ଭକ୍ତଙ୍କ ଦର୍ଶନରେ ପ୍ରତିବନ୍ଧକ ସାଜିଥିଲା ଡହ ଡହ ଖରା, ତିକ୍ତ ଅନୁଭୂତି ନେଇ ଫେରିଲେ ଭକ୍ତମାନେ

ଓଃ କି ଖରା ! ଲାଗୁଛି ପାଦ ପୋଡ଼ି ଯିବ… ନହେଲେ ଫୋଟକା ହୋଇଯିବ.. କିନ୍ତୁ ଉପାୟ ବା କଣ ? କାଉଲୁ ବାଉଲୁ ହୋଇ ଦୌଡୁଛନ୍ତି କିଏ ପାଦ ଟେକି ଡେଇଁ ଡେଇଁ ଚାଲୁଛନ୍ତି ତ ଆଉ କିଏ ଛୁଆଙ୍କୁ କାଖେଇ ଦୌଡୁଛନ୍ତି । ବେଶି କଷ୍ଟ ଭୋଗୁଛନ୍ତି ଦିବ୍ୟାଙ୍ଗ ଓ ଶିଶୁ । ଏ ଦୃଶ୍ୟ ହେଉଛି ଶ୍ରୀ ମନ୍ଦିର ସିଂହଦ୍ବାରର । ବଢ଼ିଲାଣି ତାତି । ପ୍ରବଳ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଭକ୍ତ ଓ ପର୍ଯ୍ୟଟକ । ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ମହିଳା ସମସ୍ତେ ଡହ ଡହ ଖରାରେ ଶିଝୁଛନ୍ତି ।
ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା ହେଲେ ଡହ ଡହ ଖରାରେ ମନ୍ଦିରକୁ ଯିବା ଆସିବା କିନ୍ତୁ ଯମ ଯନ୍ତ୍ରଣା ଦେଉଛି । ଯାହାର ଚିତ୍ର ଆଜି ଦେଖିବାକୁ ମିଳିଥିଲା ସିଂହଦ୍ୱାର ଆଗରେ,ବାହାରେ ଓ ପରିକ୍ରମା ମାର୍ଗରେ । ଭକ୍ତମାନେ ତିକ୍ତ ଅନୁଭୂତି ନେଇ ଫେରିଥିଲେ । ଆଜି ସ୍ୱତନ୍ତ୍ର ନୀତି ଥିବାରୁ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗିଥିଲା ଶ୍ରୀମନ୍ଦିରରେ। ତେବେ ଭକ୍ତଙ୍କ ଦର୍ଶନରେ ପ୍ରତିବନ୍ଧକ ସାଜିଥିଲା ଡହ ଡହ ଖରା ।
ଖରାବେଳେ ପ୍ରସ୍ଥାନ ଦ୍ୱାରରୁ ଜୋତା ଷ୍ଟାଣ୍ଡ ଯାଏଁ ବି ପହଞ୍ଚିବା କାଠିକର ପାଠ ହୋଇଯାଉଛି । ଆଜିର ସ୍ଥିତି ଦେଖି ଅଗ୍ନିଶମ ବାହିନୀ ପାଣି ସ୍ପ୍ରେ କରିଥିଲେ । ଆଜି ସୋମବାର ଚୈତ୍ର ଶୁକ୍ଳ ଦ୍ଵିତୀୟା ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ନ ୫ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କର ଏହା ଗୁପ୍ତ ନୀତି ଥିବାରୁ ପ୍ରାୟ ପାଞ୍ଚ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଦଇତାପତି ସେବାୟତଙ୍କ ଦ୍ବାରା ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବାକୁ ଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।
ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଇଥାଏ । ଏହା ଠାକୁରଙ୍କ ଗୁପ୍ତ ନୀତି ହୋଇଥିବା ବେଳେ ବର୍ଷକୁ ଏକାଧିକ ଥର ଏହି ନୀତି ଅନୁଷ୍ଠିତ ହୋଇଥାଏ । ତେବେ ଆଜି ଅପରାହ୍ନରେ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଶ୍ରୀମନ୍ଦିରରେ ପାଞ୍ଚଘଣ୍ଟା ଦର୍ଶନ ବନ୍ଦ ରହିବ । ଠାକୁରଙ୍କ ଦର୍ଶନ କରିବା ପାଇଁ ଆଜି ସକାଳୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପରିକ୍ରମା ମାର୍ଗରେ ଶହ ଶହ ଭକ୍ତ ଡହ ଡହ ଖରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି । ଭକ୍ତଙ୍କ ପାଇଁ କାର୍ପେଟ୍ ପକାଯିବା ସହ ଥଣ୍ଡା ପାନୀୟ ଜଳ, ସ୍ପ୍ରେ ଓ ଶ୍ରୀମନ୍ଦିର ଭିତରେ ଚୂନ ପଡ଼ିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରିକ୍ରମା ମାର୍ଗ ହେଉ ବା ୪ ଦ୍ୱାର ସାମ୍ନା, ସବୁଠି କାର୍ପେଟ ବିଛାଯିବା ସହ ସାମିଆନା ତିଆରି ନିହାତି ଜରୁରୀ ହୋଇପଡିଛି ।ଏଥିସହ ପୂର୍ବ ପରି ଏସି ସେଡ ବ୍ୟବସ୍ଥା କରିବାକୁ ଭକ୍ତ ଦାବି କରିଛନ୍ତି ।
Also Read:ମହିଳାଙ୍କୁ ଚୂନା ଲଗାଇଲେ ମହିଳା, ଲେବର କାର୍ଡ଼ ନାଁରେ ନେଇଗଲେ ଲକ୍ଷ ଲକ୍ଷ ଟଙ୍କା