ଆଜି ମନେ ପଡୁଛନ୍ତି ସହିଦ ନିରଞ୍ଜନ ବେହେରା….

ଚାନ୍ଦବାଲି : ଆଜି ଦେଶ ପାଳୁଛି ୨୫ତମ କାରଗିଲ ବିଜୟ ଦିବସ । ୧୯୯୯ ମସିହା ଜୁଲାଇ ୨୬ତାରିଖ । କାର୍ଗିଲରେ ପାକିସ୍ତାନ ସେନା ଉପରେ ବିଜୟ ହାସଲ କରି ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା । ବନ୍ଧୁତାର ହାତ ବଢାଇଥିବା ଭାରତ ପ୍ରତି ବିଶ୍ୱାସଘାତକତା କରିଥିବା ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ।
ଅପରେସନ ବିଜୟରେ ସାରା ବିଶ୍ୱ ଦେଖିଥିଲା ଭାରତୀୟ ଯବାନଙ୍କ ସାହସ ଓ ପରାକ୍ରମ । ବିଶ୍ୱାସଘାତକତା ସହ ଭାରତରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନାକୁ ସୀମା ପାର୍ କରାଇ ଦେଶ ପାଳିଥିଲା ବିଜୟ ଦିବସ । ୨ ମାସ ୩ ସପ୍ତାହ ୨ ଦିନର କାରଗିଲ୍ ଲଢ଼େଇରେ ସହିଦ ହୋଇଥିଲେ ୫୨୭ ଭାରତୀୟ ସେନା ଅଧିକାରୀ ଓ ଯବାନ।
ସେହି ବୀର ସହିଦ ଯବାନମାନଙ୍କ ଭିତରେ ଥିଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଉତୁକୁଡା ପଂଚାୟତ ପାଙ୍ଗୁଡା ଗାଁର ସହିଦ ନିରଞ୍ଜନ ବେହେରା । କାରିଗଲ ଯୁଦ୍ଧରେ ସହିଦ ହୋଇଥିଲେ । ଦେଶ ପାଇଁ ସହିଦ ହୋଇଥିବାରୁ ନିଜ ପରିବାର ଲୋକଙ୍କ ସହ ସାରା ଦେଶବାସୀ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି । ବିଶେଷ କରି ନିଜ ଗାଁ ମାଟି ପାଣି ପବନ ଆଜି ବି ମନେ ପକାଉଛି ସହିଦ ନିରଞ୍ଜନ ବେହେରାଙ୍କୁ ।
ପାଙ୍ଗୁଡା ଗାଁର ଆଖୁଳି ଚରଣ ବେହେରା ଓ ଦ୍ରୌପଦୀ ବେହେରାଙ୍କ ଅତି ଗେହ୍ଲାର ସାନ ପୁଅ ନିରଞ୍ଜନ ବେହେରା। ଦେଶ ପାଇଁ ସହିଦ ହୋଇଥିବାରୁ ପତ୍ନୀ ସଂନ୍ଧ୍ୟାରାଣୀ ଗର୍ବ ଅନୁଭବ କରନ୍ତି ବୋଲି କୁହନ୍ତି । ହେଲେ ଦୁଃଖର ବିଷୟ ଯେଉଁ ମାଟିରେ ସହିଦ ନିରଞ୍ଜନ ବେହେରା ବଢି ଦେଶ ପାଇଁ ଟେକ ରଖିଲେ ନିଜ ଗାଁ ମାଟିରେ ସହିଦ ଦିବସ ପାଳନ କରାଯାଉନାହିଁ । କି ସହିଦ ପୀଠର ଉନ୍ନତି ହେଉନି ।
ଆଜି ଦେଶବାସୀଙ୍କ ପାଇଁ ଚିରସ୍ମରଣୀୟ ଓ ଗୌରବର ଦିନଟିଏ । ସାରା ଦେଶ ଏହି ଦିନକୁ କାରଗିଲ ବିଜୟ ଦିବସ ରୂପେ ପାଳନ କରିଆସୁଛି । ବୀର ଯବାନମାନେ ସହିଦ ହୋଇ କାରଗିଲ ଯୁଦ୍ଧରେ ବିଜୟ ହେବା ସହ ଦେଶର ମୁଣ୍ଡକୁ ଉଚ୍ଚ କରିଥିଲେ । ଆଉ ଏହି ସହିଦ ଯବାନଙ୍କ ଭିତରେ ସହିଦ ନିରଞ୍ଜନ ବେହେରା ଥିଲେ ଅନ୍ୟତମ ।