କ୍ଷମତାକୁ ଆସି ସୁଦ୍ଧା ଭୁଲି ନାହାନ୍ତି ନିଜ କର୍ତ୍ତବ୍ୟ, ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି କଲେ ଗାଁ ରାସ୍ତା

ନରସିଂହପୁର : କ୍ଷମତା ପାଇଁ ଆଜିକାଲି ଦୁନିଆରେ ସବୁଠି ଚାଲିଛି ନିଜ ନିଜ ଭିତରେ ଲଢେଇ । ଏଠି ସତରେ କଣ କାହାର ସେବା କରିବାର ମନବ୍ରୁତି ରହିଛି? ଏ ପ୍ରଶ୍ନର ଉତ୍ତର ତ ଆପଣଙ୍କ ପାଖରେ ନୀହାତି ଥିବ । ହେଲେ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କ୍ଷମତାକୁ ଆସିଲେ ସୁଦ୍ଧା ନିଜ କର୍ତ୍ତବ୍ୟକୁ ଭୁଲିନଥାନ୍ତି ।

ସାମ୍ନାକୁ ଏମିତି ଏକ ଘଟଣା । ମାନବିକତାର ପରିଚୟ ଦେଲେ ସରପଞ୍ଚ । ଦୀର୍ଘ ଦିନର ଆଶା ହୋଇଛି ପୂରଣ । ଯାହାପରେ ପଞ୍ଚାୟତବାସୀଙ୍କ ଖୁସି କହିଲେ ନସରେ । ଏପରି ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ କାଠଖୁଣ୍ଟା ଗ୍ରାମ ପଞ୍ଚାୟତରେ ।

କାଠଖୁଣ୍ଟା ଗ୍ରାମ ପଞ୍ଚାୟତର କାଠଖୁଣ୍ଟା ଗ୍ରାମରେ ରୁହନ୍ତି ପାଖାପାଖି ୩ହଜାରରୁ ଅଧିକ ଲୋକ । ବିଶେଷକରି ଏମାନେ କୃଷି ଉପରେ ନିର୍ଭର କରି ଚଳିଥାନ୍ତି । ହେଲେ ଗ୍ରାମର ଉପର ସାହିରେ ରାସ୍ତା ଖରାପ ଥିବାରୁ ଯାତାୟାତ ପାଇଁ ବହୁ ହଇରାଣ ହେଉଥିଲେ ଲୋକ । ସେହି ରାସ୍ତା ଦେଇ ସ୍କୁଲ ପିଲାଙ୍କ ସମେତ ୮ରୁ ୧୦ଟି ଗ୍ରାମର ଲୋକ ଯିବା ଆସିବା କରିଥାନ୍ତି ।

ତେବେ ବିଭିନ୍ନ ସମୟରେ ବିଭିନ୍ନ ସରପଞ୍ଚ ତଥା ବିଡିଓଙ୍କୁ ଜଣାଇଲେ ବି କିଛି ସମାଧାନ ହୋଇପାରୁନଥିଲା । ହେଲେ ଏନେଇ ଶେଷରେ ନୂତନ ଭାବେ ହୋଇଥିବା ସରପଞ୍ଚ ଲିପିନା ରାଉତଙ୍କୁ ଜଣାଇବା ପରେ କିଛି ସରକାରୀ ଯୋଜନା ନଥାଇ ବି ସେ ଗ୍ରାମବାସୀଙ୍କ ସୁବିଧା ପାଇଁ ଅଣ୍ଟା ଭିଡିଥିଲେ । ନିଜ ପକେଟରୁ ଅର୍ଥ ଖର୍ଚ୍ଚ କରି ନିଜେ ଶ୍ରମିକ ମାନଙ୍କ ସହ ବର୍ଷାରେ ଠିଆ ହୋଇ, କାମଟିକୁ କରାଇଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ଏବେ ବହୁତ ଖୁସି । ତେବେ ସରପଞ୍ଚଙ୍କର ଏପରି କାମକୁ ନେଇ ସାରା ପଞ୍ଚାୟତରୁ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ ।

ଏପଟେ ଏହି ଘଟଣା ପରେ ଆମେ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲି । ତେବେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଏହା ତାଙ୍କ ନିଜର କାମ ଓ ଏଥିରେ କିଛି ବାହା ବାହା ନବାର ନାହିଁ । ତାଙ୍କୁ ନେଇ ବୁଦ୍ଧିଜୀବୀ ମହଲରେ ବେଶ୍ ଚର୍ଚ୍ଚା ସହିତ ସଭିଏଁ ସାବାସୀ ଦେଇଛନ୍ତି ।

ନିଆରା ଚିନ୍ତାଧାରା । ସତରେ ଏସମାଜରେ ଅନେକ ଲୋକ ଅଛନ୍ତି ଯିଏ ବିନା ସ୍ୱାର୍ଥରେ ସମସ୍ତଙ୍କ ପାଇଁ ଭଲ କାମ କରନ୍ତି । କିନ୍ତୁ ସାମ୍ନାକୁ ଆସନ୍ତିନି କି କାହା ଆଗରେ କୁହନ୍ତିନି ଆମେ ଏମିତି କାମ କରୁଛୁ ବୋଲି । ଯଦି ଏଭଳି ଜନପ୍ରତିନିଧୀ ପ୍ରତି ପଞ୍ଚାୟତରୁ ବାହାରିବେ ତେବେ ଆମ ଓଡିଶା କେଉଁଠି ଯାଇ ପହଞ୍ଚିବ ତାହା କଳ୍ପନା ବାହାରେ ।