ନଡିଆ ସଢ଼େଇରେ କ୍ରାନ୍ତିକାରୀ ସହିଦ୍ ମାନଙ୍କର ପ୍ରତିଛବି କରି ଚର୍ଚ୍ଚାରେ ବିଜୟ

ଆଜି ହେଉଛି କ୍ରାନ୍ତିବୀର ଭଗତ୍ ସିଂ, ଶୁକଦେବ ଥପାର ଓ ଶିବରାମ ରାଜଗୁରୁଙ୍କର ସହିଦ୍ ଦିବସ । ଦେଶ ମାତୃକା ପାଇଁ ଜୀବନ ଦେଇଥିବା ଏହି ସହିଦମାନଙ୍କୁ ମନେ ପକାଇବା ପାଇଁ ଆଜି ସମସ୍ତ ସ୍ଥାନରେ ପାଳନ ହେଉଛି ସହିଦ୍ ଦିବସ । ତେବେ ଆଜିର ଅବସରରେ ନଡିଆ ସଢ଼େଇରେ କ୍ରାନ୍ତିକାରି ସହିଦ୍ ମାନଙ୍କର ପ୍ରତିଛବି ତିଆରି କରି ନିଜକୁ ନେଇ ଆଜି ବେଶ ଗର୍ବ ଅନୁଭବ କରିଛନ୍ତି ବିଜୟ । ବିଭିନ୍ନ ସ୍ଥାନରୁ ସଢେଇ ସଂଗ୍ରହ କରି ତାକୁ କାଟି ଅଠାରେ ଯୋଡ଼ି ତିଆରି କରିଛନ୍ତି ଏ ସବୁ ଜିନିଷ ।

ମୟୁରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସି ୭ ନମ୍ବର ୱାର୍ଡର ଏ ହେଉଛନ୍ତି ବିଜୟ କମିଳା । ବିଜୟ ପେଶାରେ ଜଣେ ମୋଟର ସାଇକେଲ ମେକାନିକ କିନ୍ତୁ ନିଶା ତାଙ୍କର ନଡିଆ ସଢ଼େଇରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରିବା । ଭଲ ଗାଡ଼ି ମେକାନିକ ଭାବେ ଅଞ୍ଚଳରେ ବେଶ ପରିଚିତ ବିଜୟ । ତାଙ୍କର କାମ ଯେମିତି ବ୍ୟବହାର ମଧ୍ୟ ସେମିତି । ନିଜର ଉତ୍ତମ ବ୍ୟବହାରରେ ଲୋକମାନଙ୍କୁ ଅତି ଆପଣାର କରିନିଅନ୍ତି । ପୂର୍ବରୁ ବିଜୟ କୋଭିଡ ଲକ ଡାଉନ୍ ସମୟରେ ସଢେଇ ଖୋଳାରେ ବିଭିନ୍ନ ପ୍ରକାର ଘରକରଣା ଜିନିଷ ତିଆରି କରି ଖୁବ ଚର୍ଚ୍ଚାରେ ଆସିଥିଲେ ।

ସବୁବେଳେ କିଛି ନୂଆ କରିବାର ଇଚ୍ଛା ଶକ୍ତି ଯୋଗୁଁ ଆଜି ତାଙ୍କୁ ମିଳିଛି ଏକ ଭିନ୍ନ ପରିଚୟ । ଘର କରଣା ଜିନିଷ ଠାରୁ ଆରମ୍ଭ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଡାକଟା ବିମାନ, ଚନ୍ଦ୍ରଯାନ ୩ ପରି ବିଭିନ୍ନ କଳାକୃତି ତିଆରି କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଅନ୍ୟପଟେ ତାଙ୍କର ଏହି ଉଦ୍ୟମକୁ ସମସ୍ତେ କରିଛନ୍ତି ପ୍ରଶଂସା । ତେବେ ଏହା ବିଜୟଙ୍କ ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ସେ ସଢେ଼ଇ ଖୋଳାରେ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଜିନିଷ ତିଆରି କରି ବିଭିନ୍ନ ସ୍ଥାନରୁ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

ଯେତେବେଳେ ସମୟ ପାଆନ୍ତି ସେତେବେଳେ ସେ ଏହି କାମ କରିଥାନ୍ତି । ଖାଲି ସମୟରେ ଗୋଟିଏ ପରେ ଗୋଟିଏ ଭିନ୍ନ ପ୍ରକାରର ଜିନିଷ ତିଆରି କରି ଚାଲିଛନ୍ତି ବିଜୟ । ଆଉ ପଛକୁ ଫେରି ଚାହିଁନାହାଁନ୍ତି । ପରିବାର ଲୋକଙ୍କ ପ୍ରେରଣା ପାଇଁ ହିଁ ଏସବୁ ସମ୍ଭବ ବୋଲି ବିଜୟ କହିଛନ୍ତି । ତେବେ ସରକାରୀ ପ୍ରୋତ୍ସାହନ ମିଳିଲେ ବିଜୟ ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

Also read: ରାଜଧାନୀରେ ନିଶା କାରବାର ନେଇ ବ୍ୟାପକ ଚଢାଉ, ଗଞ୍ଜେଇ ସିଗାରେଟ ଜବତ, ୫ ଗିରଫ