହା ଆରମ୍ଭ ହୋଇଥିଲା । ଜାଣନ୍ତୁ ପୁରା ଇତିହାସ ।
ପୌରାଣିକ କଥା ଅନୁଯାୟୀ, ହିମ ନାମକ ଜଣେ ରାଜାଙ୍କ ପୁଅଙ୍କ ଅଭିଶାପ ସହ ସମ୍ବନ୍ଧିତ ହେଉଛି ଧନତେରସ୍ । ରାଜା ହିମଙ୍କ ପୁଅକୁ ଅଭିଶାପ ଥିଲା ଯେ ବିବାହର ଚତୁର୍ଥ ଦିନରେ ହିଁ ତାର ଦେହାନ୍ତ ହେବ । ଯେତେବେଳେ ରାଜକୁମାରଙ୍କ ପତ୍ନୀଙ୍କୁ ଏକଥା ଜଣା ପଡିଥିଲା ସେତେବେଳେ ସେ ଏକ ଯୋଜନା କରିଥିଲେ । ସେ ନିଜ ସ୍ବାମୀଙ୍କୁ ବିବାହର ଚତୁର୍ଥ ଦିନ ନଶୋଇବାକୁ କହିଥିଲେ । ଏହା ପରେ ଘରର ମୁଖ୍ୟ ଦ୍ବାରରେ ସୁନା, ଚାନ୍ଦି ସହ ଅନ୍ୟ ବହୁମୂଲ୍ୟ ବସ୍ତୁ ରଖିଦେଇଥିଲେ । ଏହା ସହ ଘରର ଆଖ ପାଖରେ ଦୀପ ମଧ୍ୟ ଜଳାଇଥିଲେ । ଆଉ ସ୍ବାମୀ ଯେମିତି ନ ଶୁଅନ୍ତୁ ସେଥିପାଇଁ ଲାଗାତାର ଗୀତ ଏବଂ କାହାଣୀ ଶୁଣାଇଥିଲେ ।
ଯେତେବେଳେ ରାଜକୁମାରଙ୍କ ଜୀବନ ନେବା ପାଇଁ ଯମରାଜା ଆସିଲେ ସେତେବେଳେ ଆଭୂଷଣ ଏବଂ ଦୀପର ଚମକରେ ଅନ୍ଧ ହୋଇଗଲେ । ଘର ଭିତରକୁ ପ୍ରବେଶ କରିପାରିଲେନି । ଆଭୂଷଣରେ ବସି ସାରାରାତି ଗୀତ ଶୁଣିଲେ ।
ଏହା ସହ ପଢ଼ନ୍ତୁ : ୧୧୦୧ ବର୍ଷ ପରେ ଦୀପାବଳିରେ ପଡୁଛି ରାଜଯୋଗ, ବଦଳିଯିବ ଏହି ତିନି ରାଶିର ବ୍ୟକ୍ତିଙ୍କ ଭାଗ୍ୟ
ଆଉ ସକାଳ ହେବା ମାତ୍ରେ ରାଜକୁମାରଙ୍କ ଜୀବନ ନନେଇ ଚାଲିଗଲେ ଯମରାଜା । ଏହା ସହ ଆଉ ଏକ ଲୋକକଥା ହେଉଛି ଏହି ଦିନ ଭଗବାନ୍ ଧନ୍ବନ୍ତରୀଙ୍କ ଜନ୍ମ ହୋଇଥିଲା। ଯିଏ ସମୁଦ୍ରମନ୍ଥନ ସମୟରେ ନିଜ ସହ ଅମୃତ କଲଶ ନେଇ ପ୍ରକଟ ହୋଇଥିଲେ ।
ତେଣୁ କୁହାଯାଏ ଏହି ଦିନ ସୁନା ଚାନ୍ଦି ସହ ବହୁମୂଲ୍ୟ ସାମଗ୍ରୀ କିଣିଲେ ୧୩ ଗୁଣା ଅଧିକ ଫଳଦାୟୀ ହୋଇଥାଏ । ତେଣୁ କେହି ବି ଏହି ଅବସରକୁ ହାତଛଡା କରିବାକୁ ଚାହାଁନ୍ତି ନାହିଁ ।