ସାମାଜିକ ପ୍ରତିବନ୍ଧକକୁ ଡେଇଁ ୩ ମହିଳାଙ୍କ ପଦକ୍ଷପକୁ ଶହେ ସଲାମ, ସବୁ ନାରୀଙ୍କ ପାଇଁ ଏମାନେ ପ୍ରେରଣା

ନୂଆପଡା: ସମୁଦ୍ର ପତନଠାରୁ ସାଢେ ୩ ହଜାର ଫୁଟ୍ ଉଚ୍ଚତାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ନୂଆପଡା ଜିଲ୍ଲା କୋମନା ବ୍ଲକର ମାଓପ୍ରବଣ ସୁନାବେଡା ଅଭୟାରଣ୍ୟ । ସୁନାବେଡା ଅଭୟାରଣ୍ୟରେ ବହୁ ଆବାହମାନ କାଳରୁ ବସବାସ କରିଆସୁଛନ୍ତି ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ଲୋକେ । ସେମାନଙ୍କ ସାମାଜିକ ରୀତିନୀତ. ସଂସ୍କୃତି ଓ ପରମ୍ପରା ଭିନ୍ନ । ଏହି ଆଦିମ ଜନଜାତିର ଝିଅ ଓ ମହିଳାଙ୍କ ପାଇଁ ସାମାଜିକ ନିୟମ ବେଶ କଠୋର ରହିଛି । ଏହି ସଂପ୍ରଦାୟର ଝିଅ କୁମାରୀତ୍ଵ ଲାଭ କରିବା ପରେ ଘରୁ ବାହାରକୁ ଯାଇ ପାଠ ପଢିବା, ବାହାରେ ଖାଇବା,ସାଇକେଲ ଚଢିବା ମନା । ସେହିଭଳି ଝିଅମାନେ ଅତ୍ୟାଧୁନିକ ପୋଷାକ ପିନ୍ଧିବା, ଜୋତା ଓ ଚପଳ ପିନ୍ଧିବା ମଧ୍ୟ ବାରଣ ରହିଛି । ଏହି ନିୟମକୁ ଅବମାନନା କଲେ ସାମାଜିକ ବାସନ୍ଦ ଦଣ୍ଡ ଭୋଗିବାକୁ ପଡିବ । ଏପରିକି ତାଙ୍କର ରୋଷେଇ ଘର ଲାଲ ବଙ୍ଗଳାକୁ ପଶିବା ମନା ।

ସେହିପରି ଝିଅମାନେ ବିନା ଅନ୍ତଃବସ୍ତ୍ରରେ କେବଳ ଧଳା ଶାଢି ଖଣ୍ଡିଏ ପିନ୍ଧିବାକୁ ପଡୁଥିଲା । ଷଷ୍ଠ ଶ୍ରେଣୀ ପରେ ପାଠପଢିବା ସଂପୂର୍ଣ ବନ୍ଦ ହୋଇଯାଉଥିବାବେଳେ ସେମାନଙ୍କ ଉଚ୍ଚଶିକ୍ଷା ପାଠପଢିବା ସ୍ଵପ୍ନ ହୋଇପଡିଥିଲା । ହେଲେ ଗତ ୨୦୦୭ମସହାରେ ଅର୍ଥାତ ୧୭ବର୍ଷ ତଳେ ଜୁନାପାଣି ଗାଁର ଧନସିଂ ଛତ୍ରିଆଙ୍କ ଝିଅ ଚାନ୍ଦନୀ ଓ ତ୍ରିବେଣୀ ଏବଂ ସନବାହାଲି ଗାଁର ବିଜୟ ଝାଙ୍କରଙ୍କ ଝିଅ ଜୟଶ୍ରୀ ମାଟ୍ରିକ ପାସ୍ କରିଥିଲେ । ସାମାଜିକ ବାସନ୍ଦକୁ ଖାତିର ନକରି ଏହି ତିନି ଜଣ ଝିଅ ବାହାରକୁ ଯାଇ ପାଠପଢିଥିଲେ । ଚାନ୍ଦନୀ ଏଏନଏମ ପ୍ରଶିକ୍ଷଣ ନେବା ପରେ ଏବେ ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତରେ ମହିଳା ସ୍ଵାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଛନ୍ତି । ସେହି ଅଞ୍ଚଳର ଲୋକେ ରୋଗବ୍ୟାଧିରେ ପଡିଲେ ଅନ୍ଧବିଶ୍ଵାସର ବଶବର୍ତ୍ତି ହୋଇ ଡାକ୍ତରଖାନାକୁ ନଯାଇ ଝଡାଫୁଙ୍କାର ଆଶ୍ରୟ ନେଉଥିଲେ । ହେଲେ ଚାନ୍ଦନୀ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ପରେ ଏବେ ଡାକ୍ତରଖାନକୁ ଆସି ଚିକିତ୍ସା କରାଉଛନ୍ତି ଲୋକେ ।

ସେହିଭଳି ସାଲେପଡାରେ ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା(ସିବିଡିଏ)ଦ୍ଵାରା ପରିଚାଳିତ ସ୍ଵତନ୍ତ୍ର ବିଦ୍ୟାଳୟରେ ତ୍ରିବେଣୀ ଓ ଜୟଶ୍ରୀ ଶିକ୍ଷକତା କରୁଛନ୍ତି । ଏହି ଦୁଇ ଜଣ ଅଭୟାରଣ୍ୟ ଅଂଚଳର ପିଲାଙ୍କୁ ଶିକ୍ଷାଦାନ କରିିବା ସହ ସଚେତନ କରୁଛନ୍ତି । କିନ୍ତୁ ସବୁଠାରୁ ବଡ ଦୁଃଖର କଥା ଏବେବି ଏହି ୩ଜଣ ଯୁବତୀ ସାମାଜିକ ବାସନ୍ଦ ଦଣ୍ଡ ଭୋଗୁଛନ୍ତି । ତଥାପି ସେମାନେ ନିଜର ଲକ୍ଷ୍ୟ ପଥରୁ ହଟିନାହାନ୍ତି । ଆଗକୁ ମଧ୍ୟ ନିଜର ସଂପ୍ରଦାୟର ଲୋକଙ୍କ ବିକାଶ ପାଇଁ ନିରନ୍ତର ଭାବେ କାର୍ଯ୍ୟ କରିଚାଳିବେ ବୋଲି ତିନି ଜଣ ନିଜର ପ୍ରତିକ୍ରିୟାରେ କହିଛନ୍ତି ।

କୋମନା ବ୍ଲକ ସୁନାବେଡାର ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ତିନି ଜଣ ଯୁବତୀ ଚାନ୍ଦନୀ,ଜୟଶ୍ରୀ ଓ ତ୍ରିବେଣୀଙ୍କ ଶିକ୍ଷା ସୁନାବେଡା ଅଭୟାରଣ୍ୟ ଅଞ୍ଚଳର ଝିଅମାନଙ୍କ ଜୀବନ ଧାରା ବଦଳାଇ ଦେଇ ଛି। ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟର ପ୍ରାୟ ୫ଶହ ଝିଅ ମାଟ୍ରିକ୍ ପାସ୍ କରିସାରିଲେଣି । ସେହିଭଳି ଜୟଶ୍ରୀଙ୍କ ସାନ ଭଉଣୀ ଜେମନୀ ଭୁବନେଶ୍ଵର କିସ୍ ବିଶ୍ଵବିଦ୍ୟାଳୟରେ ପିଏଚଡି କରୁଛନ୍ତି । ଆହୁରି ଅନେକ ଉଚ୍ଚଶିକ୍ଷା ଲାଭ କରି ସମାଜସେବାରେ ନିୟୋଜିତ ହୋଇଛନ୍ତି । ଅନେକ ଚାକରି ପାଇଁ ପ୍ରସ୍ତୁତି କରୁଛନ୍ତି । ଏବେ ଝିଅମାନେ ଗାଁ ବାହାରକୁ ଗୋଡ କାଢି ବାହାରେ ଖାଉଛନ୍ତି ଓ ପାଠ ପଢୁଛନ୍ତି । ଏପରିକି ସାଇକେଲ ଚଢୁଛନ୍ତି ଏବଂ ଚପଲ ଓ ଆଧୁନିକ ପୋଷାକ ପିନ୍ଧୁଛନ୍ତି । ସେମାନଙ୍କ ବୈପ୍ଲବିକ ଚିନ୍ତାଧାରା ଏବେ ସମାଜ ପାଇଁ ଉଦାହରଣ ହୋଇଛି । ତେବେ ଖଡିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଓ ଆଇକ୍ୟୁ ଏସି ବିଭାଗ ପକ୍ଷରୁ ଆୟୋଜିତ ଆଦିବାସୀ ମହିଳା ସଶକ୍ତିକରଣ ଓ ଶିକ୍ଷା ଶୀର୍ଷକ ଆଲୋଚନା ଚକ୍ରରେ ଏହି ତିନି ଜଣ ଆଦିବାସୀ ଯୁବତୀ ଯୋଗଦେଇ ନିଜ ନିଜର ଜୀବନର ସଂଘର୍ଷମୟ କାହାଣୀକୁ ବଖାଣିଥିଲେ । ଏହି ଆଲୋଚନା ଚକ୍ରରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ ।

ତେବେ ସାମାଜିକ ପ୍ରତିବନ୍ଧକର ବାଡକୁ ଡେଇଁ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ସୁନାବେଡାର ଜନଜାତି ସଂପ୍ରଦାୟର ଏହି ତିନି ଜଣ ମହିଳା ଚାନ୍ଦନୀ,ଜୟଶ୍ରୀ ଓ ତ୍ରିବେଣୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ସଭିଏଁ । ଏମାନଙ୍କ ପ୍ରାୟସ ପାଇଁ ଆଜି ୫ଶହ ଝିଅ ଉଚ୍ଚ ଶିକ୍ଷା ଲାଭ କରିବା କରିବା ସହ ସମାଜକୁ ଦେଇଛନ୍ତି ନୂଆ ଦିଗଦର୍ଶନ ।