ଭିଡିଓ ଭାଇରାଲ୍ ପରେ, ଗିରଫ ହେଲେ କଲେଜ ଛାତ୍ରୀଙ୍କୁ ମାଡ଼ ମାରିଥିବା ରୋଡ୍ ରୋମିଓ

ଯାଜପୁର: କଲେଜ ପଢୁଆ ଝିଅଙ୍କ ଭାଇରାଲ୍ ଭିଡିଓ । ଯାହା ଆଜିକାଲିର ଯୁବପିଢ଼ିଙ୍କ କାରନାମାକୁ ପୁଣି ପଦାରେ ପକାଇଛି । କଣ ଘଟୁଛି ଏ ସମାଜରେ ? ବାପା ମାଆ ଲୁହ ଲହୁ ଏକ କରି ପିଲାମାନେ କିଭଳି ମଣିଷ ହେବେ ସେଥିପାଇଁ ଦିନ ରାତି ଖଟିବାରେ ବ୍ୟସ୍ତ । ଏପଟେ କିନ୍ତୁ ପୁଅ ହାଣ୍ଡସମ ଟୋକାକୁ ଝିଅ ଆଞ୍ଜେଲ ପ୍ରିୟା ହେଇ ବିଭିନ୍ନ କାଣ୍ଡ ଘଟାଉଛନ୍ତି । ତେବେ ଆଜିର ଏ ଭିଡିଓ ଏଇ ସମାଜକୁ ପୁଣି ଲଜ୍ଜିତ କରିଛି ଆଜ୍ଞା ।

ଭାଇରାଲ୍ ଭିଡିଓରେ ଯାହା ଦେଖିବାକୁ ମିଳିଛି କି, ଦୁଇ ଜଣ କଲେଜ ଛାତ୍ରୀ ରାସ୍ତାରେ ଯାଉଥିବା ସମୟରେ ଜଣେ ଯୁବକ ଅଧାରାସ୍ତାରେ ସେମାନଙ୍କୁ ଅଟକାଉଛି । ଆଉ ମାଡ଼ ବି ମାରୁଛି । ଯୁବକ ଜଣକ ଗୋଟେ ହାତରେ ଫୋନ୍ ଧରି ଭିଡିଓ କରିବା ସହ ଦୁଇ ଛାତ୍ରୀଙ୍କୁ କିଛି କହୁଛି । ଏପଟେ ଯୁବକର କିଛି ସାଙ୍ଗ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଛାତ୍ରୀଙ୍କ ଭିଡିଓ ସୁଟିଙ୍ଗ କରୁଛନ୍ତି । ଆଉ ଏତିକି ବେଳେ ଯୁବକ ଜଣକ ଛାତ୍ରୀଙ୍କୁ ପଚାରୁଛି, ମୁଁ କିଛି ଖରାପ କହିଛି କି, ଛାତ୍ରୀ ଦୁଇ ଜଣ ମଧ୍ୟ ଭାଇ ବୋଲି ସମ୍ବୋଧନ କରି କହୁଛନ୍ତି ନାଇ ଭାଇ କିଛି କହିନ, ଆମକୁ ବାଟ ଛାଡ । ଆମର ଭିଡିଓ କରନି ।

ତ ଏତିକି ବେଳେ ଯୁବକ ଜଣକ କାହିଁକି ମତେ ଖରାପ କଥା କହିଲୁ ବୋଲି କହି ପ୍ରଥମେ ସାମ୍ନାରେ ଥିବା ଛାତ୍ରୀଙ୍କୁ ଶକ୍ତ ଚାପୁଡ଼ାଟେ ମାରୁଛି । ଚାପୁଡ଼ା ଏତେ ଜୋର ଥିଲା ଯେ ଛାତ୍ରୀଙ୍କ ଚଷମା ଛିଟିକି ତଳେ ପଡି ଯାଉଛି । ଏହାପରେ ଅନ୍ୟ ଛାତ୍ରୀ ଜଣକ ନିଜକୁ ରକ୍ଷା କରିବା ପାଇଁ ଘଟଣାସ୍ଥଳରୁ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଯୁବକ ଜଣକ ଗୋଡେଇ ଯାଇ ତାଙ୍କୁ ବି ଆକ୍ରମଣ କରୁଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଘଟଣା ପରେ ଦୁଇ ଛାତ୍ରୀ ଲୋକ ଲଜ୍ଜା ଭୟରେ କିଛି ବି ପ୍ରତିବାଦ ନକରି ଘଟଣାସ୍ଥଳରୁ ମୁହଁ ଲୁଚାଇ ଚାଲି ଯାଉଥିବା ବେଳେ ଯୁବକ ଜଣକ ଗଡ଼ ଜିତିଲା ଭଳି ଭାଉ ଦେଖାଉଛି । କହୁଛି…କଣ ମୁଁ ତା ବାପାକୁ ଡରିଛି ନା କଣ । କଲେଜ ଯାଉଛୁ ବାଟରେ ଯିବୁ । ଆମକୁ କିଛି କହିବୁନି । ଏଭଳି କିଛି ବାହାଦୁରିଆ କଥା କହୁଥିବା ଭିଡିଓରେ ଶୁଣିବାକୁ ମିଳିଛି । ତେବେ ଘଟଣା ପରେ ଭିଡିଓ କରିଥିବା ଯୁବକ ଏବଂ ତା ସାଙ୍ଗମାନେ ଏହି ଭିଡିଓକୁ ଭାଇରାଲ୍ କରିଥିବା କୁହାଯାଉଛି । ସୂଚନା ଅନୁସାରେ ପ୍ରତିଦିନ ଏଇ ରୋମିଓଙ୍କ ଉତ୍ପାତ ଦେଖି ଦେଖି ଛାତ୍ରୀମାନେ ସହି ପାରିଲେନି । ତେଣୁ ତାଙ୍କ ପାଟିରୁ ଏକ ଅପଶବ୍ଦ ବାହାରି ଆସିଥିଲା । ଯାହାକୁ ଶୁଣି ଦେଇଥିଲେ ଯୁବକମାନେ । ବାସ୍ ତାପରେ ଘଟିଛି ଏହି ଅଭାବନୀୟ କାଣ୍ଡ ।

ଛାତ୍ରୀଙ୍କ ପାଟିରୁ ଗାଳି ଶୁଣିବାପରେ ନିଜର ମରଦପଣିଆ ଦେଖାଇଛି ଯୁବକ । ବିଚ୍ ରାସ୍ତା ଉପରେ ଦୁଇ ଛାତ୍ରୀଙ୍କୁ ମାଡ ମାରି ଦେଖାଇଛି ନିଜର ଦାଦାଗିରି । ନିଜର ତଥା ଘର ଲୋକଙ୍କ ସମ୍ମାନକୁ ଆଖି ଆଗରେ ରଖି ନିରବ ହୋଇ ଛାତ୍ରୀ ଦୁଇଜଣ ଚାଲି ଯାଉଛନ୍ତି । କିନ୍ତୁ ଏହି ରୋମିଓ ଦଳଙ୍କ କି ସମ୍ମାନ କି ଭୟ? ନିଜର ମଦରପଣିଆକୁ ନେଇ କରିଥିବା ଭିଡିଓକୁ ଶେଷରେ ଭାଇରାଲ୍ କରିଛନ୍ତି । ଯାହା ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୂରିବୁଲୁଛି ।

ତେବେ ଭିଡିଓ ଭାଇରାଲ କରିବା ଏବେ ଦୁଇ ରୋଡ୍ ରୋମିଓଙ୍କୁ ଭାରୀ ପଡ଼ିଛି ଆଜ୍ଞା । ଯାଜପୁରରୁ ବନ୍ଧା ହେଇଛି ଏହି ରୋଡ଼ ରୋମିଓ । ତାର ଅନ୍ୟ ଜଣେ ସହଯୋଗୀ ତାପସ ବେହେରା ଏବେ ଫେରାର ଅଛି । ଯାଜପୁର ଜିଲ୍ଲା ବରୀ ପୋଲିସ୍ ଦୁଇ ଯୁବକଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ବରୀ ପଞ୍ଚାୟତର ଶିଶିର ସେଠୀଙ୍କ ପୁଅ ପ୍ରସନ୍ନଜିତ ସେଠୀ ଓ ତା ସାଙ୍ଗ ସତ୍ୟରଞ୍ଜନ ଜେନା ।

ଘଟଣା ଗତ ଦୁଇ ଦିନ ତଳର । ଯାହା କୁହାଯାଉଛି କି, କଲେଜରୁ ଛାତ୍ରୀମାନେ ବରୀ-ବିଂଝାରପୁର୍ ରାସ୍ତା ଦେଇ ଫେରୁଥିବା ସମୟରେ ଯୁବକମାନେ ସେମାନଙ୍କୁ ଅଟକାଇ ଥିଲେ । କମେଣ୍ଟ ମରାକୁ ନେଇ ପ୍ରସନ୍ନଜିତ୍ ସେଠୀ, ତା ସାଙ୍ଗ ସତ୍ୟରଞ୍ଜନ ଜେନା, ତାପସ ବେହେରା ଛାତ୍ରୀଙ୍କୁ ମାଡ଼ ମାରିଥିଲେ । ଆଉ ଏହି ମାଡ଼ ମାରିବା ବେଳର ଭିଡ଼ିଓ ସୁଟିଂ କରି ସୋସିଆଲ୍ ମିଡ଼ିଆରେ ଭାଇରାଲ କରିଥିଲେ ।

ଯାହାକୁ ଦେଖିବା ପରେ ବିଭିନ୍ନ ଆଡ଼ୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜଣେ ଛାତ୍ରୀଙ୍କ ପକ୍ଷରୁ ମଧ୍ୟ ବରୀ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ୍ । ବିଭିନ୍ନ ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନଜିତକୁ ବାନ୍ଧିଥିଲା । ଏହା ସହିତ ସହଯୋଗୀ ସତ୍ୟରଞ୍ଜନ ଜେନାକୁ ବି ପୋଲିସ ଗିରଫ କରିଛି । ଅନ୍ୟ ଜଣେ ସହଯୋଗୀ ତାପସ ବେହେରା ଫେରାର ରହିଥିବା ବେଳେ ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ ଜ୍ୟୋତିର୍ମୟୀ ସେଠୀ ।