ମୁଁ ସ୍କୁଲ୍ ଯିବି, ପାଠ ପଢିବି…ହେଲେ ଦିଦି ମନା କରୁଛନ୍ତି
ଜୟପୁର : ସତରେ ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । କାହାକୁ କିଭଳି ଗଢିଛନ୍ତି ତାହା କହିବା ଅସମ୍ଭବ । ହେଲେ ଆମେ ଆଖି ସାମ୍ନାରେ ଯାହା ଦେଖୁଛେ ତାହା ତ ନିଶ୍ଚୟ କହିପାରିବା । ଏଇ ହସହସ ମୁହଁରେ ଦିବ୍ୟାଙ୍ଗ ପିଲାଟିର ଦିପଦ କଥା ଆପଣଙ୍କୁ ବ୍ୟଥିତ କରିବ ଆଜ୍ଞା । ୯ବର୍ଷର ବାଳକ ଦେବ କମାର । ଦୁଇ ଗୋଡ଼ ଏକ ପ୍ରକାର ଅଚଳ । କିନ୍ତୁ ନିଜେ ସେଇ ଗୋଡ଼ରେ ଯାଆ ଆସ କରୁଛନ୍ତି । ସାଙ୍ଗସାଥୀଙ୍କ ସହ ଖେଳ କୁଦ ବରୁଛନ୍ତି । ବସି ବସି ନିଜର ସମସ୍ତ କାମ ସେ କରିପାରୁଛନ୍ତି । ଘରେ ପାଠ ପଢାଠାରୁ ଆରମ୍ଭ କରି , ନିଜେ ନିଜ ହାତରେ ଖାଇବା ପିଇବା ବି କରୁଛନ୍ତି । ଆଉ ସେଇ ବୃନ୍ଦାବତୀଙ୍କ ନିକଟରେ ସବୁବେଳେ ଧୂପକାଠି ଜାଳି ହାତ ଯୋଡି ପ୍ରାର୍ଥନା କରୁଛନ୍ତି ମାଆ ମତେ ଏମିତି ଅଧାଗଢା କାହିଁକି କଲ । ଦିବ୍ୟାଙ୍ଗ ବୋଲି କଣ ମତେ ମୋ ସ୍ୱପ୍ନ ପୂରଣ କରିବାର ଅଧିକାର ନାହିଁ । ମନରେ ଅସୁମାରୀ ସ୍ୱପ୍ନ । ପାଠ ପଢି ବଡ ମଣିଷ ହେବାକୁ ଅଦମ୍ୟ ଇଚ୍ଛା ଶକ୍ତି । କିନ୍ତୁ ସେହି ସ୍ୱପ୍ନରେ ବାଧକ ସାଜିଛି ଆମ ବ୍ୟବସ୍ଥା ।
ଆଶ୍ଚର୍ଯ୍ୟର କଥା ଯେ, ଜନ୍ମ ଗତ ପ୍ରମାଣ ପତ୍ର ନାହିଁ ତ ସ୍କୁଲ୍ ବି ମନା । ଏକଥା ଆମେ କହୁନୁ ଏକଥା ଅଭିଯୋଗ କରଛନ୍ତି ଏଇ କୁନି ପିଲାଟିର ପରିବାର ଲୋକେ । ୭୫ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର, ଆଧାର କାର୍ଡ ଏଭଳି କି ଜୟପୁର ପୌରପରିଷଦର ଭିନ୍ନକ୍ଷମ ସହାୟତା କାର୍ଡ ଥିବା ସତ୍ୱେ ସ୍କୁଲ୍ କତୃପକ୍ଷ ଦେବଙ୍କୁ ସ୍କୁଲ୍ ଆସିବାକୁ ମନା କରୁଛନ୍ତି । କିଭଳି କେଉଁ ନିୟମ ଆଧାରରେ ଜଣେ ଦିବ୍ୟାଙ୍ଗ ପିଲାଟିକୁ ଏଭଳି ଭାବେ ସ୍କୁଲ୍ ବାରଣ କରାଯାଇଛି ତାହା ପ୍ରଶ୍ନବାଚୀ? ସେପଟେ ଦେବଙ୍କ ମାଆ ଡାଳିମ୍ବ କମାର ଓ ବାପା ଲବ କମାର କହିଛନ୍ତି ସବୁ ପିଲା ସ୍କୁଲ ଯାଉଛନ୍ତି ହେଲେ ଆମ ପିଲା ଯାଇପାରୁନି । ଆମେ ଘରେ ତାକୁ ପାଠ ପଢାଉଛୁ । ଏହାସହ ମାଆ ଡାଳିମ୍ବ କହିଛନ୍ତି ସରକାର ପଇସା ଦେଇଛନ୍ତି, କାର୍ଡ ବି ଦେଇଛନ୍ତି, ଏବେ ଆମ ପୁଅକୁ ହ୍ୱିଲ୍ ଚେୟାର ଆଉ ପ୍ରମାଣପତ୍ର ଦେଇ ସ୍କୁଲ୍ ପଠାନ୍ତୁ । ତାର ପାଠ ପଢିବାର ବହୁତ ଇଚ୍ଛା ଅଛି ।
ତେବେ ଜୟପୁର ସହର ଡଙ୍ଗାଗୁଡ଼ା ଲବ କମରଙ୍କ ସାନ ପୁଅ ଦେବ । ଜନ୍ମର ଅଳ୍ପ ଦିନ ପରେ ଗୋଡ଼ ଖରାପ ହୋଇ ଏଭଳି ଦିବ୍ୟାଙ୍ଗ ପାଲଟି ଯାଇଥିଲା । ଦୁଇ ବର୍ଷ ତଳେ ନୁଆଁଗୁଡା ସ୍କୁଲରେ ନାମ ଲେଖାଇବା ପାଇଁ ପରିବାର ଲୋକେ ନେଇଥିଲେ କିନ୍ତୁ ଜନ୍ମ ପ୍ରମାଣ ପତ୍ର ନାହିଁ ବୋଲି ଆଡ଼ମିଶନ ହୋଇପାରିବନି କହି ସ୍କୁଲ କର୍ତ୍ତୃପକ୍ଷ ଫେରେଇ ଦେଇଥିଲେ ।
ତେବେ ଏନେଇ ଆମେ ସ୍କୁଲ୍ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ପ୍ରଧାନଶିକ୍ଷତ୍ରୀ ଛୁଟିରେ ଥିବା ହେତୁ ଜାଣିନଥିବା କହିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ରହିଛି ହେଲେ ସହର ମଝିରେ ଏଭଳି ଚିତ୍ର କି ବାର୍ତା ଦେଉଛି ଆମ ସମଜାକୁ ?
ଏପଟେ ଦିବ୍ୟାଙ୍ଗ ସଭାପତି କହିଛନ୍ତି ସବୁ ପ୍ରମାଣ ଥିବା ସତ୍ୱେ ସ୍କୁଲ୍ କର୍ତ୍ତୃପକ୍ଷ ମନା କରିବା ଓ ପିଲାଟି ସ୍କୁଲ ଯିବାରୁ ବଞ୍ଚିତ ହେବା ଦିବ୍ୟାଙ୍ଗଙ୍କ ମନୋବଳ ଭାଙ୍ଗୁଛି । ସେପଟେ ଜୟପୁର ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ କ୍ୟାମେରା ସାମ୍ନାରେ କିଛି ପ୍ରତିକ୍ରିୟା ରଖିନଥିଲେ ସୁଦ୍ଧା ଖୁବ ଶୀଘ୍ର ପୌର ଟିମ୍ ଓ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇ ତଥ୍ୟ ମଗାଯିବା ସହ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ପ୍ରତି କ୍ଷେତ୍ରରେ ସମାଜ ସହ ତାଳ ଦେଇ ଚାଲିବାକୁ ଦିବ୍ୟାଙ୍ଗଙ୍କ ପାଇଁ ଅନେକ ଯୋଜନା ସହ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଏଠି ଉପାନ୍ତ ତ ଦୂରର କଥା ଜୟପୁର ଭଳି ଉପକଣ୍ଠରେ ଏଭଳି ଚିତ୍ର ଶିକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି କରିଛି ପ୍ରଶ୍ନ ?