ଆଖିର ଲୁହକୁ ଓଠ ତଳେ ଚାପି ରଖି ମୁଖ୍ୟମନ୍ତ୍ରୀଙ୍କୁ ଝୁରୁଛନ୍ତି ସର ନାନୀ

ଝରକା ପାଖରେ ରହି ବାହାରକୁ ଚାହିଁ ଚୁପଚାପ କଣ କିଛି ଚିନ୍ତା କରୁଥିଲେ ସର ନାନୀ l ସର ନାନୀ ଭାରି ସରସ ମଣିଷଟେ । ସବୁବେଳେ ହସ ହସ ମୁହଁରେ କଥା ହୁଅନ୍ତି l ଯାହା ଗୋଟିଏ ବୋଲ ହାକ କହିଲେ ଆରାମରେ ହସି କରି ଦିଅନ୍ତି l ସର ନାନୀ ସମସ୍ତଙ୍କ ଭାରି ଆପଣାର ମଣିଷଟିଏ l ସମସ୍ତଙ୍କ ପାଖରୁ ବେଶ ଭଲ ପାଇବା ସାଉଁଟି ଥାଆନ୍ତି l କେହି କେବେ ଵି ତାଙ୍କ ମୁହଁରେ ଦୁଃଖ ଦେଖି ନଥିବେ l ହେଲେ କଣ ହୋଇଛି କେଜାଣି ଝରକାରେ ବାହାରକୁ ଚାହିଁ ମନ ଦୁଃଖ କରି ଲୁଚେଇ ଲୁଚେଇ ପଣତ କାନିରେ ଆଖି ଲୁହ ପୋଛି ଗୁମୁରି ଗୁମୁରି କାନ୍ଦି ଚାଲିଥିଲେ l
ମଝିରେ ମଝିରେ ଇଣ୍ଡକ୍ସନ ଚୁଲାଉପରେ ପାଣି ନେଇ ବସାଇ ଦେଉଥିଲେ l ଏଣେ କପ ପ୍ଲେଟ ଧୋଇ ଥଣଠାଣ କରି ରାଗ ତମ ତମ ହୋଇ ପୁଣି କଚାଡି ପକାଉ ଥିଲେ l କାହା ଉପରେ ରାଗୁଥିଲେ କେଜାଣି l କିଛି ସମୟ ପରେ ସେ ନିକଟରେ ଥିବା ଆଲମିରା ଭିତରୁ କଣ ଖୋଜି ପକାଉଥିଲେ l କାଗଜ ଟୁକୁଡା କିଛି ଏପଟେ ସେପଟେ କରି ପୁଣି ଫେରି ଆସିଲେ ସେହି ଗୋଟିଏ ଜାଗାକୁ l ଆଉ ଥରେ ଠିଆ ହୋଇ ମନ ଦୁଃଖ କରୁଥାନ୍ତି ଲୁହ ଗଡାଉ ଥାନ୍ତି l ଆମେ ଏକଥା ଦେଖି ଜମା ମନଥୟ କରି ପାରିଲୁନି l ଏଭଳି ସବୁବେଳେ ମୁହଁରେ ହସର ପସରା ରଖି ଥିବା ମଣିଷଟିର କଣ ହେଲା ଯେ କୋହ କୋହ ମିଶାଇ ଲୁହ ସହିତ କାନ୍ଦୁଛନ୍ତି l ପଚାରିଲୁ ସର ନାନୀ କଣ ହୋଇଛି କି l ଉତ୍ତର ଦେଉ ନଥିଲେ କିଛି ସମୟ ପରେ କୋହ ଭରା କଣ୍ଠରେ କହିଲେ ସାର ହାରିଗଲେ ବୋଲି ମନ ଦୁଃଖ l
ସର ନାନୀ ରାଜଧାନୀ ଭୁବନେଶ୍ୱରରେ ଦୀର୍ଘ ବର୍ଷ ହେଲାଣି ସାଲିଆ ସାହି ବସ୍ତିରେ ରହିଆସୁଛନ୍ତି । ଏବଂ ନିଜ ପରିବାରର ଗୁଜୁରାଣ ତୁଲାଇବା ପାଇଁ ଏକ ଘରୋଇ ଅଫିସରେ ଜଣେ କର୍ମଚାରୀ ଭାବେ କାମ କରନ୍ତି । ସାରଙ୍କୁ ନେଇ କେତେ ସ୍ବପ୍ନ ଦେଖିଥିଲେ l ନବୀନ ପଟ୍ଟନାୟକ ସାରଙ୍କୁ ଆମେ କେତେ ସ୍ବପ୍ନ ଦେଖିଥିଲୁ l ଜିତିଲେ ଏଥର ମୋ ପୁଅ ଝିଅଙ୍କ ପାଠ ପଢା ଅନ୍ୟାନ୍ୟ ଖର୍ଚ୍ଚ ମୁଁ ବହନ କରି ପାରିବିନି ତେଣୁ ସହାୟତା କିଛି ମାଗିବି l ହେଲେ ସାର ହାରିଗଲେ l କଣ କରିବୁ ଆମେ l ଆମ ସ୍ୱପ୍ନ ଏହି ଭଳି ଅଧୁରା ରହିଗଲା l ଏମିତି କହି ପାଖରେ ଥିବା କପ ପ୍ଲେଟ କୁ ଥୋଇ ଦେଇ ଭେନିଟ ବ୍ୟାଗ ଟିକୁ କାନ୍ଧରେ ପକାଇ ମନ ଦୁଃଖରେ ଅଫିସ ଭିତରୁ ବାହାରି ଚାଲିଲେ ମୁହଁ ଶୁଖାଇ ବାହାରକୁ l ସର ନାନୀ କଥା ଶୁଣି ଦୁଃଖ ଲାଗିଲା ସତରେ ଏମାନେ ଏତେ ଭରଷା କରନ୍ତି l