ୟୁକ୍ରେନ୍ର ଅସହାୟ ପିଲାଙ୍କ ପାଇଁ ନୋବେଲ ଶାନ୍ତି ପୁରସ୍କାର ବିକିଲେ ରୁଷ୍ ସାମ୍ବାଦିକ, ଜାଣନ୍ତୁ କେତେ ଅର୍ଥ ମିଳିଲା

ଦୁନିଆରେ ଜଣେ ଭଲ ମଣିଷ ମିଳିବା ଏତେ ସହଜ ନୁହେଁ। ଯିଏକି ସବୁବେଳେ ଅନ୍ୟମାନଙ୍କ ପାଇଁ ଭଲ ଚିନ୍ତା କରୁଥିବେ। ପରର ମଙ୍ଗଳ କାମନା କରୁଥିବା ବ୍ୟକ୍ତି କ୍ୱଚିତ ଦେଖା ଯାଉଛନ୍ତି । ସେଇମାନେ ନିଜ କାମ ଦ୍ଵାରା ପାଲଟି ଯାଆନ୍ତି ବଡ଼ ଉଦାହରଣ। ବର୍ତ୍ତମାନ ସାରା ବିଶ୍ଵ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ଋଷ ସାମ୍ବାଦିକ ଦିମିତ୍ରି ମୁରାତୋଭ। ସେ ୟୁକ୍ରେନ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ନୋବେଲ ପୁରସ୍କାରକୁ ବିକ୍ରି କରି ଦେଇଛନ୍ତି। ଯାହାକୁ ସେ ୨୦୨୧ ମସିହାରେ ଗ୍ରହଣ କରିଥିଲେ। ସାମ୍ବାଦିକ ଦିମିତ୍ରି ମୁରାତୋଭ ଯୁଦ୍ଧରେ ବିସ୍ଥାପିତ ହୋଇଥିବା ୟୁକ୍ରେନ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ପଦକ ନିଲାମ କରିଛନ୍ତି। ଯାହାକୁ ସେ ଶାନ୍ତି ପାଇଁ ପାଇଥିଲେ ।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଜାରି ରହିଛି। ଏହା ଭିତରେ ୩ ମାସ ବିତି ଗଲାଣି । ତଥାପି ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । ଏହି ଯୁଦ୍ଧରେ ୟୁକ୍ରେନକୁ ଧ୍ୱଂସ କରି ଚାଲିଛନ୍ତି ରୁଷ୍ ସେନା। ଯଦିଓ ୟୁକ୍ରେନ ସାହସ ଦେଖାଇ ତାଠାରୁ ଅନେକ ଶକ୍ତିଶାଳୀ ରୁଷିଆକୁ ଟକ୍କର ଦେଇ ଚାଲିଛି। ତେବେ ଏସବୁ ଭିତରେ ବିପୁଳ କ୍ଷତି ସହୁଛି ୟୁକ୍ରେନ୍ । ତାର ଅବସ୍ଥା ଦେଖି ଅନେକ ଦେଶ ୟୁକ୍ରେନକୁ ସାହାଯ୍ୟ ପାଇଁ ହାତ ବଢାଇଛନ୍ତି । ଆଉ ଏହି ଦୁର୍ଦ୍ଦଶାର ବେଳାରେ ସାମ୍ବାଦିକ ଦିମିତ୍ରି ୟୁକ୍ରେନକୁ ସାହାଯ୍ୟ କରି ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ଦିମିତ୍ରି ହେଉଛନ୍ତି ରୁଷିଆର ଅଧିବାସୀ ।
ୟୁକ୍ରେନ ଯୁଦ୍ଧରେ ଅନାଥ ହୋଇଥିବା ଅସହାୟ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ସେ ଏଭଳି କରିଛନ୍ତି । ଗତ ସୋମବାର ରାତିରେ ଦିମିତ୍ରି ମୁରାତୋଭ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ନିଲାମ କରିଛନ୍ତି। ଏଥିରୁ ମିଳିଥିବା ଅର୍ଥକୁ ସେ ୟୁନିସେଫକୁ ଦାନ କରିବେ। ଆଉ ୟୁନିସେଫ ଜରିଆରେ ନିରାଶ୍ରୟ ପିଲାମାନଙ୍କୁ ଥଇଥାନ କରାଯିବ ।
ଦିମିତ୍ରି ମୁରାତୋଭ ୨୦୨୧ ଅକ୍ଟୋବରରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ଫିଲିପାଇନ୍ସର ସାମ୍ବାଦିକ ମାରିଆ ରେସାଙ୍କ ସହ ମୁରାତୋଭଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ନିଲାମରୁ ୫ ଲକ୍ଷ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ହିସାବରେ ୩ କୋଟି ୯୧ ଲକ୍ଷ ୪୦ ହଜାର ୫୦୦ ନଗଦ ରାଶି ତାଙ୍କୁ ମିଳିଛି । ଏହାକୁ ଦାନ କରିବାକୁ ମୁରାତୋଭ ଘୋଷଣା କରିଛନ୍ତି। ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମୟରେ ଅନାଥ ହୋଇ ଯାଇଥିବା ପିଲାମାନଙ୍କ ପାଇଁ ମୁରାତୋଭ ଦୁଃଖ ପ୍ରକାଶ କରିଛନ୍ତି। ଯେଉଁଥି ପାଇଁ ସେ ଏପରି କରିବା ଲାଗି ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି, “ଅନ୍ୟ ଦେଶରେ ଶରଣ ନେଇଥିବା ପିଲାମାନଙ୍କ ଭବିଷ୍ୟତ ପାଇଁ ସହାୟତା କରିବା ମୋ ପାଇଁ ଏକ ବଡ଼ ସୁଯୋଗ।ସେମାନଙ୍କ ଭବିଷ୍ୟତ ଭଲ ହେବା ଉଚିତ୍।

ଦିମିତ୍ରି ମୁରାତୋଭ ଖବରକାଗଜ ‘ନୋଭାୟା ଗେଜେଟା’ ପ୍ରତିଷ୍ଠା କରିଥିଲେ । ଗତ ମାର୍ଚ୍ଚରେ ଖବରକାଗଜ ବନ୍ଦ ହେବା ସମୟରେ ସେ ଏହାର ମୁଖ୍ୟ ସମ୍ପାଦକ ଥିଲେ। ତେବେ ସେ ନିଜର ପୁରସ୍କାର ନୋଭାୟା ଗେଜେଟା ସାମ୍ବାଦିକଙ୍କୁ ଉତ୍ସର୍ଗ କରିଥିଲେ, ଯାହାଙ୍କୁ ରିପୋର୍ଟିଂ କରିବା ସମୟରେ ହତ୍ୟା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକ ଥିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହାଇ-ପ୍ରୋଫାଇଲ୍ ସମାଲୋଚକ । ରୁଷର ୟୁକ୍ରେନ ଉପରେ ଆକ୍ରମଣ ବିଷୟରେ ଏହି ଖବର କାଗଜରେ ଲେଖା ଯାଉଥିଲା। ସାମ୍ବାଦିକଙ୍କ ଉପରେ କଟକଣା ପରେ ଜନସାଧାରଣଙ୍କ ଅସନ୍ତୋଷକୁ ଦେଖି ଏହି ଖବରକାଗଜ ବନ୍ଦ କରା ଯାଇଥିଲା।
ତେବେ ଦିମିତ୍ରିଙ୍କ ନୋବେଲ ପୁରସ୍କାର ନିଲାମରେ ଯେତିକି ଆୟ ହୋଇଛି ତାହା ପୂର୍ବର ରେକର୍ଡ଼ ଭାଙ୍ଗିଛି । ନିଲାମୀ ଆମେରିକାର ନ୍ୟୁୟର୍କରେ ହୋଇଥିଲା । ନିଜେ ଦିମିତ୍ରି କହିଛନ୍ତି ଯେ ଏହି ନିଲାମୀରେ ଏତେ ଅର୍ଥ ମିଳିବ ବୋଲି ମୁଁ ଆଶା କରିନଥିଲି । ଆନ୍ତର୍ଜାତିକ ଶିଶୁ ଦିବସରେ ଏହି ନିଲାମୀ ଆରମ୍ଭ ହୋଇଥିଲା । ଆଉ ସରିଲା ବିଶ୍ୱ ଶରଣାର୍ଥୀ ଦିବସରେ । ଦିମିତ୍ରି ପାଇଥିବା ନୋବେଲ ପୁରସ୍କାରକୁ ତରଳାଇଲେ ସେଥିରୁ ମିଳିବ ୨୩ କ୍ୟାରେଟ୍ର ୧୭୫ ଗ୍ରାମ ସୁନା । ଯାହାର ଦାମ୍ ୧୦ ହଜାର ଡଲାର ହେବ ।
ନିଜର ଏହି ମର୍ଯ୍ୟାଦାଜନକ ପୁରସ୍କାରକୁ ନିଲାମ କରି ଦିମିତ୍ରି ଏବେ ସାରା ବିଶ୍ୱରୁ ପ୍ରଶଂସା ପାଉଛନ୍ତି । ହେଲେ ନିଜ ଖବରକାଗଜରେ ରୁଷ୍ ବିରୋଧରେ ଲେଖି ସେ ଆକ୍ରୋଶର ଶିକାର ହୋଇଥିଲେ । ଯଦିଓ ସିଧାସଳଖ ଭାବେ ତାଙ୍କ ଉପରେ କଟକଣା କରାଯାଇନଥିଲା । ତେବେ ପରୋକ୍ଷରେ ଅନେକ ଅସୁବିଧାର ସାମନା କରିଥିଲେ ସେ । କୁହାଯାଉଛି କି ପୁଟିନ୍ କ୍ଷମତାକୁ ଆସିବା ପରେ ରୁଷିଆରେ ୧୪ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ତେବେ ଏସବୁକୁ ଖାତିର ନକରି ଦିମିତ୍ରି ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ଯାହା ମାନବିକତା ଦୃଷ୍ଟିରୁ ଭଲ ସେହି କାମ କରୁଛନ୍ତି । ସତରେ ଏଭଳି ସାହସୀ ସାମ୍ବାଦିକ ତଥା ମାନବିକତାକୁ ନିଜ କର୍ତ୍ତବ୍ୟ ବୋଲି ଧରି ନେଇଥିବା ବ୍ୟକ୍ତିଙ୍କୁ ସାରା ବିଶ୍ୱ ଏମେ ସଲାମ କରୁଛି ।