ଆମେ ସମସ୍ତଙ୍କୁ ଜଣା ଯେ ବିନା ନିଶ୍ୱାସ ପ୍ରଶ୍ୱାସରେ ପୃଥିବୀ ପୃଷ୍ଠରେ କୌଣସି ବି ଜୀବ ଦଣ୍ଡେ ମାତ୍ର ତିଷ୍ଠିବା ସମ୍ଭବ ନୁହେଁ । କିନ୍ତୁ ପ୍ରଥମ ଥର ପାଇଁ ବୈଜ୍ଞାନିକ ମାନେ ଏପରି ଏକ ରହସ୍ୟମୟ ଜୀବ ଆବିଷ୍କାର କରିଛନ୍ତି, ଯାହାକି ବିନା ନିଶ୍ଵାସ ନେଇ ବି ବଞ୍ଚିପାରିଛି । ଏହା ହୁଏତ ଦୁନିଆର ପ୍ରଥମ ଜୀବ ଯାହା ପାଖରେ ଏମିତି ଏକ ଅଦ୍ଭୁତ ଗୁଣ ରହିଛି । ଏକ ରିପୋର୍ଟ ଅନୁଯାୟୀ, ଜେଲିଫିସ ଭଳି ଦେଖାଯାଉଥିବା ଏହି ବହୁକୋଷିୟ ଜୀବ ଟିର ଶରୀରରେ ମାଇଟୋକଣ୍ଡ୍ରିଆ ଜିନାମ ମହଜୂତ ନାହିଁ । ପ୍ରକୃତରେ ମାଇଟୋକଣ୍ଡ୍ରିଆ ହିଁ କୌଣସି ଜୀବର ନିଶ୍ୱାସ ନେବା ପାଇଁ ଜରୁରୀ ହୋଇଥାଏ । କିନ୍ତୁ ଏହି ଅଦ୍ଭୁତ ଜୀବଟିର ଏହି ଅଙ୍ଗ ଟି ନଥିବାରୁ ଅକ୍ସିଜେନ ନେବାର ଆବଶ୍ୟକତା ହୋଇନଥାଏ ।
ନିକଟରେ ହିଁ ତେଲଅଭିବ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଦଳ ଏହି ଅଦ୍ଭୁତ ଜୀବ ଟିର ଅନୁସନ୍ଧାନ ପାଇଥିଲେ । ଏହି ବିଶେଷଜ୍ଞ ଦଳ ଅନୁଯାୟୀ ଏହି ବିଶେଷ ଧରଣର ଜୀବଟି ଅନ୍ୟ ପ୍ରଜାତିର ମାଛ ମାନଙ୍କ ଠାରୁ ହିଁ ନିଜ ପାଇଁ ଉର୍ଜା ଗ୍ରହଣ କରିଥାଏ । କିନ୍ତୁ ଏହି ଜୀବଟି ଜଳରେ ବାସ କରୁଥିବା ଅନ୍ୟ ମାଛ ମାନଙ୍କର କୌଣସି ପ୍ରକାର କ୍ଷତି କରିନଥାଏ । ଏହି ପରଜୀବୀ ସାଲମନ ମାଛ ଶରୀରରେ ବାସ କରୁଥିବା ବେଳେ ମାଛଟି ଜୀବିତ ଥିବା ପର୍ଯ୍ୟନ୍ତ ଏହା ବଞ୍ଚି ରହିଥାଏ । ଏହି ଜୀବଟିର ବୈଜ୍ଞାନିକ ନାମ ସାଲମିନିକୋଲା ରଖାଯାଇଛି । ଗବେଷଣାରୁ ଏହା ମଧ୍ୟ ଜଣାଯାଇଛି ଯେ, ଏହି ଜୀବ ମଣିଷ କିମ୍ବା ଅନ୍ୟ ଜୀବକୁ କୌଣସି ପ୍ରକାର କ୍ଷତି ଘଟାଇନଥାଏ ।
ବିନା ଅକ୍ସିଜେନରେ ପୃଥିବୀ ପୃଷ୍ଠରେ ବଞ୍ଚିରହିପାରୁଥିବା ଏହି ଜୀବ ସମ୍ଭନ୍ଧରେ ଆହୁରି ଅଧିକ ଜାଣିବା ପାଇଁ ବୈଜ୍ଞାନିକ ଦଳ ନିଜ ଗବେଷଣା ଜାରି ରଖିଛନ୍ତି । ଏହା ପୂର୍ବରୁ ଇଟାଲୀର ଏକ ବୈଜ୍ଞାନିକ ଦଳକୁ ଏମିତି ହିଁ ଏକ ସମାନ ଧରଣର ଜୀବର ସନ୍ଧାନ ମିଳିଥିଲା । କିନ୍ତୁ ସେହି ସମୟରେ ଜଣା ପଡିଥିଲା କି ଏହି ଜୀବଟି ହାଇଡ୍ରୋଜେନ ସଲଫାଇଡରୁ ହିଁ ନିଜ ପାଇଁ ଶକ୍ତି ସଞ୍ଚୟ କରିଥାଏ ।