ଓରାମ ସଂପ୍ରଦାୟର ଅନନ୍ଯ ପରମ୍ପରା ସାରହୁଲ ପର୍ବ, ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ ବିଶ୍ବାସ
ପ୍ରତ୍ୟେକ ସଂପ୍ରଦାୟରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଏମାନେ ନିଜର ଗଣପର୍ବକୁ ମଧ୍ଯ ପାଳନ କରିଥାନ୍ତି ଭିନ୍ନ ଭିନ୍ନ ଢଙ୍ଗରେ। ବିଶେଷ କରି ଆଦିବାସୀଙ୍କ ମଧ୍ୟରେ ରହିଛନ୍ତି ବିଭିନ୍ନ ସଂପ୍ରଦାୟର ଲୋକେ। ଏହା ଭିତରୁ ଓରାମ ସଂପ୍ରଦାୟ ଅନ୍ଯତମ, ଏହି ଓରାମ ସଂପ୍ରଦାୟର ଗଣ ପର୍ବ ହେଉଛି ସାରହୁଲ ପର୍ବ ।

ସୁନ୍ଦରଗଡ: ପ୍ରତ୍ୟେକ ସଂପ୍ରଦାୟରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଏମାନେ ନିଜର ଗଣପର୍ବକୁ ମଧ୍ଯ ପାଳନ କରିଥାନ୍ତି ଭିନ୍ନ ଭିନ୍ନ ଢଙ୍ଗରେ। ବିଶେଷ କରି ଆଦିବାସୀଙ୍କ ମଧ୍ୟରେ ରହିଛନ୍ତି ବିଭିନ୍ନ ସଂପ୍ରଦାୟର ଲୋକେ। ଏହା ଭିତରୁ ଓରାମ ସଂପ୍ରଦାୟ ଅନ୍ଯତମ, ଏହି ଓରାମ ସଂପ୍ରଦାୟର ଗଣ ପର୍ବ ହେଉଛି ସାରହୁଲ ପର୍ବ । ଏହି ସାରହୁଲ ପର୍ବରେ ଶାଳ ଗଛ ମୂଳେ ପୂଜାର୍ଚ୍ଚନା କରିବା ସହ ନୂଆ ଫୁଲ, ନୂଆ ଫଳ ଆଦି ପୂଜା କରି ପ୍ରକୃତିକୁ ଭେଟିଦିଅନ୍ତି।
ଚଳିତ ବର୍ଷ ପ୍ରଥମ ଥର ପାଇଁ ଓରାମ ସଂସ୍କୃତିକ ସମାଜ ଓ ସୁନ୍ଦରଗଡ ଓରାମ ସମାଜ ପକ୍ଷରୁ ସୁନ୍ଦରଗଡ ସଦର ମହକୁମାରେ ପାଳିତ ହୋଇଯାଇଛି ଏହି ପର୍ବ। ଏହି ପର୍ବରେ ମୁଖ୍ଯ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଯୋଗ ଦେଇ ରିତୀନିତୀ ଅନୁସାରେ ଶାଳ ଗଛ ମୂଳରେ ପୂଜା କରିବା ସହ ନିଜର ଇଷ୍ଟ ଦେବୀଙ୍କୁ ଭୋଗ ଚଢାଇ ଥିଲେ। ଜନଜାତିଙ୍କ ଗଣପର୍ବ ଏହି ସାରହୁଲ ପର୍ବ ସୁନ୍ଦରଗଡ ସଦରମହକୁମାରେ ପ୍ରଥମ ଥର ପାଇଁ କରାଯାଇଛି। ପୂର୍ବରୁ ଯଦିଓ ଏହି ପର୍ବ ପାଳନ ହୋଇ ଆସୁଛି ତଥାପି ଚଳିତ ବର୍ଷ ସମସ୍ତ କରୋନା କଟକଣା ହଟିବା ପରେ ଆନନ୍ଦ ଉଲ୍ଲାସର ସହ ଏହାକୁ ପାଳନ କରାଯାଉଛି ବୋଲି କହିଛନ୍ତି ସୁନ୍ଦରଗଡ ସାଂସଦ।
କେବଳ ଯେ ଶାଳ ଗଛ ମୂଳରେ ପୂଜା କରି ନୂଆ ଫୁଲ,ଫଳ ଚଢାଯାଇଥାଏ ତା ନୁହେଁ ବରଂ ଏହି ଶାରହୁଲ ପୂଜା ସହ ଯୋଡି ହୋଇ ରହିଛି ପୌରାଣିକ ତଥ୍ଯ। ମହାଦେବ ଯେତେବେଳେ ମାତା ପାର୍ବତୀଙ୍କୁ ବାହା ହୋଇଥିଲେ ସେତେବେଳେ ମାତା ପାର୍ବତୀ ଏକ ସର୍ତ୍ତ ରଖିଥିଲେ । ସେ ୩ମାସ ଶିବଙ୍କ ପାଖରେ ରହିବେ ଓ 9 ମାସ ଧରାପୃଷ୍ଠରେ ରହିବେ ଏବଂ ସର୍ତ୍ତ ଅନୁଯାୟୀ ମାତା ପାର୍ବତୀ ଏହି ଚୈତ୍ର ମାସରେ ଧରାପୃଷ୍ଠକୁ ଅବତରଣ କରିଥିଲେ ଓ ସେହି ସମୟରେ ଗଛ ପତ୍ର ସବୁ କଅଁଳି ନୂଆ ରୂପ ପାଇଥିଲା ଓ ଶାଳ ଗଛର ପତ୍ର ସହ ନୂଆ ଫୁଲ ଫୁଟି ଯେଭଳି ମାତା ପର୍ବତୀଙ୍କୁ ସ୍ବାଗତ କରିଥିଲା ।
ସେହି ପରମ୍ପରାକୁ ବଜାୟ ରଖିଥିବା କଥା କହିଛନ୍ତି ପୂଜକ। ଅନ୍ଯପଟେ ଓରାମ ସଂପ୍ରଦାୟର ଏହା ହେଉଛି ଏକ ପ୍ରକୃତି ପୂଜା ଏଣୁ ଏହାକୁ ପାଳନ କରି ଆସୁଥିବା କଥା କହିଛନ୍ତି ଏହାର କର୍ମକର୍ତ୍ତା।ଗ୍ରୀଷ୍ମ ଋତୁର ଆଗମନରେ ପତ୍ରଝଡା ପରେ ଗଛପତ୍ର ଯେଭଳି ଭାବରେ କଅଁଳି ସବୁଜିମା ହୋଇଥାଏ । ଓରାମ ସଂପ୍ରଦାୟର ଏହି ସାରହୁଲ ପୂଜା ପୌରାଣିକ ବିଶ୍ବାସ ହେଉ ବା ନିଜ ଧର୍ମର ବିଶ୍ବାସ ହେଉ ଏହା କିନ୍ତୁ ବିଭିଧତା ମଧ୍ୟରେ ଏକତା ଏହାହିଁ ପ୍ରମାଣିତ କରୁଛି।