ବ୍ରିଜ ଉପରେ ଲାଗିଛି ଲୋକଙ୍କ ଗହଳି । ସମସ୍ତଙ୍କ ନଜର ପାଣି ଉପରେ । କାରଣ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଆଖି ଆଗରେ ନଦୀରେ ପଡିଗଲେ ମହିଳା । ବ୍ରିଜ ଉପରେ ସ୍କୁଟି, ଜୋତା, ମୋବାଇଲ୍ ଫୋନ୍ ସବୁ ଅଛି ହେଲେ ମହିଳା ଜଣକ ନାହାନ୍ତି । ପାଣି ଭିତରେ କୁଆଡେ ଉଭାନ୍ ହେଇଗଲେ ଯେ ଏବେ ଯାଏଁ ବି ତାଙ୍କର କୌଣସି ଖୋଜ୍ ଖବର ମିଳୁନି । ପୋଲ ଉପରେ ଯିବା ଆସିବା କରୁଥିବା ଲୋକେ ବିଭିନ୍ନ କଥା ନେଇ ଆଲୋଚନା କରୁଛନ୍ତି । ଏଭଳି ନିଷ୍ପତି ସେ ନିଜେ ନେଇଛନ୍ତି କି ପୋଲ ଉପରେ ବସିଥିଲେ, ଖସି ପଡ଼ିଲେ? ଲୋକଙ୍କ ଭିତରେ ଏଭଳି ଅନେକ ଚର୍ଚ୍ଚା ଚାଲିଛି ।
ତେବେ ଏଭଳି ଏକ ଅଭାବନୀୟ ଘଟଣା ଯାଜପୁର ଖରସ୍ରୋତା ନଦୀ ବ୍ରିଜ ଉପରେ ଘଟିଛି । ତେବେ ମିଳିଥିବା ପରିଚୟ ପତ୍ରରୁ ନିଖୋଜ ମହିଳା କୁଆଖିଆ ଥାନା ଶ୍ରୀବନ୍ତପପୁର ଅଞ୍ଚଳର ମନ୍ଦାକିନୀ ସାମଲ ବୋଲି ଜଣାପଡିଛି । ନିଖୋଜ ମନ୍ଦାକିନୀଙ୍କ ଘର ରସୁଲପୁର ବ୍ଲକ ଶ୍ରିବନ୍ତପୁର ପଞ୍ଚାୟତ କାଣ୍ଡସରା ଅଞ୍ଚଳରେ ବୋଲି ଜଣାପଡିଛି । ସେ ଅଙ୍ଗନାୱାଡି ସୁପର ଭାଇଜର ଭାବେ କାର୍ଯ୍ୟ କରନ୍ତି । ପାରିବାରିକ କଳହ ପାଇଁ ସେ କିଛି ଦିନ ଧରି ଏକାକୀ ଭଡାରେ ରହୁଥିଲେ ।
ତେବେ ଏଭଳି ନିଷ୍ପତି ସେ ନିଜେ ନେଇଛନ୍ତି କି ଅସାବଧାନତା ବଶତଃ ନଦୀକୁ ଓଲଟିପଡ଼ିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ଖରସ୍ରୋତା ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି । ସଦର ପୋଲିସ ଘଟଣା ସ୍ଥଳରୁ ସ୍କୁଟି, ଜୋତା, ମୋବାଇଲ ଏବଂ ଆଧାର କାର୍ଡ ଜବତ କରି ଅଧିକ ତଦନ୍ତ ଚଳାଇଛି । ଘଟଣା ସ୍ଥଳରେ ଯାଜପୁର ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ତେବେ ବାରମ୍ବାର ଏସବୁ ଘଟଣା ଘଟିବା ସତ୍ତ୍ୱେ ପୋଲ ଉପରେ ନିୟମିତ ଭାବେ ସୁରକ୍ଷା ବ୍ୟବସ୍ଥା କରାଯାଉ ନାହିଁ । ସେହିପରି ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ ଉଦ୍ଧାରକାରୀ ଟିମ୍ ମଧ୍ୟ ମୁତୟନ ହେବା ମଧ୍ୟ ନିହାତି ଜରୁରୀ । କାରଣ କିଏ କେତେବେଳେ ଏଭଳି ଚରମ ନିଷ୍ପତ୍ତି ନେବ ତାହା କହିବା ମୁସ୍କିଲ । ବହୁତ ଜନ୍ମର ତପସ୍ୟା ପରେ ମଣିଷ ଜନ୍ମ ମିଳିଥାଏ । ଥରେ ଚାଲିଗଲେ ଆଉ ଫେରେନା । ଜୀବନଠୁ ବଳି ଆଉ ଅମୂଲ୍ୟ ସମ୍ପଦ କ’ଣ ବା ହେଇପାରେ?
ଜୀବନ ତ ଭଗବାନ ଦେଇଛନ୍ତି । ଆଉ ଜୀବନ ନେବାର ଅଧିକାର ବି କେବଳ ତାଙ୍କର ଅଛି । ହେଲେ ଏହା ଜାଣିବି କାହିଁକି ବାରମ୍ବାର ଲୋକମାନେ ଏମିତି ପଦକ୍ଷେପ ନେଉଛନ୍ତି । ଲୋକେ ସିନା ବୁଝି ପାରୁ ନାହାନ୍ତି ଏଭଳି କଠୋର ନିଷ୍ପତି ନେବା ସମାଧାନର ବାଟ ନୁହେଁ ହେଲେ ସେମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରୟାସ କରିବା ତ ପ୍ରଶାସନର ଦାୟିତ୍ୱ । ତେବେ ଏହି ସ୍ଥାନରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହି ପୋଲ ବାଡକୁ ଅଧିକ ଉଚ୍ଚତା କରିବା ପାଇଁ ସାଧାରଣରେ ଦାବି ହୋଇଛି ।