ଅଲୋଡ଼ା ପ୍ଲାଷ୍ଟିକ୍‌ରୁ ପ୍ରଦୂଷଣ ମୁକ୍ତ ପେଟ୍ରୋଲ ପ୍ରସ୍ତୁତ କରୁଛନ୍ତି ଜଣେ ପ୍ରଫେସର

ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଉଦ୍ଦେଶ୍ୟ ନିଶ୍ଚୟ ସଫଳ ହୋଇଥାଏ। ଏବେ ତାହା ପ୍ରମାଣିତ କରିଛନ୍ତି ହାଇଦ୍ରାବାଦର ଜଣେ ପ୍ରଫେସର। ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହାଇଦ୍ରାବାଦ ନିବାସୀ ୪୫ ବର୍ଷୀୟ ପ୍ରଫେସର ସତୀଶ କୁମାର। ପେସାରେ ଜଣେ ମେକାନିକାଲ ଇଂଜିନିୟର କିନ୍ତୁ ଦୀର୍ଘ ଦିନରୁ ସେ ବ୍ୟବହାର ଅନୁପଯୋଗୀ ହୋଇ ପଡିଥିବା ପ୍ଲାଷ୍ଟିକରୁ ପେଟ୍ରୋଲ ବାହାର କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ, ଏବେ ତାହା ସଫଳ ହୋଇଛି। ସତୀଶ ଏହି ପ୍ରକ୍ରିୟାକୁ ପ୍ଲାଷ୍ଟିକ୍ ପାୟରୋଲିସିସ ନାମକରଣ କରିଛନ୍ତି। ଖାଲି ପେଟ୍ରୋଲ ନୁହେଁ, ଡିଜେଲ, ବିମାନ ପାଇଁ ଇନ୍ଧନ ମଧ୍ୟ ପ୍ରସ୍ତୁତ ହୋଇପାରିବ ବୋଲି ସେ ଦାବି କରିଛନ୍ତି।

Satishପ୍ରଥମେ ବ୍ୟବହାର ଅନୁପୋଯୋଗୀ ହୋଇପଡ଼ିଥିବା ପ୍ଲାଷ୍ଟିକକୁ ସତୀଶ ସଂଗ୍ରହ କରିଥିଲେ। ଏହାପରେ ସେ ତାକୁ ଅଧିକରୁ ଅଧିକ ଗରମ କରି ତରଳାଇବା ପରେ କେମିକାଲ ସାହାଯ୍ୟରେ ପେଟ୍ରୋଲ, ଡିଜେଲ ଆଦି ପ୍ରସ୍ତୁତ କରିପାରିଛନ୍ତି ବୋଲି କହିଛନ୍ତି। ୫୦୦ ଲିଟର ବର୍ଜ୍ୟ ପ୍ଲାଷ୍ଟିକକୁ ତରଳାଇ ସେ ୪୦୦ ଲିଟର ପେଟ୍ରୋଲ ପ୍ରସ୍ତୁତ କରୁଥିବା କହିଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ପ୍ରକ୍ରିୟା ପାଇଁ ପାଣି ଆଦୌ ବ୍ୟବହାର ହୁଏ ନାହିଁ । ସତୀଶ କୁମାର ହାଇଡ୍ରୋକ୍ସି ପ୍ରାଇଭେଟ୍ ଲିମିଟେଡ୍ ନାମରେ ମଧ୍ୟ ଏକ କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ଏହି କମ୍ପାନୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏମଏସଏମଇ ଶିଳ୍ପ ଅଧୀନରେ ପଞ୍ଜୀକୃତ ହୋଇଛି।

Satishଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସତୀଶ କହିଛନ୍ତି ଏହି ପ୍ଲାଷ୍ଟିକ୍ ପାୟରୋଲିସିସ ଦ୍ୱାରା ବାୟୁ ପ୍ରଦୂଷଣ ହୁଏ ନାହିଁ। ୨୦୧୬ରୁ ଆଜି ଯାଏ ୫୦ ଟନ ବର୍ଜ୍ୟ ପ୍ଲାଷ୍ଟିକକୁ ସେ ପେଟ୍ରୋଲରେ ପରିଣତ କରିଛନ୍ତି। ପେଟ୍ରୋଲ ପ୍ରସ୍ତୁତ କରିବା ପରେ ସ୍ଥାନୀୟ ବେପାରୀଙ୍କୁ ଲିଟର ପିଛା ୪୦ରୁ ୫୦ ଟଙ୍କା ଦରରେ ସେ ବିକ୍ରି କରୁଥିବା କହିଛନ୍ତି। ତେବେ ଏହା ଗାଡିରେ ବ୍ୟବହାର ହୋଇପାରିବ କି ନାହିଁ, ତାହା ସରକାରୀ ସ୍ତରରେ ଯାଞ୍ଚ ହୋଇନଥିବା ସତୀଶ କହିଛନ୍ତି।

You might also like