ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ସୁଲତାନପୁର ପଞ୍ଚାୟତ ବାଗରୁଖୀ ଗାଁର ଅଙ୍ଗନବାଡି ଦିଦି ସଞ୍ଜୁଲତା ବେହେରା । ସଳଖି ଚାଲି ପାରନ୍ତିନି ସଞ୍ଜୁ । ଜନ୍ମରୁ ଦୁଇ ବର୍ଷ ଯାଏଁ ସବୁ ଠିକ ଠାକ ଥିଲା । ହେଲେ ଯେମିତି ବୟସ ବଢ଼ିଲା ସେମିତି ଶରୀରରେ ସମସ୍ୟା ଦେଖାଗଲା । ଠିକ ଭାବେ ଚାଲି ପାରିଲେନି । ପରିବାର ଲୋକେ ବିଭିନ୍ନ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ ମଧ୍ୟ ସଞ୍ଜୁଙ୍କ ଅବସ୍ଥା ଆଉ ଠିକ୍ ହେଲା ନାହିଁ । ପିଲାଟି ଦିନରୁ ବହୁ ବାଧା ବିଘ୍ନ ସହି ସଞ୍ଜୁକୁ ଲାଳନ ପାଳନ କରି ବଡ କରାଇଲେ ବାପା ମା’ । ସଞ୍ଜୁଙ୍କ ପାଠ ପଢିବା ପାଇଁ ବହି ଖାତା ଡ୍ରେସ ଠୁ ଆରମ୍ଭ କରି ସବୁ ଦିନ ସ୍କୁଲ ଛାଡ଼ିବା ଆଣିବା ପର୍ଯ୍ୟନ୍ତ ସବୁ କିଛି କଲେ । ଆଉ ସଞ୍ଜୁ ମଧ୍ୟ ନିଜକୁ ଅକ୍ଷମ ନ ଭାବି ନିଜକୁ ସକ୍ଷମ କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି । ବାପା ମା’ଙ୍କ କଷ୍ଟ ଦେଖି ନିଜ ଗୋଡ଼ରେ ନିଜେ କେମିତି ଛିଡା ହେବେ ସେଥି ପାଇଁ ରାତି ଦିନ ଏକ କରି +୨ ପର୍ଯ୍ୟନ୍ତ ପାଠ ପଢ଼ିଲେ । ଆଉ ବାପା ମା’ଙ୍କ ଉପରେ ବୋଝ ନ ହୋଇ ସଞ୍ଜୁ ନିଜ ଗାଁ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ପାଇ ପିଲାଙ୍କୁ ଶିକ୍ଷା ଦାନ ଦେଉଛନ୍ତି । ହାତରେ ଭରା ଦେଇ ଘରୁ ଅଙ୍ଗନୱାଡି ସେଣ୍ଟର ପର୍ଯ୍ୟନ୍ତ ଆସନ୍ତି । ଶରୀର ସମସ୍ୟା ଥାଇ ବି ନିଜ କର୍ମରେ କେବେ ଖିଲାପ କରନ୍ତିନି ସଞ୍ଜୁ ।
ନିଜର ପରିଶ୍ରମ ଓ ଏକାଗ୍ରତା ପାଇଁ ଦିବ୍ୟାଙ୍ଗ ହେଲେ ମଧ୍ୟ ନିଜକୁ ସକ୍ଷମରେ ପରିଣତ କରାଇଛନ୍ତି ସଞ୍ଜୁ । ପ୍ରଥମେ ଗାଁରେ ସ୍ଥାୟୀ ଅଙ୍ଗନବାଡି ଗୃହ ନ ଥିବାରୁ ନିଜ ଘରେ ପିଲାମାନଙ୍ଗୁ ପାଠ ପଢ଼ାଉଥିଲେ । ପରବର୍ତ୍ତୀ ସମୟରେ ଗାଁ ମଝିରେ ଏକ ବାଉଁଶ ଘେରା ଘରେ ଭିତରେ ପିଲାଙ୍କୁ ପାଠ ପଢାଉଛନ୍ତି ସଞ୍ଜୁ । ସେଠାରେ ନା ଅଛି ଇଲେକ୍ଟ୍ରି ନା ଅଛି ପିଇବା ପାଣି ର ସୁବିଧା । ରୋଷେଇ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଘରୁ ରୋଷେଇ କରି ଆଣି ପିଲାଙ୍କୁ ଖାଇବାକୁ ଦିଅନ୍ତି । ପିଲାମାନଙ୍କ ପାଇଁ ଶୌଚାଳୟ ଟିଏ ମଧ୍ୟ ନାହିଁ । ସେପଟେ ସ୍ଥାନୀୟ ଲୋକେ କହିଛନ୍ତି ଅଙ୍ଗନବାଡି ଗୃହ ନ ଥିବାରୁ ପିଲାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ଭୋଗରାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ଏ ସମ୍ପର୍କରେ ଅନୁଧ୍ୟାନ କରି ଖୁବଶୀଘ୍ର ଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି । କିନ୍ତୁ ଏ ବାବଦରେ ଭୋଗରାଇ ସମ୍ମନ୍ୱିତ ଶିଶୁ ବିକାଶ ଅଧିକାରୀଣି କହିଛନ୍ତି ଗୃହ ପାଇଁ ଟଙ୍କା ଆସିଛି କେବଳ ଜାଗା ଚିହ୍ନଟ ହେଲେ କାର୍ଯ୍ୟ ଆରମ୍ଭ ହେବ ।
ସଞ୍ଜୁ ଆଉ କାହା ଉପରେ ନିର୍ଭରଶୀଳ ନୁହଁନ୍ତି । ନିଜ ଶରୀରକୁ ନେଇ ତାଙ୍କ ମନରେ ଟିକିଏ ବି ଅବଶୋଷ ନାହିଁ । ସଂଘର୍ଷ ଯେ ସଫଳତା ଆଣିଦିଏ ତାହା ବୋଧେ ହୁଏ ସଞ୍ଜୁଙ୍କୁ ଦେଖିବା ପରେ ଯେ କେହି ଭି ଅନୁଭବ କରି ପାରିବ । ସଞ୍ଜୁ ଆଜି ଯୁବପିଢୀ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।