ଡ୍ରାଇଭରଙ୍କୁ ଶହେ ସଲାମ୍‌! ହାର୍ଟ ଆଟାକ୍‌ ଆସିବା ପରେ ବି ସୁରକ୍ଷିତ ଭାବେ ୨୦ ପିଲାଙ୍କୁ ସ୍କୁଲରେ ପହଞ୍ଚାଇଲେ; ହସ୍ପିଟାଲରେ ମୃତ୍ୟୁ

ନିଜ କର୍ତ୍ତବ୍ୟକୁ ସମ୍ମାନ ଦେବା କ’ଣ, ତାହା ଶିଖାଇଛନ୍ତି ରାଜସ୍ଥାନର ଜଣେ ଡ୍ରାଇଭର। ଏହି ଘଟଣା ଜାଣିବା ପରେ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ। ଏଥିସହ ଡ୍ରାଇଭରଙ୍କ ପ୍ରତି ଆପଣଙ୍କ ହୃଦୟରେ ଆହୁରି ସମ୍ମାନ ବଢ଼ିଯିବ। କାରଣ ଏହି ଡ୍ରାଇଭର ନିଜ ଜୀବନ କଥା ଚିନ୍ତା କରି ଡ୍ରାଇଭିଂ କରୁଥିବା ବସ୍‌ରେ ଥିବା ୨୦ ପିଲାଙ୍କ କଥା ପ୍ରଥମେ ଭାବିଥିଲେ। ସେମାନଙ୍କୁ ପ୍ରଥମେ ସ୍କୁଲ ପହଞ୍ଚାଇଥିଲେ।

ରିପୋର୍ଟ ମୁତାବକ, ଭିଲବାଡ଼ା ଜିଲ୍ଲାର ଏକ ପ୍ରାଇଭେଟ୍‌ ସ୍କୁଲର ବସ୍‌ ଚଲାଉଥିବା ବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। କିନ୍ତୁ ସେତେବେଳେ ସେ ନିଜ ଜୀବନ କଥା ଚିନ୍ତା ନ କରି ପିଲାଙ୍କୁ ସୁରକ୍ଷିତ ଭାବେ ସ୍କୁଲରେ ପହଞ୍ଚାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି।

Mahendra

ଭିଲବାଡ଼ା ଜିଲ୍ଲା ଆମେସର ଗାଁ ନିବାସୀ ୪୦ ବର୍ଷୀୟ ବସ୍‌ ଡ୍ରାଇଭର ମହେନ୍ଦ୍ର ସିଂହ ସ୍କୁଲର ମିନି ବସ୍‌ ଚଲାନ୍ତି। ହାର୍ଟ ଆଟାକ୍‌ ହେବା ଦିନ ବି ସେ ୨୦ ଜଣ ପିଲାଙ୍କୁ ନେଇ ସ୍କୁଲ ଆସୁଥିଲେ। ରାସ୍ତାରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ପ୍ରବଳ ଯନ୍ତ୍ରଣା ହେବାରୁ ସେ ଗାଡ଼ି ସ୍ଲୋ କରି ଦେଇଥିଲେ। କିନ୍ତୁ ଗାଡ଼ି ରୋକି ନଥିଲେ। ସେ ସେହି ଯନ୍ତ୍ରଣାରେ ବି ଧୀରେ ଧୀରେ ଗାଡ଼ି ଚଲାଇ ପିଲାଙ୍କୁ ସ୍କୁଲରେ ଛାଡ଼ିଥିଲେ। ଫଳରେ ୨୦ ଜଣ ପିଲାଙ୍କ ଜୀବନ ବଞ୍ଚିଯାଇଛି।

ଏହା ପରେ ସେ ସ୍କୁଲ ସଞ୍ଚାଳକଙ୍କୁ ଛାତିରେ ଯନ୍ତ୍ରଣା ହେଉଥିବା ନେଇ ଜଣାଇଥିଲେ। ସ୍କୁଲ ସଞ୍ଚାଳକ ମହେନ୍ଦ୍ର ସିଂହଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କର ହାର୍ଟ ଆଟାକ୍‌ ହୋଇଥିବା କହିବା ସହ ବଡ଼ ମେଡିକାଲକୁ ରେଫର କରିଥିଲେ। କିନ୍ତୁ ବଡ଼ ମେଡିକାଲକୁ ଯିବା ପୂର୍ବରୁ ହିଁ ରାସ୍ତାରେ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସ୍କୁଲରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.