ସ୍କୁଲଠୁ ଡାକ୍ତରଖାନା ନଦୀ ଆରପାରିରେ, ଭରା ନଇରେ ନଦୀ ପାର କରୁଛନ୍ତି ସ୍କୁଲ ପିଲା

ସବୁକିଛି ନଦୀ ଆର ପାରିରେ । ରାସନ ଦୋକାନଠୁ ସରକାରୀ ଦପ୍ତର । ସ୍କୁଲଠୁ କଲେଜ । ଦୁର୍ଦ୍ଦଶା ଭୋଗୁଛନ୍ତି ୧୫ଖଣ୍ଡ ଗାଁ ଲୋକେ । ବର୍ଷାଦିନ ଆସିଲେ ତ ଅବସ୍ଥା ଆହୁରି ସଙ୍ଗିନ ।

କେନ୍ୟୁଜ୍(ବ୍ୟୁରୋ): ସବୁକିଛି ନଦୀ ଆର ପାରିରେ । ରାସନ ଦୋକାନଠୁ ସରକାରୀ ଦପ୍ତର । ସ୍କୁଲଠୁ କଲେଜ । ଏପରିକି ଡାକ୍ତରଖାନା ଯିବାକୁ ହେଲେବି ନଦୀ ପାର କରିବାକୁ ପଡ଼ିବ । ଥାନାଠୁ ବ୍ୟାଙ୍କ ସବୁକିଛି ଆର ପାରିରେ । ଏପରିକି ଜରୁରି କାଳୀନ ସେବା ୧୫ କିଲୋମିଟର ବୁଲିକି ଆସିବ । ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍କକ ନୂଆଗଡ଼ ପଞ୍ଚାୟତର ୧୫ଖଣ୍ଡ ଗାଁ ଲୋକେ । ସବୁକିଛି ରହିଛି ନଦୀ ଆରପାରିରେ । ବର୍ଷାଦିନ ଆସିଲେ ତ ଅବସ୍ଥା ଆହୁରି ସଙ୍ଗିନ । ଭରାନଇରେ ନଦୀ ପାରକରି ସ୍କୁଲ ପିଲାଠୁ ରୋଗୀ ଯାଉଛନ୍ତି । ଏପରିକି ବେଳେ ବେଳେ ନଦୀରେ ଭାସି ଯିବାର ଦୃଶ୍ୟ ମଧ୍ୟ ସାମନାକୁ ଆସିଛି ।

 

ଗଞ୍ଜାମ ଜିଲ୍ଲା ସୋରଡ଼ା ଦେଇ ଯାଇଛି ଋଷିକୁଲ୍ୟା ନଦୀ । ଏହି ନଦୀରେ ସବୁବେଳେ ପ୍ରାୟ ପାଣିର ପ୍ରବାହ ରହିଥାଏ । ନଦୀର ଉଭୟ ପଟରେ ଅନେକ ଗାଁ ରହିଛି । ଗୋଟିଏ ପଟେ ସୋରଡ଼ା ବ୍ଲକ ରହିଥିବା ବେଳେ ଅନ୍ୟପଟେ ବ୍ଲକର ନୂଆଗଡ଼ ପଞ୍ଚାୟତର କେଶରା, ବି କୋଟିବାଡି, ରଙ୍ଗାବାଲି, ପାଳକାଟୁ, ନୂଆଗାଁ, ବାରଧାଙ୍ଗିଡି ଓ ନାଗପୁର ପରି ଗାଁ ରହିଛି । ଏହିସବୁ ଗାଁ ଲୋକେ ନଦୀ ପାରହୋଇ ସୋରଡ଼ା ଆସିଥାନ୍ତି । ଅନ୍ୟପଟେ ଆସିଲେ ପ୍ରାୟ ୧୫ କିଲୋମିଟର ବୁଲିବାକୁ ପଡ଼ିବ । ଏପରି ସ୍ଥିତିରେ ୧୫ କିଲୋମିଟର ବୁଲି ସ୍କୁଲ ଯିବା ପିଲାଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ବାଧ୍ୟ ହୋଇ ନଦୀ ପାରକରି ସ୍କୁଲ ଯାଉଛନ୍ତି । କେବଳ ସ୍କୁଲ ପିଲାନୁହେଁ ରୋଗୀଠୁ ଆରମ୍ଭ କରି ଗାଁର ସମସ୍ତେ ନଦୀ ପାର କରି ବିଭିନ୍ନ କାମରେ ଯାଉଛନ୍ତି । ବର୍ଷସାରା ଏପରି ପରିସ୍ଥିତିରେ ଲୋକେ ବାଧ୍ୟ ଯିବାଆସିବା କରୁଛନ୍ତି ।

 

ଏହି ସମସ୍ୟାର ସମାଧାନ ପାଇଁ ବିଜୁସେତୁ ଯୋଜନାରେ ନୂଆଗଡ଼ ଓ କେଶରା ମଧ୍ୟରେ ଋଷିକୁଲ୍ୟାରେ ବ୍ରିଜ ନିର୍ମାଣ ଚାଲିଛି । ୨୦୧୮ ଅକ୍ଟୋବରରୁ ୧୫ଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ ଆରମ୍ଭ କରିଥିଲେ । ଏହାକୁ ସରକାର ୨୦୨୦ ଅକ୍ଟୋବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ଏହାରି ଭିତରେ ୫ବର୍ଷ ପୁରିବାକୁ ବସିଥିବା ବେଳେ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ପାରୁନି । ଯାହା ଫଳରେ ନୂଆଗଡ଼ ପଞ୍ଚାୟତବାସୀ ଦୀର୍ଘ ଦିନରୁ ଲାଗିରହିଥିବା ଦୁଃଖ ଦୂର ହୋଇ ପାରୁନି । ଏହାସହ ମନ୍ଥର ଗତିସହ ନିମ୍ନ ମାନର କାମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ଭଞ୍ଜନଗର ଉପଜିଲ୍ଲାପାଳ ମଧ୍ୟ ସ୍ୱିକାର କରିଛନ୍ତି । ଏହାସହ ଶୀଘ୍ର କାମ ସାରିବାକୁ ଠିକାଦାରକୁ ନିର୍ଦେଶ ଦିଆଯାଇଥିବା କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.