ଅସହାୟଙ୍କ ମୁହଁରେ ହସ ଫୁଟାଉଛନ୍ତି ସଂଗୀତା, ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ

ଲକ୍ଷ୍ମୀପୁର: ଜଣେ ଉଚ୍ଚଶିକ୍ଷିତା ମହିଳା । ହେଲେ ଚାକିରି କରି ନାହାନ୍ତି କିନ୍ତୁ ପରିବାର ସମ୍ଭାଳୁଛନ୍ତି । ଆଉ ସବୁ ଜଞ୍ଜାଳ ଭିତରେ ନିଜକୁ ସାମିଲ କରିଛନ୍ତି ସମାଜ ସେବାରେ । କୋରାପୁଟ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଲକ୍ଷ୍ମୀପୁର । ସେହିଠାରେ ସ୍ବାମୀ ଅବସ୍ଥାପିତ ଅଛନ୍ତି । ଆଉ ସଂଗୀତା ନିଜ ପରିବାର କଥା ବୁଝି ସାରି ପ୍ରତିଦିନ କିଛି ନି କିଛି ସମାଜ କଲ୍ୟାଣ କାର୍ଯ୍ୟରେ ଲାଗି ପଡ଼ନ୍ତି । ସଙ୍ଗିତା ମିଶ୍ର ।
ଘର ତାଙ୍କର ବଲାଙ୍ଗୀର ଜିଲାରେ । ଶିକ୍ଷାଗତ ଯୋଗ୍ୟତା ବି.ଏ ବିଇଡ଼ି । ଜଣେ ସୁଗୃହିଣୀ । ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଓ ଦୁଇ ସନ୍ତାନ । ଗୋଟିଏ ପୁଅ ଓ ଗୋଟିଏ ଝିଅ। ସଂଗୀତା ସକାଳୁ ଉଠି ପରିବାର ପାଇଁ ସବୁ କାର୍ଯ୍ୟ ଘର ଝାଡୁ ମାରିବାଠୁ ଆରମ୍ଭ କରି ରୋଷେଇବାସ ଆଦି କରନ୍ତି । ସ୍ବାମୀ ଓ ଦୁଇ ପିଲାଙ୍କ କାମ ସାରି ସେମାନଙ୍କୁ ସ୍କୁଲ ଛାଡିବା ପରେ ବାହାରି ପଡ଼ନ୍ତି ସମାଜସେବା କାର୍ଯ୍ୟରେ ।
ନିଜ ସ୍କୁଟି ଧରି ଲକ୍ଷ୍ମୀପୁର ବ୍ଲକର କିଛି ଗାଁକୁ ମାଡ଼ି ଯାଆନ୍ତି । ଗାଁର ଗରିବ ଲୋକମାନଙ୍କୁ ସାହାଯ୍ୟ କରନ୍ତି । କାହାକୁ ଲୁଗାପଟା ତ କାହାକୁ ଖାଦ୍ୟ ଦେଇଥାନ୍ତି । ପୁଣି ତାଙ୍କୁ କେତେବେଳେ ଦେଖିବାକୁ ମିଳେ ପଶୁ ପକ୍ଷୀ ଓ ବୁଲା ଗାଈ ଗୋରୁଙ୍କୁ ଖାଇବାକୁ ଦେବାର । ଖାଲି ସେତିକି ନୁହେଁ ସେ ବିନା ଦରମାରେ ଏଠାକାର ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପିଲାଙ୍କୁ ଶିକ୍ଷା ଦାନ କରୁଛନ୍ତି ।
ପୁଣି ବିଦ୍ୟାଳୟ ଚାରି ପାଖରେ ଗଛ ଲଗାଇ ତାହାର ଯତ୍ନ ନେଇଥାନ୍ତି । ସମାଜସେବାରେ ତାଙ୍କ ଖୁବ୍ ଆନନ୍ଦ ଅନୁଭବ ହୁଏ ବୋଲି ସଂଗୀତା କହିଛନ୍ତି । ନାରୀମାନେ ସମାଜରେ କିପରି ଆଗକୁ ବଢ଼ିବେ ଏବଂ ନାରୀ ନିର୍ଯାତନା, ଦୁଷ୍କର୍ମ ଆଦି କିପରି ଥମିବ ତାକୁ ନେଇ ମଧ୍ୟ ଚେଷ୍ଟା ଜାରି ରଖିଛନ୍ତି ସଂଗୀତା । ସେ କୁହନ୍ତି, ନାରୀମାନେ ନିଜ ବୁଦ୍ଧି ବଳରେ ଆଗକୁ ଯାଇ ପାରିବେ ଓ କିପରି ସ୍ୱାବଲମ୍ବୀ ହୋଇ ପାରିବେ ତାହାକୁ ନେଇ ସେ ଉଦ୍ୟମ କରୁଛନ୍ତି ।
ନାରୀ ସଚେତନତା ସହ ବୃକ୍ଷ ରୋପଣକୁ ନେଇ ସେ ଲୋକଙ୍କୁ ଉତ୍ସାହିତ କରିଥାନ୍ତି । ତେବେ ଏହି ସମାଜ କଲ୍ୟାଣ କାର୍ଯ୍ୟ କରିବା ପାଇଁ ସ୍ୱାମୀ ଓ ପରିବାର ଲୋକଙ୍କ ସହଯୋଗ ରହିଥିବା ସଂଗୀତା କହିଛନ୍ତି । ସୁସ୍ଥ ସମାଜ ଗଠନ ଦିଗରେ ଏଭଳି ଜଣେ ଶିକ୍ଷିତା ମହିଳାଙ୍କ ଉଦ୍ୟମକୁ ଲକ୍ଷ୍ମୀପୁର ଅଞ୍ଚଳରେ ସମସ୍ତେ ପ୍ରଶଂସା କରିଛନ୍ତି ।
Also read: ଦିନେ ଯାତ୍ରା ଜଗତରେ ପୀୟୁଷଙ୍କ ମା’ ଅଭିନୟ କରୁଥିଲେ ଆଜି ପେଟ ପାଇଁ ଖାଦ୍ୟ ପରଷୁଛନ୍ତି