ରୋଜଗାର ପାଇଁ ଯାଇ ଏବେ କଟା ହାତ ନେଇ ଫେରିଛନ୍ତି ରୀନା, ସରକାରୀ ସହାୟତାକୁ ଅପେକ୍ଷା

ବରଗଡ: ସାତ ଜନ୍ମର ସାଥି କରି ହାତ ଧରିଥିଲେ ସ୍ୱାମୀ, ହେଲେ ଅଧା ବାଟରେ ଛାଡି ଚାଲିଗଲେ ଆରପାରିକୁ । ନିଜକୁ ଏ ସମାଜରେ ତିଷ୍ଠି ରଖିବା ପାଇଁ ଦୁଇପଇସା ରୋଜଗାରକୁ ଅଣ୍ଟା ଭିଡିଲେ ପତ୍ନୀ । ଆଗପଛ ବିଚାର ନକରି ଚାଲିଗଲେ ସୁଦୂର ମଧ୍ୟପ୍ରଦେଶ । ହେଲେ ସେଇଠି ବି ଦଇବ ସାହା ହେଲାନି । ରୋଜଗାର ପାଇଁ ଯାଇ ଏବେ କଟା ହାତ ନେଇ ଫେରିଛନ୍ତି, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମର ରୀନା ମହାନନ୍ଦ । ହଁ ଆଜ୍ଞା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମର ରୀନା ମହାନନ୍ଦ ।
ସୂଚନା ମୁତାବକ, ସ୍ୱାମୀ ଗଲା ପରେ ରୀନା ମଧ୍ୟପ୍ରଦେଶର ଏକ ଡାକ୍ତର ଦମ୍ପତିଙ୍କ ଘରେ ମାସିକ ୩ ହଜାର ଟଙ୍କାରେ କାମ କରିବା ଆରମ୍ଭ କରିଥିଲେ । ଦୁଇ ତିନି ଦିନ କାମ କରିବା ପରେ ଏକ ଦୁର୍ଘଟଣାରେ ରୀନାଙ୍କ ହାତ ଉପରେ ଚଢିଗଲା ଗାଡି । ଦୁର୍ଘଟଣାରେ ନିଜର ଗୋଟିଏ ହାତ ହରାଇଥିଲେ ରୀନା । ଜଗଦଲପୁର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହସ୍ପିଟାଲରେ ଚିକିତ୍ସାଧିନ ଥିବା ରୀନା ମହାନନ୍ଦଙ୍କୁ ଏବେ ନିଜ ଗାଁ ପଡା ଗ୍ରାମକୁ ଫେରାଇ ଆଣିଛନ୍ତି ତାଙ୍କ ବାପା କରୁଣା ମହାନନ୍ଦ ।
ଅନେକ ସ୍ୱପ୍ନ ନେଇ ୨୦୦୩ ମସିହାରେ ମୁନିବାହାଲ ଗ୍ରାମରେ ବିବାହ କରିଥିଲେ ରୀନା ମହାନନ୍ଦ । ହେଲେ ୨୦୧୭ ମସିହାରେ ସ୍ଵାମୀଙ୍କ ଦେହାନ୍ତ ପରେ ନିଜ ବାପାଙ୍କ ଘର ପଡା ଗ୍ରାମକୁ ଆସି ରହୁଥିଲେ ରୀନା । ବାପା ମାଆ ଙ୍କୁ ବୁଣାକାର କାର୍ଯ୍ୟରେ ସହଯୋଗ କରୁଥିଲେ । ହେଲେ ଏବେ ଦୁର୍ଘଟଣାରେ ହାତ କଟିବାପରେ ରୀନା ପୂରା ଅସହାୟ । ସେପଟେ ଦୁର୍ଘଟଣାରେ ହାତ ଉପରକୁ ଗାଡି ଚଢି ଯିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ । ବରଗଡ଼ ମହିଳା ସମିତି ପକ୍ଷରୁ ଏକ ପ୍ରତିନିଧି ଦଳ ପଡା ଗ୍ରାମକୁ ଯାଇ ରୀନା ମହାନନ୍ଦଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଘଟଣା ଯାହା ହେଉ ନା କାହିଁକି ଏବେ ଅସହାୟ, ନିଷ୍ପେସିତ, ଗିରିବ ପରିବାରର ବିଧବା ମହିଳା ରୀନା ମହାନନ୍ଦ । କେବେ ରୀନାଙ୍କ ଉପରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିବା ସହ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି ତାକୁ ହିଁ ଅପେକ୍ଷା ।
ଆହୁରି ପଢନ୍ତୁ: ବାହାଘର ଦୁଇ ମାସରେ ଉଜୁଡ଼ି ଗଲା ସଂସାର, ମାତ୍ର ୨୬ ବର୍ଷ ବୟସରେ ଦୁନିଆ ଛାଡ଼ି ଦେଲେ ବଶିଷ୍ଠ