ଯାଜପୁର ସଦାନନ୍ଦପୁରର ନିଆରା କୁମାରୋତ୍ସବ

ଯାଜପୁର (କେନ୍ୟୁଜ୍) : ଯାଜପୁର ସଦାନନ୍ଦପୁର ଗାଁରେ ନିଆରା କୁମାରୋତ୍ସବ । କୁମାର ପୂର୍ଣ୍ଣିମା ଆସିଲେ ଚଳଚଞ୍ଚଳ ହୋଇଉଠେ ସଦାନନ୍ଦପୁର ଗାଁ । ସାତ ଦିନ ପୂର୍ବରୁ କୁମାରୀମାନେ ନିଜ ନିଜ ଚଉଁରା ମୂଳେ କଇଁ ଫୁଲର କୋଠି ତିଆରି କରିଥାନ୍ତି । ଆଉ କୁମାର ପୂର୍ଣ୍ଣିମାର ଠିକ୍ ପୂର୍ବ ରାତିରେ ଅଗଣା ଆଗରେ ବଡ ବଡ କୋଠି କରନ୍ତି । ଏଠାରେ ବର୍ଷ ବର୍ଷ ଧରି କୋଠି ପୂଜା ପରମ୍ପରା ଚାଲି ଆସୁଛି । ଏପରି ପୂଜା କଲେ କଇଁ ଫୁଲ ଓ ଚନ୍ଦ୍ରଙ୍କ ମଧ୍ୟରେ ଥିବା ପ୍ରେମ ଓ ଭଲପାଇବା ଭଳି ବିବାହ ପରେ ସ୍ୱାମୀଙ୍କ ସହ ସମ୍ପର୍କ ମଧ୍ୟ ଏଭଳି ରହିବ ବୋଲି ବିଶ୍ୱାସ ରହିଛି ।
କୁମାର ପୂର୍ଣ୍ଣିମାରେ ବୃନ୍ଦାବତୀଙ୍କ ପାଖରେ ମୁଢି ନଡିଆ ଆଦି ଭୋଗ କରିବା ସହ ଗୀତ ଗାଇଥାନ୍ତି କୁମାରୀମାନେ । ଆହୁରି ମଧ୍ୟ ପୂର୍ଣ୍ଣିମା ଦିନ ଗାଁର ଯୁବକମାନେ କୁମାରୀଙ୍କୁ ଭୟଭୀତ କରିବା ପାଇଁ ପାଳଭୂତ ବେଶ ଧାରଣ କରନ୍ତି । ଏହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଦର୍ଶକଙ୍କ ଭିଡ ଲାଗିଥାଏ । ସଦାନନ୍ଦପୁର ଗାଁରେ ଚାଲିଆସିଥିବା ଏହି କୋଠି ପୂଜା ପରମ୍ପରାକୁ ସ୍ୱର୍ଗତ ସପନେଶ୍ୱର ମହାନ୍ତି ଆରମ୍ଭ କରିଥିଲେ । କବି ସମ୍ରାଟ ଉପେନ୍ଦ୍ରଭଂଜଙ୍କ ଦ୍ୱାରା ଲିଖିତ ପୁସ୍ତକ “ଚିତ୍ରକାବ୍ୟ ବନ୍ଧୋଦ୍ୱୟ”ରେ ଅଂକାଯାଇଥିବା ଏହି କୋଠିକୁ ସେ ଗାଁର ଅଗଣାରେ ଆଙ୍କିଥିଲେ । ପରେ ଏହି କୋଠି ପରମ୍ପରା ଅନ୍ୟ ଗାଁକୁ ବ୍ୟାପିଥିବା ଜଣାଯାଇଛି ।
ଏହି କୋଠି ଆଙ୍କିବା ପାଇଁ ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥାନ୍ତି । ଏପରିକି ଗ୍ରାମର ଯୁବକମାନେ ଫୁଲ ତୋଳିବା ଠାରୁ ଆରମ୍ଭ କରି କୋଠି ଆଙ୍କିବାରେ ସହଯୋଗ କରିଥାନ୍ତି । ପରେ ବୃନ୍ଦାବତୀଙ୍କ ନିକଟରେ କୁମାରୀମାନେ ମୁଢି ନଡିଆ ଆଦି ଭୋଗ କରିବା ସହିତ ରାତି ତମାମ ଗୀତ ଗାଇଥାନ୍ତି ।
ଯାହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଛୁଟି ଆସନ୍ତୁ ଶହ ଶହ ଦର୍ଶକ ଆଉ ସଦାନନ୍ଦପୁର ଗାଁ ହୋଇଯାଏ ଉତ୍ସବ ମୁଖର । ରାତି ତମାମ ଗାଁର ଯୁବକ ଯୁବତୀ ମାନେ ନାଚ ଗୀତରେ ମସଗୁଲ ହୋଇଯାନ୍ତି ।
ଅବିନେଶ୍ୱର ଶତପଥୀ, କେନ୍ୟୁଜ୍, ଯାଜପୁର